ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଗତ ଜୁନ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦାବି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା କ୍ରମାଗତ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବାରୁ ଏହାକୁ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ଦାବି କରିଥିଲେ ନବୀନ। କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ‘ସ୍ୱତନ୍ତ୍ର ଫୋକସ୍‌ ଷ୍ଟେଟ’ ଦାବିକୁ ଅଗ୍ରାହ୍ୟ କରିଥିଲେ।

ସେ କହିଥିଲେ, ‘‘ଚତୁର୍ଦ୍ଦଶ ଅର୍ଥ କମିଶନ ସ୍ୱତନ୍ତ୍ର ଏବଂ ସାଧାରଣ ବର୍ଗ ରାଜ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ରଖି ନାହାନ୍ତି। ଏଣୁ ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ପ୍ରଚଳିତ ନାହିଁ।’’

୨୦୧୪ ଏବଂ ୨୦୧୯ ନିର୍ବାଚନୀ ଇସ୍ତାହାରରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଲ୍ଲେଖ କରିଥିଲା। ଓଡ଼ିଶାର ଦାବି ପୂରଣ ନହେବା ଯାଏଁ ସଂଗ୍ରାମ ଜାରି ରହିବ ବୋଲି ବିଜେଡି ନିର୍ବାଚନ ବେଳେ କହିଥିଲା। ଏହି ପ୍ରସଙ୍ଗକୁ ପ୍ରଚାର ବେଳେ ମଧ୍ୟ ବିଜେଡି ନେତାମାନେ ଏଜେଣ୍ଡା କରିଥିଲେ। ହେଲେ ଏହି ଦାବି ଅଗ୍ରାହ୍ୟ ହେବା ପରେ ବିଜେଡିର ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର ରହିଛି।

Comment