ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଶିକ୍ଷା ବଳୟର ବିକାଶ ଦିଗରେ ସରକାର ମାଳମାଳ ଯୋଜନା କରୁଛନ୍ତି। ବିଶେଷକରି ସରକାରୀ ସ୍କୁଲ ପ୍ରତି ପିଲା ଏବଂ ଅବିଭାବକଙ୍କୁ ଆକୃଷ୍ଟ କରିବାକୁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି। କିନ୍ତୁ ଏବେ ସୁଦ୍ଧା ସଂସ୍କାର ଆସିବା ଦୂରର କଥା ସରକାରୀ ସ୍କୁଲକୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦିଆଯାଇପାରିନାହିଁ।

ସାରା ରାଜ୍ୟର ୩୦୧୬ ସ୍କୁଲ ପିଲା ଖୋଲା କୂଅରୁ ପାଣି ପିଉଛନ୍ତି। ଶିକ୍ଷାର ପେଣ୍ଠସ୍ଥଳି ବୋଲାଉଥିବା କଟକ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ବେଶ୍ ଦୟନୀୟ। କାରଣ ଜିଲ୍ଲାର ମୋଟ୍ ୨୧୦ ସ୍କୁଲରେ ଖୋଲା କୁଅ ହିଁ ଭରସା ପାଲଟିଛି।

ମଣିଷ ପାଇଁ ମୌଳିକ ଆବଶ୍ୟକତା ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ଥାଏ ପିଇବା ପାଣି। ନଖାଇ କିଛି ଦିନ ବଞ୍ଚିଯିବା ହୁଏତ ସମ୍ଭବ, କିନ୍ତୁ ପାଣି ନପିଇ କିଛି ଘଣ୍ଟା ବି ଜୀବନ ଜିଇଁବା ମୁସ୍କିଲ୍। ଏହି ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପିଇବା ପାଣି ଯୋଜନା କରିଛନ୍ତି। ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି। ତେବେ ଏଭଳି ପରିସ୍ଥିତିରେ ଖୋଲା କୁଅରୁ ପାଣି ପିଇବାକୁ ବିପଦଜନକ ବୋଲି ଘୋଷଣା କରାଯାଇଛି।

ଖୋଲାକୁଅ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ସଂକ୍ରମଣ ରୋଗ ହେବାର ଆଶଙ୍କା ରହିଥାଏ। କଟକଣା ସତ୍ତ୍ୱେ ମଧ୍ୟ କଟକ ଜିଲ୍ଲାର ୨୧୦ ସ୍କୁଲର ଛାତ୍ରଛାତ୍ରୀ ଖୋଲାକୂଅରୁ ପାଣି ପିଉଛନ୍ତି।

ମିଳିଥିବା ସୂଚନା ମୁତାବକ, କଟକ ଜିଲ୍ଲାରେ ୧୯୬୭ଟି ପ୍ରାଥମିକ ଏବଂ ୩୦୬ଟି ମାଧ୍ୟମିକ ସ୍କୁଲକୁ ମିଶାଇ ମୋଟ୍ ସ୍କୁଲ ସଂଖ୍ୟା ହେଉଛି ୨୨୭୩। ତନ୍ମଧ୍ୟରୁ ୧୭୩୧ ସ୍କୁଲରେ ହ୍ୟାଣ୍ଡ୍ପମ୍ପର ବ୍ୟବସ୍ଥା ରହିଛି। ଅର୍ଥାତ୍ ପିଲାଙ୍କୁ ଶୋଷ କଲେ ସେମାନେ ନିଜେ ସ୍କୁଲ ପରିସରରେ ଥିବା ହ୍ୟାଣ୍ଡପମ୍ପ ମାରି ପାଣି ପିଇପାରିବେ।

ସେହିପରି ଜିଲ୍ଲାର ୬୯୫ ପ୍ରାଥମିକ ଏବଂ ୨୨୦ଟି ମାଧ୍ୟମିକ ସ୍କୁଲରେ ସୁବିଧାଜନକ ଟ୍ୟାପ୍ ପାଣି ବ୍ୟବସ୍ଥା ରହିଛି। କିନ୍ତୁ ୨୧୦ ସ୍କୁଲରପି ଖୋଲାକୁଅରୁ ପାଣି ପିଇବା ଉଦ୍‌ବେଗଜନକ। ଏଥିରେ ୧୫୫ଟି ପ୍ରାଥମିକ ସ୍କୁଲ ରହିଥିବା ବେଳେ ମାଧ୍ୟମିକ ସ୍କୁଲ ସଂଖ୍ୟା ହେଉଛି ୫୫। ପିଲାମାନେ ବିପଦଜନକ ଭାବେ ନିଜେ କୂଅରୁ ପାଣି କାଢି ପିଇବାକୁ ସାଧାରଣରେ ଗ୍ରହଣ କରାଯାଇପାରେନା।

ଏକ୍ଷେତ୍ରରେ ସମ୍ପୃକ୍ତ ସ୍କୁଲରେ ଏବେ ସୁଦ୍ଧା କୌଣସି ବ୍ୟବସ୍ଥା ହୋଇପାରିନାହିଁ। ଶିକ୍ଷା ବ୍ୟବସ୍ଥାର ଏଭଳି ଦୟନୀୟ ଚିତ୍ରକୁ ଦେଖିଲେ କଟକ ବିକାଶରୁ ଦୂରରେ ବୋଲି କୁହାଯାଇପାରେ।

ତେବେ ଏ କ୍ଷେତ୍ରରେ ସରକାର ଉଦବେଗ ପ୍ରକାଶ କରିବା ସହିତ ବିଭିନ୍ନ ସ୍କୁଲକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଯୋଜନା କରୁଛନ୍ତି। ନିକଟରେ ଭୁବନେଶ୍ୱରରେ ବସିଥିବା ଷ୍ଟେଟ୍ ଲେଭଲ୍ ସ୍କିମ୍ ସ୍ୟାଙ୍କ୍ସନିଂ କମିଟି ବୈଠକରେ ରାଜ୍ୟର ସମସ୍ତ ସ୍କୁଲକୁ ଟ୍ୟୁବୱେଲ କିମ୍ବା ପାଇପ୍ ଯୋଗେ ପାଣି ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯିବ। ଯେଉଁ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ନାହିଁ କିମ୍ବା ଖୋଲା କୂଅ ଭରସା ସେହି ସ୍କୁଲମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ତେବେ ଏହା ପୂର୍ବରୁ ବିଭିନ୍ନ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ସର୍ଭେ କରିବାକୁ କୁହାଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଟିସିଙ୍କ ମାଧ୍ୟମରେ ରିପୋର୍ଟ ସଂଗ୍ରହ କରି ନିଜ ନିଜ ଜିଲ୍ଲାରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ ସହ ଆଲୋଚନା କରି ପଦେକ୍ଷପ ନେବାକୁ କୁହାଯାଇଛି।

ଏଭଳି ପରିସ୍ଥିତିରେ କଟକର ସମ୍ପୃକ୍ତ ସ୍କୁଲଗୁଡିକରେ କେବେ ପାନୀୟ ଜଳ ବ୍ୟବସ୍ଥାରେ ସୁଧାର ଆସିବ ତାହା ଦେଖିଖିବା ବାକି ରହିଲା।

Comment