ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ଲୋକପାଳ ନିଯୁକ୍ତିରେ ମୋହର ମାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କୁ ନେଇ ବସିଥିବା ବୈଠକରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ ନାଁ ସ୍ଥିର କରାଯାଇଥିଲା। ଏହାପରେ ତାଙ୍କ ନାଁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠା ଯାଇଥିଲା।

ପ୍ରଥମ ଲୋକପାଳ ଜଷ୍ଟିସ୍ ପିନକୀ ଚନ୍ଦ୍ର ଘୋଷ ୨୦୧୭ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ। ସେ ଜାତୀୟ ମାନବାଧିକାର କମିଶନରେ ସଦସ୍ୟ ଥିଲେ।

ଲୋକପାଳ କମିଟିରେ ଜଷ୍ଟିସ୍ ଦିଲ୍ଲୀପ ଭୋସଲେ, ଜଷ୍ଟିସ୍ ପ୍ରଦୀପ ମୋହନ୍ତୀ, ଜଷ୍ଟିସ ଅଭିଳାଷା କୁମାରୀ, ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ, ଦିନେଶ କୁମାର ଜୈନ, ଅର୍ଚ୍ଚନା ରାମାସୁନ୍ଦରମ୍, ମହେନ୍ଦ୍ର ସିଂ, ଡକ୍ଟର ଇନ୍ଦ୍ରଜିତ ପ୍ରସାଦ ସଦସ୍ୟ ଅଛନ୍ତି।

ଦେଶର ପ୍ରଥମ ଲୋକପାଳଙ୍କୁ ଜାଣନ୍ତୁ

୧୯୫୨ ମେ’ ୨୮ରେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଜନ୍ମ ଗ୍ରହଣ କରିଥିଲେ। ସେଣ୍ଟ ଜାଭିୟର୍ସ କଲେଜରୁ ବିକମ୍ ଏବଂ କୋଲକାତା ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଶିକ୍ଷା ହାସଲ କରିଥିଲେ। ୧୯୯୭ରେ ସେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୨ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୩ରୁ ୨୦୧୭ ଯାଏଁ ସେ ସୁପ୍ରିମକୋର୍ଟ ବିଚାରପତି ରହିଥିଲେ।

Comment