ଓଡ଼ିଶାଲାଇଭ ବ୍ୟୁରୋ

୧୯୯୯ ମସିହା ମେ ୩ରୁ ଜୁଲାଇ ୨୬ରେ ରେ ହୋଇଥିବା କାରଗିଲ ଯୁଦ୍ଧରେ ଭାରତ ତା’ର ୫୨୭ ଜଣ ଯବାନଙ୍କୁ ହରାଇଥିଲା। ଏହି ବଳିଦାନକୁ ଆସନ୍ତା ଜୁଲାଇ ୨୬ରେ ୨୦ବର୍ଷ ପୂରିବ। ଏନେଇ ସାରା ଭାରତରେ ‘କାରଗିଲ ବିଜୟ ଦିବସ’ ପାଳନ କାରାଯିବ। ଓଡ଼ିଶା ମଧ୍ୟ ମନେ ପକାଇବ କାରଗିଲରେ ସହିଦ ହୋଇଥିବା ୧୩ ଓଡ଼ିଆ ଯବାନଙ୍କୁ।

କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଓଡ଼ିଆ ଯବାନମାନେ ହେଲେ ମେଜର ପଦ୍ମପାଣି ଆଚାର୍ଯ୍ୟ, ଗୋପିନାଥ ମହାରଣା, ରାଜକିଶୋର ସାହୁ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ନାଏକ ସଚ୍ଚିଦାନନ୍ଦ ମଲ୍ଲିକ, ମାନସ ରଞ୍ଜନ ସାହୁ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ସରଜିଆଣ୍ଟ ରାଜ କିଶୋର ସାହୁ, ଶ୍ରୀନିବାସ ପାତ୍ର, ସିଗନାଲ ମ୍ୟାନ ରଞ୍ଜନ ସାହୁ, ଗଙ୍ଗାରାମ ଦାସ, ବିଧୁରାମ, ନିରଞ୍ଜନ।

ମେଜର ପଦ୍ମପାଣି ଆଚାର୍ଯ୍ୟ ଓଡ଼ିଶାର ମୂଳବାସିନ୍ଦା ମାତ୍ର ପରେ ସେ ହାଇଦ୍ରାବାଦରେ ରହୁଥିଲେ।। ଯୁଦ୍ଧରେ ଶତ୍ରୁଙ୍କ ଅନୁପ୍ରବେଶକୁ ରୋକିବାକୁ ନିଜ ବଳିଦାନ ଦେଇଥିଲେ। ଦେଶ ପାଇଁ ଜୀବନ ଦେଇଥିବା ଏହି ଓଡ଼ିଆଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରାଯାଇଥିଲା।

ଏମାନଙ୍କ ମଧ୍ୟରେ ନିରଞ୍ଜନ ବେହେରାଙ୍କ କାହାଣୀ ଟିକେ ଅଲଗା ଥିଲା। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ପାନଗୁଡ଼ାଗାଁରେ ତାଙ୍କ ଘର। ମାଟ୍ରିକ ପରେ ମାତ୍ର ୧୬ ବର୍ଷ ବୟସରେ ଘରୁ ଲୁଚି କେଉଁ ଆଡ଼େ ଚାଲିଯାଇଥିଲେ। ପରେ ଭାରତୀୟ ସେନାରେ ଯୋଗ ଦେଇ ଦୀର୍ଘ ୧୨ବର୍ଷ ଧରି ପଞ୍ଚମ ପାରା ରେଜିମେଣ୍ଟରେ କାମ କରିଥିଲେ ନିରଞ୍ଜନ।

୧୯୯୯ ମସିହା ଜୁଲାଇ ୨୧ରେ ଘର ଲୋକ ନିରଞ୍ଜନଙ୍କ ଚିଠି ପାଇ ଜାଣିବାକୁ ପାଇଥିଲେ ତାଙ୍କ ପୁଅ ଭାରତୀୟ ସେନାରେ ଅଛନ୍ତି। ଠିକ ସେହି ବର୍ଷ ଓ ସେହି ମାସ ୨୩ ତାରିଖରେ ପୁଣି ଘର ଲୋକଙ୍କୁ ଖବର ଯାଇଥିଲା ଯେ ନିରଞ୍ଜନ କାରଗିଲ ଯୁଦ୍ଧରେ ସହିଦ ହୋଇଛନ୍ତି।

ଭାରତ-ପାକିସ୍ତାନ ସମ୍ପର୍କକୁ ଭଲ ରଖିବାକୁ ଦୁଇ ଦେଶ ଲାହୋରନାମାରେ ସ୍ଵାକ୍ଷାର କରିଥିଲେ। ଏହାକୁ ଖାତିର ନକରି ପାକିସ୍ତାନ ଅହିଂସା ଉପାୟରେ କାଶ୍ମୀର ଅଧିକାର କରିବାକୁ ଚେଷ୍ଟା କରିଥିଲା। ୧୯୯୯ ମସିହା ମେ ୩ରେ ପାକିସ୍ତାନର କିଛି ସୈନିକ ଏଲଓସି ଅତିକ୍ରମ କରି କାରଗିଲ ପାହାଡ଼କୁ କବଜା କରିଥିଲେ। ଏହାପରେ ପ୍ରାୟ ୨ମାସ ଧରି ଚାଲିଥିଲା କାରଗିଲ ଯୁଦ୍ଧ।

Salam Sahid

ଏଥିରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ମଧ୍ୟରେ କୋଡ଼ିଏ ଜଣ ଅଫିସର, ୨୩ ଜଣ ଜୁନିଅର କମାଣ୍ଡର ଅଫିସର, ୪୭୫ ଯବାନ ଥିଲେ। ୧୭୦୦ ପାଖାପାଖି ଆହତ ହୋଇଥିଲେ। ଏହି ଯୁଦ୍ଧ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି।

Comment