ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଏମାର ମଠ ଉଚ୍ଛେଦ ବେଳେ ସାମ୍ନାକୁ ଆସିଲା ଗୁପ୍ତ ଭୂତଳ ଘର। ଏହି ଗୁପ୍ତ ଘରର ରହସ୍ୟକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।

ଭଙ୍ଗାହେଲା ଶ୍ରୀକ୍ଷେତ୍ର ପୁରୀର ଐତିହାସିକ ଏମାର ମଠ। ସିଂହଦ୍ୱାର ନିକଟରେ ଅବସ୍ଥିତ ଏହି ମଠ ହେଉଛି ଦୀର୍ଘ ୯୦୦ ବର୍ଷର ପୁରୁଣା। ପୁରୀକୁ ବିଶ୍ୱ ଐତିହରେ ପରିଣତ କରିବାକୁ ସରକାର ଘୋଷଣା କରିବା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣର ଉଚ୍ଛେଦ ଆରମ୍ଭ ହୋଇଛି। ସୋମବାର ଲଙ୍ଗୁଳି ମଠକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଥିବା ବେଳେ ଆଜି ଐତିହାସିକ ଏମାର ମଠକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି।

ଗୁରୁବାର ଏମାର ମଠ ଉଚ୍ଛେଦ ସମୟରେ ଏକ ଅଦ୍ଭୁତ ଘଟଣା ମିଳିଛି। ମଠ ଭିତରୁ ଏକ ଭୂତଳ ଘରକୁ ଠାବ କରାଯାଇଛି। ମଠ ମଧ୍ୟରେ ଏଭଳି ଗୁପ୍ତ କୋଠରୀ ବାହାରିବା ପରେ ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏହା ୩୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି।

ଅନେକ ବର୍ଷ ଧରି ଏହି ଭୂତଳ ଘର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଜଣାଯାଉଛି। ଏହି ଗୁପ୍ତ ଗୃହରେ ଆଲୋକ ସଂଯୋଗ ହୋଇନଥିବାରୁ ଏହି ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ପୂର୍ବରୁ ଏହି ଭୂତଳ ଗୃହରେ ଖାଦ୍ୟଶସ୍ୟ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖାଯାଉଥିବା ଖବର ଶୁଣିବାକୁ ମିଳୁଛି।

ଭୂତଳ ଘରର ରହସ୍ୟ

ଏନେଇ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର ମିଶ୍ର କହିଛନ୍ତି, “ଓଡ଼ିଶାରେ ଚୋଡ଼ଗଙ୍ଗ ଦେବଙ୍କ ଶାସନ ବେଳେ ଶ୍ରୀ ରାମାନୁଜ ପୁରୀ ଆସି ଏମାର ମଠକୁ ପ୍ରତିଷ୍ଠା କରିଥିଲେ। ଅଖଣ୍ଡ ଓଡ଼ିଶାର ବହୁ ରାଜା ମହାରାଜାମାନେ ଏହି ମଠକୁ ବହୁ ଧନ ସମ୍ପତ୍ତି ଦାନ କରିଥିଲେ। ଏହି ସ୍ତାବର ଏବଂ ଅସ୍ତାବର ସମ୍ପତ୍ତିକୁ ଏହି ଭଳି ଭୂତଳ ଘରେ ରଖାଯାଉଥିଲା।”

ସୁରେନ୍ଦ୍ର ମିଶ୍ର ଆହୁରି ମଧ୍ୟ କହିଛନ୍ତି, “ପ୍ରକୃତରେ ଏହା ହେଉଛି ୬ତାଲା ବିଶିଷ୍ଟ ଘର। ଏଥିରେ ବିଭିନ୍ନ ଖାଦ୍ୟ ଶସ୍ୟ ରଖାଯାଉଥିଲା। ଜଗନ୍ନାଥଙ୍କ ଅବଢ଼ା ତଥା ପୁରୀ ଆସୁଥିବା ଭକ୍ତମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା ଏହି ଏମାର ମଠ ପକ୍ଷରୁ କରାଯାଉଥିଲା। ସେହିପରି ଓଡ଼ିଶାରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା, ଏମାର ମଠ ପକ୍ଷରୁ ଖାଇବା ଯୋଗାଇଦେଇ ଲୋକମାନଙ୍କ ବଞ୍ଚେଇଥିଲା। ତେଣୁ ଏମାର ମଠରେ ଏଭଳି କୋଠି ରହିବା ସ୍ୱାଭାବିକ।”

ପ୍ରକୃତରେ ଏହା କୌଣସି ଭୂତଳ ନୁହେଁ ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର ମିଶ୍ର। ସେ କହିଛନ୍ତି, “ପୂର୍ବରୁ ଏହା ଏକ ସାଧାରଣ କୋଠା ଭାବେ ନିର୍ମାଣ କରାଯାଇଥିଲା। ଦୀର୍ଘ ୯୦୦ ବର୍ଷ ପରେ ଅର୍ଥାତ୍‌ ବର୍ତ୍ତମାନ ସମୟରେ ରାସ୍ତା ଉଚ୍ଚତା ବଢ଼ିଥିବାରୁ ଏହି କୋଠା ମାଟି ତଳକୁ ଚାଲିଯାଇଛି। ଯାହାକୁ ଏବେ ଭୂତଳ ଘର ବୋଲି କୁହାଯାଉଛି।”

ପୂର୍ବରୁ ଏମାର ମଠରୁ ବାହାରିଥିଲା ରୂପା ଇଟା

୨୦୧୧ ମସିହାରେ ଏହି ଏମାର ମଠ ଚର୍ଚ୍ଚାରେ ରହିଥିଲା। ମଠରୁ ରୂପା ଇଟା ବାହାରିବା ପରେ ଚାରିଆଡ଼େ ଆଲୋଡ଼ନ ଖେଳି ଯାଇଥିଲା। ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମଠରେ ଖୋଳତାଡ଼ କରି ପ୍ରାୟ ୫୨୨ ଖଣ୍ଡ ରୂପା ଇଟା ଠାବ କରିଥିଲା। ଏହାର ମୂଲ୍ୟ ୯୦ କୋଟି ଟଙ୍କା ହେବ ବୋଲି ସେତେବେଳେ ଆକଳନ କରାଯାଇଥିଲା।

Comment