ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ। ନିର୍ବାଚନ ପୂର୍ବରୁ ରାଜ୍ୟରେ ଲାଗୁ ହୋଇଥିବା କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବା ଭଳି ଯୋଜନା କାହିଁକି ପ୍ରଣୟନ କଲେ ବୋଲି ପ୍ରଶ୍ନ ଉଠାଇ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଓଡ଼ିଶା ସରକାର ନୁହନ୍ତି, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତେଲେଙ୍ଗାନା ସମେତ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ଏହିସବୁ ରାଜ୍ୟରେ ସଂପୃକ୍ତ ରାଜ୍ୟ ସରକାରମାନେ ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ଲୋଭନୀୟ ଯୋଜନା ପ୍ରଣୟନ କରିଥିଲେ। ଯୋଜନା ମାଧ୍ୟମରେ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା ହୋଇଥିଲା। ଏନେଇ ତେଲେଙ୍ଗାନାର ଡକ୍ଟର ପେଣ୍ଟାପତି ପୁଲ୍ଲା ରାଓ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ।

ନିର୍ବାଚନ ପୂର୍ବରୁ ସିଧାସଳଖ ଟଙ୍କା ଦେବା ଭଳି ଯୋଜନା ପ୍ରଣୟନକୁ ବେଆଇନ ଦର୍ଶାଇ ସେ ପିଆଇଏଲ୍ ରୁଜୁ କରିଥିଲେ। ନିର୍ବାଚନର ୬ ମାସ ପୂର୍ବରୁ ଏସବୁ ଯୋଜନା ପ୍ରଣୟନ ହେବା ବାଞ୍ଚନୀୟ ବୋଲି ଆବେଦନକାରୀ କୋର୍ଟଙ୍କୁ କହିଥିଲେ।

‘‘ଆମ ବ୍ୟବସ୍ଥା ପୂରା ଦୁର୍ନୀତିଗ୍ରସ୍ତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦେଇଥିଲେ। ବାକି ରହି ଯାଇଥିବା ଚାଷୀଙ୍କୁ ନିର୍ବାଚନ ପରେ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଣୁ ଲହି ଦୁର୍ନୀତିପୂର୍ଣ୍ଣ ବ୍ୟବସ୍ଥା ବିରୋଧରେ ମୁଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି’’, କହିଛନ୍ତି ପୁଲ୍ଲା ରାଓ।

ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ‘କଳିଆ’, ଆନ୍ଧ୍ରପ୍ରଦେଶ ସରକାର ‘ରିଥୁ ବନ୍ଧୁ’, କେନ୍ଦ୍ର ସରକାର ‘ପିଏମ୍ କିଶାନ ଯୋଜନା’ ଲାଗୁ କରିଥିଲେ।

Comment