ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲେ ମୋଦି।

ବାରଣାସୀ ଲୋକସଭା ଆସନ ପାଇଁ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରାର୍ଥୀ କରିଛି। ସପ୍ତମ ପର୍ଯ୍ୟାୟରେ ଏହି ଆସନ ପାଇଁ ହେବ ଭୋଟ। ଆସନ୍ତାକାଲି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ ମୋଦି କାଶୀରେ ବିଶାଳ ରୋଡ ସୋ’ କରିଛନ୍ତି।

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରିଥିବା ରୋଡ ସୋ’ ଦଶାଶ୍ୱମେଧ ଘାଟ ପର୍ଯ୍ୟନ୍ତ ଯାଇଥିଲା। ଏହି ୭ କିଲୋମିଟର ରୋଡ ସୋ’ରେ କାଶୀ ସହର ଜନସମୁଦ୍ର ପାଲଟି ଯାଇଥିଲା। ମୋଦି, ମୋଦି ନାରାରେ କାଶୀ ସହର ଉଠିଥିଲା ପଡ଼ିଥିଲା। ‘ହର ହର ମୋଦି, ଘର ଘର ମୋଦି’ ସ୍ଲୋଗାନରେ ଉଛୁଳିଥିଲା ସାରା ପରିବେଶ।

ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିଲେ ଶହ ଶହ ଲୋକ। ମୋଦି ଖୋଲା ଗାଡ଼ିରେ ହାତ ହଲାଇ ଲୋକଙ୍କୁ କରିଥିଲେ ଉତ୍ସାହିତ। ମୋଦିଙ୍କ ଗାଡ଼ି ଧିରେ ଧିରେ ଆଗକୁ ବଢୁଥିଲା ଏବଂ ଲୋକେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରୁଥିଲେ।

ରୋଡ ସୋ’ରେ କର୍ମୀଙ୍କ ମନରେ ଜୋସ୍ ଭରି ରହିଥିବା ଦେଖିବାକୁ ମିଳିଥିଲା। ମୋଦି ମୁଖା ଏବଂ ‘ନମୋ ଏଗେନ’ ଟି-ସର୍ଟ ପିନ୍ଧି ସମର୍ଥକମାନେ ରୋଡ ସୋ’କୁ ଜମେଇ ଦେଇଥିଲେ।

ମୋଦି ଦଶଶ୍ୱାମେଧ ଘାଟରେ ଗଙ୍ଗା ଆଳତୀ କରିଥିଲେ। ଗଙ୍ଗା ମାତାଙ୍କ ପୂଜାର୍ଚ୍ଚନା କରିଥିଲେ। ମୋଦିଙ୍କର ଏହି ବିଶାଳ ରୋଡ ସୋ’ରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

Comment