ଓଡ଼ିଶାଲାଇଭ୍ ବ୍ୟୁରୋ

ଟିକସ ଆଦାୟର ଟିକିନିଖି ଖବର ରଖିବେ ଡେପୁଟି କମିସନର।

କଟକ : ଏଣିକି ଟିକସ ଫାଙ୍କି ପାରିବେ ନାହିଁ ସିଏମ୍‌ସି ଟିକସ ଆଦାୟକାରୀ। କାହାଠାରୁ କେତେ ଟିକସ ଆଣିଲେ ତାର ଟିକିନିକି ହିସାବ ଦେବାକୁ ପଡ଼ିବ। ରସିଦ ଅନୁଯାୟୀ ଯଦି ଟଙ୍କା ଆଦାୟ ନହୁଏ ତେବେ କର୍ମଚାରୀ ହାତରୁ ଟଙ୍କା ଗଣିବେ। ହେଲେ ହେରଫେର କରିବା ଆଉ ଏତେ ସହଜ ହେବନାହିଁ।

କଟକ ମହାନଗର ନିଗମ (ସିଏମ୍‌ସି) ତରଫରୁ ପ୍ରଥମ ଥର ପାଇଁ ହୋଲଡିଂ ଟିକସ ବ୍ୟବସ୍ଥାକୁ ଅନଲାଇନ୍ କରାଯାଉଛି। ଏନେଇ ସିଏମ୍‌ସି କମିସନର ଅନନ୍ୟା ଦାସ ସର୍କୁଲାର୍ ଜାରି କରିଛନ୍ତି। ଟିକସ ଆଦାୟକାରୀ କେତେ ଟିକସ ଆଦାୟ କଲେ ସେ ସମ୍ପର୍କରେ ଡେପୁଟି କମିସନରଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରେ ଏହାକୁ ଇ-ମ୍ୟୁନିସିପାଲଟି ପୋର୍ଟାଲରେ ଅପ୍‌ଲୋଡ କରାଯିବ।

ଟିକସ ଦେଣନେଣରେ ବ୍ୟାପକ ଜାଲିଆତିକୁ ନେଇ ପୂର୍ବରୁ ବହୁ ଟିକସ ଆଦାୟକାରୀ ସସ୍‌ପେଣ୍ଡ ହୋଇଛନ୍ତି। କିଏ ଟିକସ ଆଦାୟ କରି ସିଏମ୍‌ସିରେ ପୈଠ କରିନଥିବ ତ’ କିଏ ଟିକସଦାତାଙ୍କୁ ନକଲି ରସିଦ୍‌ ଦେଇ ଟଙ୍କା ହଜମ୍ କରିଦେଇଥିବାର ଅଭିଯୋଗ ହୋଇ ଆସିଛି।

ଶେଷ ଥର ପାଇଁ ଗତବର୍ଷ ଅଗଷ୍ଟରେ ଏଭଳି ଏକ ଘଟଣା ପୂର୍ବତନ ସିଏମ୍‌ସି କମିସନର ବିକାଶ ମହାପାତ୍ରଙ୍କ ଦୃଷ୍ଟିକୁ ଆସିଥିଲା। ଏ ନେଇ ସେତେବେଳେ ଜଣେ ଟିକସ ଆଦାୟକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ଥରେ ନୁହେଁ, ସିଏମ୍‌ସିରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଥିବା ବେଳେ ଇ-ବ୍ୟବସ୍ଥାରେ ସିଏମ୍‌ସି ସମ୍ପୂର୍ଣ୍ଣ ଭାବେ ସାମିଲ୍ ହୋଇପାରି ନଥିଲା। କେବଳ କଲ୍ୟାଣ ମଣ୍ଡପ, ସହିଦଭବନ ବୁକିଂ ଏବଂ ବିବାହ ସାର୍ଟିଫିକେଟ୍ ପାଇଁ ଅନଇନ୍ ବ୍ୟବସ୍ଥା ଥିଲା। କିନ୍ତୁ ଟିକସ ଦାଖଲ ଏବଂ ତତ୍‌ଜନିତ ସୂଚନା ସମ୍ପର୍କିତ କୌଣସି ତଥ୍ୟ ସିଏମ୍‌ସି ୱେବ୍‌ସାଇଟରୁ ମିଳୁ ନଥିଲା। ଯଦିଓ ଏହାପୂର୍ବରୁ ଏ ଦିଗରେ ବହୁବାର କାଉନସିଲ୍ ଏବଂ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ବିଳମ୍ବରେ ହେଉ ପଛେ ନୂଆ କମିସନର ଆସିବା ପରେ ଇ-ମ୍ୟୁନିସିପାଲଟି ଯୋଜନା ସଫଳ ହେଉଛି। ଆଜି ଏନେଇ କମିସନର ଅନନ୍ୟା ଦାସ ସର୍କୁଲାର ଜାରି କରିଛନ୍ତି।

ନିଷ୍ପତ୍ତି ମୁତାବକ, ଏଣିକି ସିଏମ୍‌ସିର ସମସ୍ତ ଟିକସ କାରବାର ଇ-ମ୍ୟୁନିସିପାଲଟି ପୋର୍ଟାଲ ଜରିଆରେ ହେବ। ସିଏମ୍‌ସି ଡାଟା ଅପରେଟରଙ୍କ ସହାୟତାରେ ପ୍ରତ୍ୟେକ ଦିନ ଆଦାୟ କରୁଥିବା ଟିକସର ପରିମାଣ ଏବଂ ଟିକସଦାତାଙ୍କ ସବିଶେଷ ତଥ୍ୟ ଅପ୍‌ଲୋଡ କରିବେ।

ସେହିପରି ଟ୍ୟାକ୍ସ ଆଦାୟକାରୀ ପ୍ରତିଦିନ ଟିକସ ଆଦାୟର ରିପୋର୍ଟ ଡେପୁଟି କମିସନରଙ୍କ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। କେବଳ ସେତିକି ନୁହେଁ, ଆଗକୁ ଲୋକେ ସମସ୍ତ ପ୍ରକାରର ଟିକସ ଅନଲାଇନରେ ସିଧାସଳଖ ଦାଖଲ କରିବାକୁ ସୁଯୋଗ ପାଇବେ। ଫଳରେ ଟିକସ ଦାଖଲ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ ବୋଲି କୁହାଯାଉଛି।

Comment