ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନବୀନଙ୍କ ପଞ୍ଚମ ପାଳିରେ କିଏ ହେବେ ମନ୍ତ୍ରୀ?

ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେବେ। ହେଲେ କିଏ ମନ୍ତ୍ରୀ ହେବେ ତାକୁ ନେଇ ଏଯାଏଁ ସସ୍‌ପେନ୍ସ ଲାଗି ରହିଛି।

ମନ୍ତ୍ରିମଣ୍ଡଳରେ ନବୀନ କାହାକୁ ରଖିବେ ଏବଂ କାହାକୁ ଦୂରେଇବେ ତାକୁ ନେଇ ବରିଷ୍ଠ ଓ କନିଷ୍ଠ ନେତାଙ୍କ ହୃଦସ୍ପନ୍ଦନ ବଢ଼ି ଯାଇଛି। ଏହାସହ କେଉଁ ଜିଲ୍ଲାରୁ କିଏ ସ୍ଥାନ ପାଇବେ ତାକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।

ଏଥର ମନ୍ତ୍ରିମଣ୍ଡଳରେ କଟକ ଜିଲ୍ଲାର ତିନି ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଆଠଗଡ଼ ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି।

ସେହିପରି ନୟାଗଡ଼ ଜିଲ୍ଲାରୁ ଅରୁଣ ସାହୁ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରାଜେନ୍ଦ୍ର ସାହୁଙ୍କ ନାଁ ବି ଉଠିଛି। ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ, ଭଦ୍ରକ-ବାଲେଶ୍ଵରରୁ ଅନନ୍ତ ଦାସ ଏବଂ ପ୍ରଫୁଲ୍ଲ ସାମଲଙ୍କ ନାଁ ବି ମନ୍ତ୍ରୀ ପଦ ରେସ୍‌ରେ ରହିଛି। ସେହିପରି ଯୁବ ନେତା ଭାବେ ବ୍ୟୋମକେଶ ରାୟଙ୍କ ନାଁକୁ ନେଇ ବି ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

ମୟୂରଭଞ୍ଜରୁ ରାଜକିଶୋର ଦାସ, କଳହାଣ୍ଡିରୁ ଭୁପିନ୍ଦର ସିଂହ, ସୁନ୍ଦରଗଡ଼ରୁ ସୁବ୍ରତ ତରାଇ କିମ୍ବା ସାରଦା ନାୟକ ଏବଂ ଝାରଗସୁଡ଼ାରୁ ନବ କିଶୋର ଦାସଙ୍କ ନାଁ ବି ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରୁ ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ ପାଣିଗ୍ରାହୀ କିମ୍ବା ଉଷା ଦେବୀ ମନ୍ତ୍ରୀ ପଦ ପାଇ ପାରନ୍ତି ବୋଲି କୁହାଯାଉଛି।

ଯାଜପୁରରୁ ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳନ୍ତରାୟ, କେନ୍ଦ୍ରାପଡ଼ାରୁ ପ୍ରତାପ ଦେବ, ଅତନୁସବ୍ୟସାଚୀ ନାୟକ, ଶଶୀଭୂଷଣ ବେହେରାଙ୍କ ନାଁ ଚର୍ଚ୍ଚା ହେଉଛି। ସେହିପରି ବରିଷ୍ଠ ନେତା ନୃସିଂହ ସାହୁ, ବଦ୍ରୀନାରାୟଣ ପାତ୍ରଙ୍କ କଥା ମଧ୍ୟ ଉଠୁଛି। ତେବେ ନବୀନ କାହା ମୁଣ୍ଡରେ ପାଗ ଭିଡୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର।

ଚତୁର୍ଥ ପାଳି ସରକାରରେ ନବୀନ ନୂଆ ଓ ପୁରୁଣାଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ତେବେ ଅଧିକ ଯୁବ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରସଙ୍ଗରେ ଯୁବ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ।

ତେବେ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳ କେମିତି ହେବ ଏବଂ ନୂଆ ନା ପୁରୁଣା ମୁହଁଙ୍କ ଉପରେ ନବୀନ ଭରସା କରିବେ ତାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛି।

ଚତୁର୍ଥ ପାଳି ସରକାର ଗଠନ ବେଳେ ପ୍ରଣବ, ଅରୁଣ, ଅତନୁ ଏବଂ ସଞ୍ଜୟ ଦାସବର୍ମା ମନ୍ତ୍ରୀ ପଦ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ଏମାନେ ମନ୍ତ୍ରୀ ପଦ ଛାଡ଼ିଥିଲେ। ପ୍ରତାପ ଜେନା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ। ତେବେ ଏଥର ଏମାନଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରୁଛନ୍ତି କି ନାହିଁ ତା’ ଉପରେ ନଜର ରହିଛି।

ଏବଂ ଅନନ୍ତ ଦାସଙ୍କ ନାଁ ବି ଉଠୁଛି। ମହିଳା ବର୍ଗରେ ଉଷା ଦେବୀ, ପ୍ରମିଳା ମଲ୍ଲିକ, ସ୍ନୋହାଙ୍ଗିନୀ ଛୁରିଆ ଏବଂ ନୂଆକରି କବିସୂର୍ଯ୍ୟନଗର ଆସନରୁ ନିର୍ବାଚିତ ହୋଇଥିବା ଲତିକା ପ୍ରଧାନଙ୍କ ନାଁ ବି ଚର୍ଚ୍ଚା ହେଉଛି।

ନବୀନ ଚତୁର୍ଥ ପାଳିରେ ୨୧ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। ଏଥର କେତେ ଜଣଙ୍କୁ ସ୍ଥାନ ଦେଉଛନ୍ତି ଏବଂ କାହାକୁ ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment