ଭାସ୍କର ପରିଚ୍ଛା


ଡକ୍ଟର ହରେକୃଷ୍ଣ ମହତାବଙ୍କ ସମସାମୟିକ ଓ ବିଜୟାନନ୍ଦ ପଟ୍ଟନାୟକଙ୍କ ପୂର୍ବରୁ  ଜାତୀୟ ରାଜନୀତିରେ ଯଦି ଓଡ଼ିଶାର ତୃତୀୟ ବ୍ୟକ୍ତି କେହି ପ୍ରତିଷ୍ଠା  ଅର୍ଜନ କରିଥାନ୍ତି ସେ ହେଉଛନ୍ତି ନିତ୍ୟାନନ୍ଦ କାନୁନଗୋ। ବାଳମୁକୁନ୍ଦ କାନୁନଗୋ ଓ ହେମନ୍ତକୁମାରୀ(ରମାଦେବୀଙ୍କ ମାଉସୀ)ଙ୍କ ପୁତ୍ର ନିତ୍ୟାନନ୍ଦ  ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାରେ ଓ କେନ୍ଦ୍ରରେ ମନ୍ତ୍ରୀ ଓ ଦୁଇଟି ରାଜ୍ୟର ରାଜ୍ୟପାଳ। ଜଗତସିଂହପୁର ଜିଲ୍ଲା ନାରିଲୋ ଗ୍ରାମର ମୂଳ ବାସିନ୍ଦା ନିତ୍ୟାନନ୍ଦଙ୍କ ପିଲାଦିନ କଟକରେ ହିଁ କଟିଥିଲା।

ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ଡିଗ୍ରୀ, କଲିକତା ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ, ଓକିଲାତି, କଂଗ୍ରେସରେ ଯୋଗଦାନ, ସ୍ୱାଧୀନତା ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ, ବିଶ୍ଵନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହିଥିଲେ ସେ। ପ୍ରଥମ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ସାଂସଦ, କେନ୍ଦ୍ରରେ ଉପମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ, ୧୯୫୭ ଓ ୧୯୬୨ରେ କେନ୍ଦ୍ରାପଡ଼ାରୁ ପୁନର୍ବାର ଲୋକସଭା ସାଂସଦ, ଭାରତୀୟ ହସ୍ତଶିଳ୍ପ ବୋର୍ଡର ସଭ୍ୟ, ସର୍ବ ଭାରତୀୟ ବୁଣାକାର ସଂଘର ସଭାପତି ଓ କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସଦସ୍ୟ, ଆନ୍ତର୍ଜାତିକ ଧାନ କମିଶନର ସଭ୍ୟ ଭାବରେ ଜାକର୍ତ୍ତା ଗସ୍ତ ଏ ସବୁ ହେଉଛି ତାଙ୍କର ସାମଗ୍ରିକ  ପରିଚୟ।

ଆଗ୍ରହର ବିଷୟ ଯେ ନିତ୍ୟାନନ୍ଦ ରେଭେନ୍ସା କଲେଜିଏଟ ସ୍କୁଲରେ ପାଠ ପଢିବା ବେଳେ ତାଙ୍କର ସହପାଠୀ ଥିଲେ ସୁଭାଷ ବୋଷ। ଘଟଣାକ୍ରମେ ଜାନକୀନାଥ ବୋଷ ଓ ବାଳମୁକୁନ୍ଦ କାନୁନଗୋ ଥିଲେ ଦୁଇ ବନ୍ଧୁ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ନିତ୍ୟାନନ୍ଦ କାନୁନଗୋ ସାଧାରଣ ଜୀବନରେ ରହିଥିଲେ।ବିଂଶ ଶତାବ୍ଦୀର ଭାରତର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାର ସେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଓ ବିଭିନ୍ନ ଭାବରେ ସେ ଏହାର ଅଂଶ ବିଶେଷ ବି ହୋଇପଡିଥିଲେ।

ଖୁସିର ବିଷୟ ଯେ ବିଳମ୍ବରେ ହେଲେ ମଧ୍ୟ ନିତ୍ୟାନନ୍ଦ କାନୁନଗୋଙ୍କ ଏକ ପୂର୍ଣ୍ଣାଙ୍ଗ ଜୀବନୀଟିଏ ପ୍ରକାଶ ପାଇଛି ଓ ଜୀବନୀକୁ ଲେଖିଛନ୍ତି ତାଙ୍କ ସୁଯୋଗ୍ୟ ସନ୍ତାନ ଶୋଭନ କାନୁନଗୋ। ଶୋଭନ କାନୁନଗୋ(ବଡ଼ଭାଇ ସଚ୍ଚିଦାନନ୍ଦ କାନୁନଗୋ, ପ୍ରାକ୍ତନ ଆଇନ ସଚିବ) ୧୯୬୦ ମସିହାରେ ଆଇଏଏସ ପାଇଥିଲେ ଓ ଚାକିରି ଜୀବନର ଅଧିକାଂଶ ସମୟ ଓଡ଼ିଶା ବାହାରେ କଟାଇଥିଲେ।

ତା ସତ୍ତ୍ୱେ ବାପାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ପୁସ୍ତକ ଆକାରରେ ପାଠକଙ୍କ ନିକଟରେ ପହଞ୍ଚାଇବାର ଯେଉଁ ଉଦ୍ୟମ ସେ କରିଛନ୍ତି ତାହା ସାଧୁ। ୨୦୧୭ରେ ନିତ୍ୟାନନ୍ଦ କାନୁନଗୋଙ୍କ ଉପରେ ଏକ ଇଂରେଜୀ ଜୀବନୀ ପ୍ରକାଶ ପାଇଥିଲା। ଏବେ ତାହାର ଓଡ଼ିଆ ଅନୁବାଦ ପ୍ରକାଶ ପାଇଛି ଓ ଅନୁବାଦ କରିଛନ୍ତି ସୁଭାଷ ଶତପଥୀ।

ବାଲ୍ୟ ଜୀବନଠାରୁ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ନିତ୍ୟାନନ୍ଦ କାନୁନଗୋଙ୍କ  ଏକ ସ୍ଥୂଳ ପରିଚୟ ଏହି ପୁସ୍ତକରେ ମିଳେ। ୧୯୦୦ ସାଲରେ ଜନ୍ମିତ ନିତ୍ୟାନନ୍ଦ ୧୯୮୮ରେ ସ୍ଵର୍ଗାରୋହଣ କରିଥିଲେ। ୧୯୩୭ରେ ପ୍ରଥମେ ସେ ଓଡ଼ିଶାରେ ମନ୍ତ୍ରୀ ହୋଇଥିଲେ। ନିତ୍ୟାନନ୍ଦଙ୍କ ଶେଷ ସାମ୍ବିଧାନିକ ପଦବୀ ଥିଲା ବିହାର ରାଜ୍ୟପାଳ। ଏହା ୧୯୭୧ର କଥା।

ଲେଖକ ଶୋଭନ କାନୁନଗୋ ନିଜେ ଜଣେ ପ୍ରଶାସକ ହୋଇଥିବାରୁ ବାପାଙ୍କ ସମ୍ପର୍କରେ  ଯେତେଦୂର ସମ୍ଭବ ଏକ ସନ୍ତୁଳିତ ବିବରଣୀ ଦେବାକୁ ଉଦ୍ୟମ କରିଛନ୍ତି। ସ୍ଥାନ, ସମୟ ଓ ଘଟଣା ବ୍ୟତିରେକେ ଏହି ଜୀବନୀରେ ନିତ୍ୟାନନ୍ଦ କାନୁନଗୋଙ୍କ ରାଜନୀତିକ ଓ ପ୍ରଶାସକ ଜୀବନର ଏକ ରୋଚକ  ଚିତ୍ର ଉପସ୍ଥାପିତ ହୋଇଛି।

ଯେଉଁ ସମୟରେ ନିତ୍ୟାନନ୍ଦ କାନୁନଗୋ ରାଜନୀତି ଆରମ୍ଭ କରିଥିଲେ ସେ ସମୟଟି ଥିଲା ହରେକୃଷ୍ଣ ମହତାବଙ୍କ ସମୟ। ସ୍ୱାଭାବିକ ଭାବରେ ସେତେବେଳର କିଛି ଘଟଣାକୁ ପୁସ୍ତକରେ ପଢ଼ିବାକୁ ମିଳିବ ଯାହାକୁ ନେଇ ଆମ ମାନଙ୍କର ଗୁଡ଼ାଏ ଭ୍ରମ ରହିଛି। ତେବେ ଜୀବନୀକାର ସେଇ ଆଡ଼କୁ ଅଧିକ ନଯାଇ ନିତ୍ୟାନନ୍ଦଙ୍କ ରାଜନୈତିକ ଜୀବନର  ସଫଳତା ସମ୍ପର୍କରେ ମନୋନିବେଶ କରିଛନ୍ତି।

ହୀରାକୁଦ ବନ୍ଧଠାରୁ ଆରମ୍ଭ କରି ଦେଶୀୟ ରାଜ୍ୟର ମିଶ୍ରଣ, କଟକରେ ହାଇକୋର୍ଟ ପ୍ରତିଷ୍ଠା ପଛରେ ତାଙ୍କର ଭୂମିକାଠାରୁ ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ନେହେରୁ ମନ୍ତ୍ରିମଣ୍ଡଳରେ ତାଙ୍କୁ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବା ପରେ ସେ କଣ ସବୁ କରିଥିଲେ ତଥା  ସେହି ସମୟର ରାଜନୈତିକ ଓ ଆନ୍ତର୍ଜାତିକ ଘଟଣାବଳୀର ଏକ ବିସ୍ତୃତ ଆଲୋଚନା ଏହି ପୁସ୍ତକରେ ହୋଇଛି। ଉଲ୍ଲେଖଯୋଗ୍ୟ ଯେ,୧୯୫୬କମ୍ପାନି ଆଇନର ସ୍ଥପତି ହେଉଛନ୍ତି ନିତ୍ୟାନନ୍ଦ।

ତତ୍କାଳୀନ ଓଡ଼ିଶା ରାଜନୀତିର କିଛି ରୋମାଞ୍ଚକର ତଥ୍ୟ ସାଙ୍ଗକୁ ନିତ୍ୟାନନ୍ଦ କିଭଳି ସେହି ଗୋଳିଆ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ତାର ବିବରଣୀ ପ୍ରଦାନ କରାଯାଇଛି ପୁସ୍ତକରେ। ବିଶେଷକରି ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ରାଜନୀତି ସମ୍ପର୍କରେ ବେଶ୍ କିଛି ଜ୍ଞାତବ୍ୟ କଥାର ଉଲ୍ଲେଖ ରହିଛି ଏହି ଜୀବନୀରେ।

ଜୀବନୀଟି ତତ୍କାଳୀନ ଓଡ଼ିଶାର ସାମାଜିକ ଅର୍ଥନୈତିକ ଚିତ୍ରକୁ ବହନ କରିବା ବ୍ୟତୀତ ସେ ସମୟର ସାମାଜିକ ଚଳଣି ଓ ଭାବଧାରା ସମ୍ପର୍କରେ ମଧ୍ୟ ଆଲୋକପାତ କରୁଛି। ନିତ୍ୟାନନ୍ଦ କାନୁନଗୋ ଯେଉଁ ଇଛାପତ୍ର ବା ଉଇଲ ଲେଖିଥିଲେ ସେଥିରୁ ତାଙ୍କର ବାସ୍ତବବାଦୀ ବ୍ୟକ୍ତିତ୍ୱର ପରିଚୟ ମିଳେ:

‘‘ଯେଉଁଠାରେ ମୋର ମୃତ୍ୟୁ ହେବ, ସେଇଠାରେ ମୋର ସଂସ୍କାର କରାଯିବ, ବୈଦ୍ୟୁତିକ ଚୁଲା କୁ ମୁଁ ପସନ୍ଦ କରିବି। ଏଥିପାଇଁ କୌଣସି ପ୍ରକାର ରୀତିନୀତି ସମ୍ପନ୍ନ କରାଯିବ ନାହିଁ,ଏପରିକି ଚିତା ଭସ୍ମ ସଂଗ୍ରହ କରାଯିବ ନାହିଁ।ମୋର ପୁଅମାନେ ଯେମିତି ପ୍ରତିଦିନ ଖିଅର ହେଉଥିଲେ ସେମିତି ହେବେ। ତୃତୀୟ ଅବା ଚତୁର୍ଥ ଦିନ ପରିବାର ସଦସ୍ୟ ଓ ବନ୍ଧୁ ପରିଜନ ସେମାନଙ୍କ ସୁବିଧା ଅନୁସାରେ ଏକତ୍ର ହୋଇ ସରଳ ଶାନ୍ତି ପାଠ କରିବେ। ମୋ ପାଇଁ କୌଣସି ପ୍ରକାର ଶୁଦ୍ଧିକ୍ରିୟା ଓ ସାମ୍ବତ୍ସରିକ ଶ୍ରାଦ୍ଧାଦି କର୍ମ କରାଯିବ ନାହିଁ।’’

ମହାନଦୀ ବୁକ୍ସ (ଓଲ୍ଡ ଟାଉନ, ଭୁବନେଶ୍ୱର) ଏହି ଜୀବନୀ ପୁସ୍ତକକୁ ପ୍ରକାଶ କରିଥିବାରୁ ଧନ୍ୟବାଦର ପାତ୍ର। ମୂଲ୍ୟ ୨୫୦ ଟଙ୍କା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment