ଓଡ଼ିଶାଲାଇଭ୍‌ ବ୍ୟୁରୋ 

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସୁଦୂର ଓଡିଶାରୁ ଆସୁଥିବା ତଥା ବିଶାଖାପାଟଣାରେ ରହୁଥିବା ଓଡ଼ିଆ ରୋଗୀଙ୍କ ଚିକିତ୍ସା ପାଇଁ  ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏକ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହି ରକ୍ତଦାନ ଶିବିର ବିଶାଖାପାଟଣାର ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଉତ୍କଳ ସାଂସ୍କୃତିକ ସମାଜ’ ଓ ଲାଇଫ ସେର ବ୍ଲଡ଼ ବ୍ୟାଙ୍କ ଆନୁକୂଲ୍ୟରେ ସହରର ଦଶପଲ୍ଲା ହିଲସ ନିକଟ ଜଗନାଥଙ୍କ ମନ୍ଦିରରେ ଆୟୋଜନ କରାଯାଇଥିଲା।

ଓଡିଶାରୁ ପ୍ରତ୍ୟେକ ଦିନ ବହୁ ଓଡ଼ିଆ ଚିକିତ୍ସା ପାଇଁ ବିଶାଖାପାଟଣାର ବିଭିନ୍ନ ବିଭିନ୍ନ ଘରୋଇ ହସ୍ପିଟାଲ ଭର୍ତି ହେଉଛନ୍ତି। ବହୁ ଓଡ଼ିଆ ରୋଗୀଙ୍କ ଅପେରସନ ପାଇଁ ଆବଶ୍ୟକୀୟ ରକ୍ତ ଅଭାବରୁ ଚିକିତ୍ସାରେ ବିଳମ୍ବ ହେଉଛି ଏବଂ ବହୁ ରୋଗୀ ରକ୍ତ ଯୋଗାଡ଼ କରିନପାରି ବିଶାଖାପାଟଣାରେ ଠକେଇର ଶିକାର ଶିକାର ହେଉଛନ୍ତି।

ଏଣୁ ରୋଗୀମାନଙ୍କୁ ଠିକ ସମୟରେ ରକ୍ତ ଯୋଗାଡ କରିବା ସହ ସେମାନଙ୍କ ସୁବିଧାଜନକ ଚିକିତ୍ସା ପାଇଁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ସଂଗଠନର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।

ଜିତେନ୍ଦ୍ର କୁମାର ନାୟକ କହିଛନ୍ତି, “ଓଡିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନେ ରକ୍ତର ଆବଶ୍ୟକତା ସମୟରେ ସିଧାସଳଖ ଦଶପଲ୍ଲା ହିଲସ ନିକଟ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ଯୋଗାଯୋଗ କରିଲେ ସେମାନଙ୍କୁ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଆବଶ୍ୟକୀୟ ରକ୍ତ ବିନା ମୂଲ୍ୟରେ ପ୍ରଦାନ କରାଯିବ।”

ପ୍ରତ୍ୟେକ ବର୍ଷ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଗୋଟିଏ ବ୍ଲଡ଼ ବ୍ୟାଙ୍କରେ ଗଛିତ ରଖାଯାଇଛି। ଯେକୌଣସି ଗରିବ ରୋଗୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସହ ସମ୍ପର୍କ କରିଲେ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ ସହ ଜଗନ୍ନାଥ ମନ୍ଦିରରେ ବିନା ମୂଲ୍ୟରେ ରହିବା ଓ ଖାଇବା ସୁବିଧା ପ୍ରଦାନ କରାଯିବ ବୋଲି ସଂଗଠନର ସଭାପତି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ଆଜିର ଏହି ରକ୍ତଦାନ ଶିବିରରେ ଉତ୍କଳ ସାଂସ୍କୃତିକ ସମାଜର ବହୁ ପୁରୁଷ ଓ ମହିଳା ସଦସ୍ୟ ଯୋଗ ଦେଇଥିଲେ। ଆଜି ଏହି ରକ୍ତଦାନ ଶିବିରରେ ୫୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ବିଶାଖାପାଟଣାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ସବୁ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟକୁ  ବାହାର ରାଜ୍ୟରେ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଏଥିପାଇଁ ଏଠାକାର ପ୍ରବାସୀ ଓଡ଼ିଆମାନେ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। କିନ୍ତୁ ଆଜି ଗୋଟିଏ ପାଦ ଆଗକୁ ବଡ଼ି ସୁଦୂର ଓଡିଶାରୁ ଚିକିତ୍ସା ପାଇଁ ବିଶାଖାପାଟଣା ଆସୁଥିବା ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରବାସୀ ଓଡ଼ିଆ।

ପ୍ରତ୍ୟେକ ଦିନ ଶହ ଶହ ରୋଗୀ ବିଶାଖାପାଟଣା ଆସୁଛନ୍ତି। ବହୁ ରୋଗୀଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ରହିଥିବା ବେଳେ କିଛି ଆର୍ଥିକ ଅନାଟନରେ ଆବଶ୍ୟକୀୟ ଚିକିତ୍ସା କରିନପାରି ଭଗବାନଙ୍କ ଭରସାରେ ଏଠାରୁ ଚାଲିଯାନ୍ତି। ଏହିପରି ଗରିବ ଓଡ଼ିଆ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇବା ସହ ସେମାନଙ୍କୁ ବିନା ମୂଲ୍ୟରେ ରହିବା, ଖାଇବା ସହ ଆବଶ୍ୟକ ସ୍ଥଳେ ବିନା ମୂଲ୍ୟରେ ରକ୍ତ ଯୋଗାଇ ଦେବାପାଇଁ ବିଶଖାପାଟଣାର ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ଆଗେଇ ଆସିଛି।

Comment