ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନରେ କିଛି କରିବାର ଇଛା ଓ ତାହାକୁ ପୂରା କରିବାର ଏକାଗ୍ରତା ଥିଲେ ଦୁନିଆରେ କୌଣସି ବି କାମ ଅସମ୍ଭବ ନୁହଁ, ଏହାକୁ ପ୍ରମାଣିତ କରିଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରରେ ରହୁଥିବା ପ୍ରଦୀପ ସିଂ।

ଶୁକ୍ରବାର ସଂଧ୍ୟାରେ ୟୁପିଏସସି ଦ୍ୱାରା ହୋଇଥିବା ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଥିଲା। ଯେଉଁଥିରେ ପ୍ରଦୀପ ସାରା ଦେଶରେ ୯୩ତମ ସ୍ଥାନ ହାସଲ କରିଛନ୍ତି।

ମାତ୍ର ୨୨ବର୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଦୀପଙ୍କ ଏହି ସଫଳତାର ଯାତ୍ରା ସେତେଟା ସହଜ ନଥିଲା। ପରିବାରର କଠିନ ପରିସ୍ଥିତି ଭିତରେ ସେ ନିଜକୁ ଏହି କଠିନ ପରୀକ୍ଷା ଲାଗି ପ୍ରସ୍ତୁତ କରୁଥିଲେ।

ପ୍ରଦୀପଙ୍କ ବାପା ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ପେଟ୍ରୋଲ ପମ୍ପରୁ ମାସକୁ କେତେ ଅବା ରୋଜଗାର ହେଉଥିବା ତାହା ଉଣା ଅଧିକ ସମସ୍ତେ ଜାଣିଥିବେ।

ପୁଅର ପାଠପଢ଼ା ପ୍ରତି ଆଗ୍ରହ ଦେଖି ବାପା ମା’ଙ୍କ ସହ ପୂରା ପରିବାର ପ୍ରଦୀପଙ୍କ ସହ ଛିଡ଼ାହୋଇଥିଲେ। ପରିବାରର ଅଭାବ କେବେ ବି ତାଙ୍କୁ ଜଣାଇବାକୁ ଦେଇନଥିଲେ ବାପା ମା’।

ପ୍ରଦୀପ ଚାହୁଁଥିଲେ କି ୟୁପିଏସସି ଲାଗି ସେ ଦିଲ୍ଲୀରେ ଆସି ପ୍ରସ୍ତୁତ ହେବେ ମାତ୍ର ପରିବାରରେ ସେତିକି ଅର୍ଥ ନଥିଲା କି ସେ ଦିଲ୍ଲୀରେ ଆସି କୋଚିଂ ନେଇପାରିବେ।

ତେବେ ପୁଅର ଇଛା ପୂରଣ ଲାଗି ଯେମିତି ବାପା ମା ସବୁକିଛି ତ୍ୟାଗ କରିଦେବାକୁ ପ୍ରସ୍ତୁତ ଥିଲେ। ଶେଷରେ ପ୍ରଦୀପଙ୍କ ବାପା ପୁଅକୁ କୋଚିଂ ଦେବା ଲାଗି ନିଜଘର ମଧ୍ୟ ବିକିଦେଇଥିଲେ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ପ୍ରଦୀପ ନିଜ ସଂଘର୍ଷର କାହାଣୀ କହିଛନ୍ତି। ପ୍ରଦୀପ ଯାହା ପ୍ରତିକ୍ରିୟା ଦେଇଛନ୍ତି ତାହା ବାସ୍ତବରେ ପ୍ରେରଣାଦାୟୀ ସେହିମାନଙ୍କ ଲାଗି ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଏକ ବଡ ପରୀକ୍ଷା ଲାଗି ପ୍ରସ୍ତୁତ କରୁଛନ୍ତି।

ପ୍ରଦୀପ ଅତି ସୁନ୍ଦରଭାବେ କହିଛନ୍ତି, “ମୋର ଚେଷ୍ଟା ଏଇଆ ରହିବ କି ଏହି ଛୋଟ ସଫଳତା ଦ୍ୱାରା ମୁଁ ମୋ ବାପା-ମାଙ୍କ ସଂଘର୍ଷକୁ କେମିତି କମ୍‌ କରିପାରିବି।” ପ୍ରଦୀପ ୨୦୧୭ରୁ ଦିଲ୍ଲୀରେ ରହି ୟୁପିଏସସି ଲାଗି ପ୍ରସ୍ତୁତ ହେଉଥିଲେ।

କେବଳ ପରିବାରର ସଂଘର୍ଷ ନୁହଁ ପ୍ରଦୀପ ନିଜ ସହ ମଧ୍ୟ ଢେର ସଂଘର୍ଷ କରିଛନ୍ତି ଏହି ପରୀକ୍ଷା ଲାଗି। ଯେତେବଳେ ୟୁପିଏସସି ପରୀକ୍ଷା ଚାଲୁଥିଲା ସେତେବେଳେ ତାଙ୍କ ମାଙ୍କ ଦେହ ଖରାପ ହୋଇଥିଲା। କାଳେ ପୁଅ ପଢ଼ାରେ କିଛି ଫରକ ପଡ଼ିବ ସେଥିଲାଗି ଯେତେ କଷ୍ଟ ହୋଇଥିଲେ ସୁଧା ତାଙ୍କ ବାପା ଏ ବାବଦରେ ପ୍ରଦୀପଙ୍କୁ ଜଣାଇନଥିଲେ।

ପ୍ରଦୀପଙ୍କର ଇଛା ଆଗକୁ ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବେ। ତେବେ ପ୍ରଦୀପଙ୍କ ସଫଳତା ପଛର କାହାଣୀ ଯେ ବି ଶୁଣିବ ବା ପଢ଼ିବ ବାସ୍ତବରେ ତା ଆଖି ଜକେଇ ଯିବ। ଏହାସହିତ ଯେଉଁମାନେ ପରିବାରର କଠିନ ପରିସ୍ଥିତି ମଧ୍ୟରେ ନିଜକୁ ଏକ ବଡ ପରୀକ୍ଷା ଲାଗି ପ୍ରସ୍ତୁତ କରାଉଛନ୍ତି ସେମାନଙ୍କ ଲାଗି ପ୍ରେରଣା ହେବ ନିଶ୍ଚୟ। ଦୃଢ଼ ଇଛା ଶକ୍ତି ଓ ବାପା ମା’ଙ୍କର ଆର୍ଶିବାଦ ଥିଲେ ଜୀବନରେ କୌଣସି ବି ଲଢ଼େଇ ଜିତିବା ଯେମିତି ସହଜ ହୋଇଯାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ପ୍ରଦୀପଙ୍କ ସଫଳତାର କାହାଣୀ।

Comment