ଓଡ଼ିଶାଲାଇଭ୍ ବ୍ୟୁରୋ

ସତ୍ୟବାଦୀ ଇଭିଏମ୍ ଭଙ୍ଗାରୁଜା ଘଟଣାର ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର। ଏକ ଭିଡିଓ ଜରିଆରେ ଓମ୍ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଏହି ଭିଡିଓରେ ଓମ୍ କହିଛନ୍ତି, ‘‘୮ଟି ସ୍ଥାନରେ ବୁଥ ରିଗିଂ ଓ ବୋଗସ୍ ଭୋଟିଂ ହେଉଥିଲା। ଏମିତିକି ମୃତ ବ୍ୟକ୍ତିଙ୍କ ନାମରେ ବି ଭୋଟିଂ ହୋଇଥିଲା। ବିଜେଡିର ଗୁଣ୍ଡାମାନେ କରୁଥିଲେ ବୁଥ୍ ରିଗିଂ। ପୋଲିସ ଓ ନିର୍ବାଚନ କମିଶନଙ୍କୁ ଜଣାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ହେଉ।’’

‘‘୨୩ ଏପ୍ରିଲରେ ବୀରକେଶର ୭୮ ନମ୍ବର ବୁଥ, ଗୋଚ୍ଛିଆ, ନୂଆଗାଁ, ତେଲେଙ୍ଗାପଡ଼ା ଏଭଳି ୮ଟି ବୁଥରେ ଯାହା ହେଇଛି ତାହା ଯାଞ୍ଚ କରାଯାଉ। ଯେଉଁମାନେ ଏ ଅଞ୍ଚଳରେ ନାହାନ୍ତି ଓ ମୃତ ବ୍ୟକ୍ତିଙ୍କ ନାଁରେ ବି ଅନେକ ଭୋଟିଂ ହେଉଥିଲା। ଏହାକୁ ଜଣେ ବ୍ୟକ୍ତି ଜୋର ଜବରଦସ୍ତ କରିଛି। ବିଜେପିର କର୍ମୀମାନେ ଭୋଟ୍ ଦେବା ଆଗରୁ ତାଙ୍କ ନାମରେ ପଡ଼ି ସାରିଥିଲା ଭୋଟ୍’’, ଏହା ଭିଡିଓରେ କହିଛନ୍ତି ଓମ୍।

ରାଜନୈତିକ ମାଇଲେଜ୍ ନେବା ପାଇଁ ଏଭଳି ହେଉଛି ବୋଲି ଓମ୍ କହିଛନ୍ତି।

‘‘ତେଲେଙ୍ଗାପଡ଼ା ବୁଥରେ ୨୦୦ରୁ ଅଧିକ ଭୋଟ୍ ମାଇକ୍ରୋ ଅବଜରଭର୍ ନିଜେ ଦେଇଥିଲେ। ବିଜେଡିଗୁଣ୍ଡା ମତେ ଓ ମୋର କାର୍ଯ୍ୟକର୍ତ୍ତାଙ୍କୁ ଧରିକି ରଖିଲେ ଏବଂ ଗାଡ଼ିରୁ ୫୦ହଜାର ଟଙ୍କା, ଲାଇସେନ୍ସ ଥିବା ବନ୍ଧୁକ ସହ କିଛି କାଗଜ ପତ୍ର ଛଡ଼ାଇ ନେଇଥିଲେ। ମୁଁ ବୁଥ୍ ଭିତରକୁ ପସି ନାହିଁ କି ଇଭିଏମ୍ ଭାଙ୍ଗି ନାହିଁ। ବିଜେଡିର ଗୁଣ୍ଡାମାନେ ଇଭିଏମ୍ ମେସିନ୍ ଭାଙ୍ଗିଛନ୍ତି। ଶାସକ ଦଳର ବିଧାୟକ ପ୍ରାର୍ଥୀ ପ୍ରିଜାଇଡିଂ ଅଫିସରଙ୍କ ଉପରେ ଚାପ ପକାଇ ମୋ ନାଁରେ ମାମଲା ଦେଇଛନ୍ତି’’, କହିଛନ୍ତି ଓମ୍।

ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୁଁ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ପାଇଁ ରାଜି ଅଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇ ତଦନ୍ତ କରାଯାଉ ବୋଲି ଓମ୍ ପ୍ରକାଶ କହିଛନ୍ତି।

ଅନ୍ୟପଟେ ଓମ୍ ପ୍ରକାଶ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।

‘‘ଓମ ପ୍ରକାଶ ମିଶ୍ରଙ୍କୁ ଗିରଫ କରିବା ପାଇଁ ତିନୋଟି ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯାଇଛି। ଏହାସହ ଦେଶର ପ୍ରମୁଖ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟକୁ ଓମପ୍ରକାଶଙ୍କ ଫଟୋ ପଠା ଯାଇଛି। ତାଙ୍କୁ ଦେଖିବା ମାତ୍ରେ ଖବର ଦେବାକୁ ଲୁକ୍ ଆଉଟ ସର୍କୁଲାର ଜାରି କରି କୁହାଯାଇଛି’’, କହିଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ।

କଣାସ ବ୍ଲକର ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଏବଂ ତାଙ୍କ ସମର୍ଥକ ଏହି ଭଙ୍ଗାରୁଜା କରିଥିବା ସଂପୃକ୍ତ ବୁଥର ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ର ଥାନାରେ ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୋଲିସ ଜନ ପ୍ରତିନିଧି ଆଇନ ୧୮୬, ୧୮୭ ଏବଂ ଆର୍ମସ୍ ଆକ୍ଟ ଧାରା ୨୫ ଏବଂ ୨୭, ଆଇପିସି ଧାରା ୧୪୭, ୧୪୮ ଏବଂ ୫୦୬ରେ ମାମଲା ରୁଜୁ କରିଛି।

Comment