ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଆମେ ଶାନ୍ତିପୂର୍ଣ୍ଣ ଭାବେ ରୋଡ ସୋ’ ବାହାର କରିଥିଲୁ। ଆମ ପାଖରେ ଖବର ଥିଲା ଯେ କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ରାଲି ଉପରେ ଆକ୍ରମଣ ହେବ। କିନ୍ତୁ ଆମ ରୋଡ ସୋ’ ଉପରେ ତିନି ଥର ଆକ୍ରମଣ ହେଲା। ଯଦି ସିଆରପିଏଫ୍ ନଥାନ୍ତେ ତାହାଲେ ମୁଁ ବଞ୍ଚିକି ଆସିପାରି ନଥାନ୍ତି’’, ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ଏପଟେ ଅମିତ ଶାହଙ୍କୁ ପାଲଟା ଜବାବ ଦେଇଛି ତୃଣମୂଳ କଂଗ୍ରେସ। ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ଅମିତ ଶାହଙ୍କ ଉପରେ ଦୋଷ ଲଦିଛନ୍ତି।

ସେ କହିଛନ୍ତି, ‘‘ଅମିତ ଶାହ କିଛି ଗୁଣ୍ଡାମାନଙ୍କୁ ନେଇ ପଶ୍ଚିମବଙ୍ଗ ଆସିଥିଲେ। ଏହାର ପ୍ରତିବାଦରେ କୋଲକାତା ବିଶ୍ୱବିଦ୍ୟାଳୟର ଛାତ୍ର କଳା ପତାକା ଦେଖାଇଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହି ବିରୋଧ କରାଯାଇଥିଲା। କିନ୍ତୁ ବିଜେପି କର୍ମୀମାନେ ପଥର ମାଡ଼ କରିଥିଲେ। ଫଳରେ କିଛି ଛାତ୍ର ଆହତ ହୋଇଥିଲେ।’’

ଏପଟେ ମମତା ବାନାର୍ଜୀ ବି ହିଂସାକାଣ୍ଡକୁ ନେଇ ବିଜେପି ଉପରେ ଦୋଷ ଲଦିଛନ୍ତି। ସେ କହିଛନ୍ତି ଯେ ହିଂସାକାଣ୍ଡ ପାଇଁ ବିଜେପି ପୂର୍ବରୁ ଯୋଜନା କରିଥିଲା। ବାହାରୁ ଗୁଣ୍ଡା ଆଣି କୋଲକାତା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରିଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଅମିତ ଶାହ କୋଲକାତାରେ ରୋଡ ସୋ’ କରିଥିଲେ। ଏହି ରୋଡ ସୋ’ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।

Comment