ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ପକ୍ଷରୁ ‘କମେନ୍ସମେଣ୍ଟ ଡେ’ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ବ୍ୟାଚ୍‌ ବିବିଏ-ଏଲଏଲବି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟର ଅଡିଟୋରିଅମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ ଏସ୍ ନାଇଡୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି  ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି  ପ୍ରଫେସର ଡକ୍ଟର ଏସ୍‌ ଡି ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଜଷ୍ଟିସ ଏ ଏସ୍ ନାଇଡୁ କହିଥିଲେ, ‘‘ମୁଁ ଯଦି ଛାତ୍ର ଜୀବନକୁ ଫେରି ପାରନ୍ତି ତାହାଲେ ନିଶ୍ଚୟ ପାଠ ପଢ଼ିବା ପାଇଁ ବିଜିୟୁକୁ ଚୟନ କରନ୍ତି। କାରଣ ବିଜିୟୁର କ୍ୟାମ୍ପସ ପାଠପଢ଼ା ପାଇଁ ବେଶ ଉପଯୋଗୀ। ଏହି ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ରହିଛି। ଛାତ୍ରଛାତ୍ରୀମାନେ ଆରାମରେ ଏଠାରେ ପାଠ ପଢ଼ି ପାରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏଠାରେ ଅଧ୍ୟୟନ ପାଇଁ ଭଲ ସୁବିଧା ରହିଛି।”

bgu “ଆଇନ୍ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଖରେ ସବୁବେଳେ ଶୃଙ୍ଖଳାଜ୍ଞାନ ରହିବା ନିହାତି ଆବଶ୍ୟକ। ଏହାସହ ସମସ୍ତ କ୍ଷେତ୍ରରେ ଆଇନ ବିଭାଗର ଛାତ୍ରଛାତ୍ରୀମାନେ ପ୍ରବୀଣ ହେବା ଆବଶ୍ୟକ,”  ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଏସ୍‌ ଡି ରାଓ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାକର ପଣ୍ଡା କହିଥିଲେ, ‘‘କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସମୟରେ ଅଧ୍ୟୟନ ପ୍ରତି ଯତ୍ନବାନ ହେବା ଦରକାର। କଠିନ ପରିଶ୍ରମ କଲେ ହିଁ ସେମାନଙ୍କୁ ସଫଳତା ମିଳିପାରିବ। ଆମ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଦେବାକୁ ଉଦ୍ୟମ କରୁଛି।’’

ଏହି ଅବସରରେ ସେ ବିବିଏ-ଏଲଏଲବି  ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଥିଲେ। ଏଥିରେ ବହୁ ଅଭିଭାବକ ମଧ୍ୟ ସାମିଲ ହୋଇଥିଲେ।

‘‘ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଅତ୍ୟାଧୁନିକ ତଥା ପେସାଦାର ପାଠ୍ୟକ୍ରମ ପ୍ରଦାନ କରିବାରେ ବିର୍ଲା ଗ୍ଲୋବାଲ ୟୁନିଭରସିଟି ଓଡ଼ିଶାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ନାଁ କରିପାରିଛି। ଏଠାରେ ଅଭିଜ୍ଞ ଶିକ୍ଷକମାନେ ଅଛନ୍ତି।ଗୁଣାତ୍ମକ ଶିକ୍ଷାଦାନ ଉପରେ ଆମେ ସବୁବେଳେ ଧ୍ୟାନ ଦେଇ ଆସୁଛୁ। ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଲାଇବ୍ରେରୀ ଏବଂ ଆଧୁନିକ କ୍ଲାସରୁମ୍ ମଧ୍ୟ ରହିଛି। ଶୈକ୍ଷିକ ବାତାବରଣ ଏହି ଶିକ୍ଷାନୁଷ୍ଠାନର ପରିଚୟ’’, କହିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଡକ୍ଟର ବି କେ ଦାସ।

ବିର୍ଲା ଗ୍ଲୋବାଲ ୟୁନିଭରସିଟିରେ ବିବିଏ-ଏଲ୍ଏଲବି ସହ ଏମବିଏ, ଜର୍ଣ୍ଣାଲିଜମ ଭଳି ପେସାଦାର ପାଠ୍ୟକ୍ରମ ମଧ୍ୟ ରହିଛି। ଏହାସହ ସୋସିଆଲ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍‌ ଏବଂ କମର୍ସ ଆଦି ବିଭାଗରେ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଧାକର ପଣ୍ଡା, କୁଳସଚିବ ଡକ୍ଟର ବି କେ ଦାସ ଏବଂ ବିର୍ଲା ଆଇନ ସ୍କୁଲର ଡିନ୍‌ ପ୍ରଫେସର ଡକ୍ଟର ଏଲ୍ କେ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Comment