ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଗଗନ ଧଳଙ୍କୁ ଓଏଫ୍‌ଡିସି ଅଧ୍ୟକ୍ଷ ପଦ।

ସଚିବାଳୟ କରିଡରରେ ଗତ ୪୮ ଘଣ୍ଟା ଧରି ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଶେଷରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ଗଗନ ଧଳଙ୍କୁ ଓଏଫ୍‌ଡିସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

ଖାଲି ସେତିକି ନୁହେଁ, ଗଗନଙ୍କୁ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି। ହେଲେ ଗଗନ ଏହି ନୂଆ ଦାୟିତ୍ୱକୁ ଗ୍ରହଣ କରୁଛନ୍ତି ନା ନାହିଁ ତା’ ଉପରେ ନଜର ରହିଛି।

ସ୍ୱାଧୀନତା ଦିବଦରେ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିବା ସହ ନୂତନ ଦାୟିତ୍ୱ ପ୍ରଦାନ କରିଥିଲେ। କୃଷି ଉତ୍ପାଦନ କମିଶନର ଥିବା ଗଗନ ଧଳଙ୍କ ହାତରୁ ଦାୟିତ୍ୱ କାଢ଼ି ନେଇ ପ୍ରଦୀପ୍ତ ମହାପାତ୍ରଙ୍କୁ ଦେଇଥିଲେ।

ତେବେ ୧୯୮୫ ବ୍ୟାଚର ଆଇଏଏସ୍‌ ଅଫିସର ଗଗନ ଧଳଙ୍କୁ ସରକାର କେଉଁ ଦାୟିତ୍ୱ ଦେଲେ ତାହା ସ୍ପଷ୍ଟ କରି ନଥିଲେ। ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ଖବର ଆସିଲା ଯେ ଗଗନ କାର୍ଯ୍ୟକାଳ ଶେଷ ପୂର୍ବରୁ ଇସ୍ତଫା ଦେଇଛନ୍ତି। ଗଗନଙ୍କ ଭଳି ବରିଷ୍ଠ ଆଇଏଏସ୍‌ ଅଫିସର କାହିଁକି ଚାକିରି ଛାଡ଼ିଲେ ତାକୁ ନେଇ ଗଣମାଧ୍ୟମ କାରଣ ଖୋଜିଲା।

ଶୁକ୍ରବାର ସନ୍ଧ୍ୟାରେ ସଚିବାଳୟରୁ ଆଉ ଏକ ଖବର ଆସିଲା। ଗଗନ ଇସ୍ତଫା ନୁହେଁ, ଭିଆର୍‌ଏସ୍‌ ନେବାକୁ ଆବେଦନ କରିଥିବା କୁହାଗଲା। ବୋଧ ହୁଏ ଏହି କାରଣ ପାଇଁ ଗଗନଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇ ନଥିବା ଚର୍ଚ୍ଚା ହେଲା।

କିନ୍ତୁ ଶନିବାର ଅପରାହ୍‌ଣରେ ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ପୁଣି ବଡ଼ ଧରଣର ଅଦଳ ବଦଳ କରିଥିଲେ। ଏଥିରେ ଗଗନଙ୍କ ପାଳି ପଡ଼ିଥିଲା। ଗଗନଙ୍କୁ ରାଜ୍ୟ ସରକାର ଓଏଫ୍‌ଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି।

ଯଦି ଗଗନ ଭିଆର୍‌ଏସ୍‌ ପାଇଁ ଆବେଦନ କରିଛନ୍ତି ସରକାର ତାଙ୍କୁ ଏହି ନୂଆ ଦାୟିତ୍ୱ କାହିଁକି ଦେଲେ ବୋଲି ଏବେ ଚର୍ଚ୍ଚା ବଢ଼ାଇଛି। ତେବେ ଗଗନ ଏହି ନୂଆ ଦାୟିତ୍ୱକୁ ଗ୍ରହଣ କରୁଛନ୍ତି ନା ସରକାର ତାଙ୍କ ଭିଆର୍‌ଏସ୍‌ ଅନୁମତିରେ ମୋହର ମାରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment