ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସ୍‌କୋଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ୍‌ ୱାଇଲ୍ଡ’ ସୋ’ରେ ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିମ୍‌ କାର୍ବେଟ ଜାତୀୟ ଉଦ୍ୟାନରେ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ମୋଦି ବିୟର ଗ୍ରୀଲ୍ସଙ୍କ ସହ ଆଲୋଚନା କରିଥିଲେ।

‘‘ଜଙ୍ଗଲରେ ସିଂହ, ବାଘଙ୍କ ଭଳି ହିଂସ୍ର ପଶୁଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ବିୟର ଗ୍ରୀଲ୍ସ ମୋଦିଙ୍କୁ କାଠରେ ଭାଲା ତିଆରି କରି ଦେଇଥିଲେ। କହିଥିଲେ ଯେ ଯଦି ବନ୍ୟଜନ୍ତୁ ସାମ୍ନାକୁ ଆସନ୍ତି ତାଙ୍କୁ ଏଥିରେ ମାରିଦେବେ। ଏହାର ଉତ୍ତରରେ ମୋଦି କହିଥିଲେ ବନ୍ୟଜନ୍ତୁଙ୍କୁ ମାରିବା ଆମ ସଂସ୍କୃତି ନୁହେଁ।’’

ଏହି ଉତ୍ତର ଶୁଣିବା ପରେ ବିୟର ଗ୍ରୀଲ୍ସ ତଟସ୍ଥ ହୋଇଥିଲେ। ମୋଦିଙ୍କୁ କହିଥିଲେ ଯେ ଆପଣ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ ଅଧିକ ଦିନ ବଞ୍ଚି ରହିବା ନିହାତି ଜରୁରୀ।

ଏହି ସୋ’ରେ ବିୟର ଗ୍ରୀଲ୍ସ ଏବଂ ମୋଦିଙ୍କ ଭିତରେ ପରିବେଶ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।

ମୋଦି କହିଥିଲେ, ‘‘ମଣିଷ ନିଜ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରି ଦେଉଛି। ଜୀବ ଜଗତ ପାଇଁ ପ୍ରକୃତିର ଅବଦାନ ବହୁତ କିଛି ରହିଛି। ହେଲେ ମଣିଷ ତାହା ବୁଝି ପାରୁନି।’’

ଜଙ୍ଗଲରେ ବୁଲି ବୁଲି ବିୟର ଗ୍ରୀଲ୍ସ ଏବଂ ମୋଦି ପରିବେଶ ଉପରେ ଆଲୋଚନା କରୁଥିଲେ। ଏହି ସମୟରେ ଏକ ନଦୀ ପଡ଼ିଲା। ନଦୀ ପାର୍ ହେବା ପାଇଁ ପ୍ଲାଷ୍ଟିକ ଏବଂ କିଛି ବାଉଁଶ ଯୋଗାଡ଼ କରି ଛୋଟ ଡଙ୍ଗା ତିଆରି କରିଥିଲେ। ଏଥିରେ ସେମାନେ ନଦୀ ପାର୍ ହୋଇଥିଲେ।

‘‘ଭାରତର ବିକାଶ ହେଉଛି ମୋର ଫୋକସ୍‌। ସବୁ ବର୍ଗର ଲୋକ କିପରି ସେମାନଙ୍କ ହକ୍‌ ପାଇବେ ସେ ଦିଗରେ ମୁଁ ଗୁରୁତ୍ୱ ଦେଉଛି। କାମରୁ ଫୁର୍‌ସତ୍ ମିଳେ ନାହିଁ। ଏହି ସୋ’ରେ ଆସିବା ପାଇଁ ମୁଁ ଛୁଟି ନେଇଛି’’, ବିୟର ଗ୍ରୀଲ୍ସଙ୍କୁ କହିଥିଲେ ମୋଦି।

‘ମ୍ୟାନ ଭର୍ସେସ୍‌ ୱାଇଲ୍ଡ’ ସୋ’ ରେ ବିୟର ଗ୍ରୀଲ୍ସଙ୍କ ସହ ମୋଦି ନଜର ଆସିଥିବାରୁ ଲୋକେ ଏହି ସୋ’ର ମଜା ନେଇଥିଲେ।

ଏହି ସ୍ପେଶାଲ ସୋ’କୁ ବିଶ୍ୱର ୧୮୦ଟି ଦେଶରେ ପ୍ରସାରଣ କରାଯାଇଥିଲା। ଭାରତରେ ଏହି ସୋ’ ୮ଟି ଭାଷା ହିନ୍ଦୀ, ମରାଠୀ, ମାଲାୟଲମ, ତେଲୁଗୁ, ତାମିଲ, କନ୍ନଡ, ବଙ୍ଗଳା ଭାଷାରେ ପ୍ରସାରଣ କରାଯାଇଥିଲା।

ଏହି ସୋ’ ସୋମବାର ରାତି ୯ଟାରେ ଡିସ୍‌କୋଭରି ଇଣ୍ଡିଆ, ଡିସ୍‌କୋଭରି ଏଚ୍‌ଡି ୱାର୍ଲ୍ଡ, ଡିସ୍‌କୋଭରି ସାଇନ୍ସ, ଡିସ୍‌କୋଭରି ଟର୍ବୋ, ଡିସ୍‌କୋଭରି କିଡ୍‌ସ, ଡିସ୍‌କୋଭରି ତାମିଲ, ଜେଇଇଟି ପ୍ରାଇମ୍‌, ଜେଇଇଟି ପ୍ରାଇମ୍‌ ଏଚ୍‌ଡି, ଆନିମଲ ପ୍ଲାନେଟ୍‌, ଆନିମଲ ପ୍ଲାନେଟ୍‌ ଏଚ୍‌ଡି ୱାର୍ଲ୍ଡ, ଟିଏଲ୍‌ସି ଏବଂ ଟିଏଲ୍‌ସି ୱାର୍ଲ୍ଡରେ ପ୍ରସାରଣ କରାଯାଇଥିଲା।

Comment