ଓଡ଼ିଶାଲାଇଭ୍‌ ବ୍ୟୁରୋ

କବାଲି ସଂଙ୍ଗୀତର ମହାରାଜା ଭାବେ ପରିଚିତ ପାକିସ୍ତାନୀ ଗାୟକ ଉସ୍ତାଦ ନୁସରତ ଫତେ ଅଲ୍ଲୀ ଖାନ। ଯାହାଙ୍କ ସଙ୍ଗୀତ ଭାରତରେ ମଧ୍ୟ ବେଶ୍‌ ଲୋକପ୍ରିୟ। ବଲିଉଡର ଅଧିକାଂଶ ଗୀତ ତାଙ୍କର କବାଲିରୁ ସଂଗୃହୀତ ହୋଇଛି। ଆଜି ଏହି ମହାନ ସଙ୍ଗିତଜ୍ଞଙ୍କ ଜନ୍ମ ଦିବସ।

୧୯୪୮ ମସିହା ଅକ୍ଟୋବର ୧୩ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ନୁସରତ ଫତେ ଅଲ୍ଲୀ ଖାନ। ଭାରତ ଓ ପାକିସ୍ତାନ ଅଲଗା ହୋଇ ସ୍ୱାଧୀନ ହେବାପରେ ସ୍ୱାଧୀନ ପାକିସ୍ତାନରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଫତେ ଅଲ୍ଲୀ ଖାନ ମଧ୍ୟ ଥିଲେ ଜଣେ ବଳିଷ୍ଠ ସଙ୍ଗୀତକାର। ଛୋାଟବେଳୁ ନିଜ ପିତାଙ୍କଠାରୁ ପ୍ରେରଣା ପାଇ ନୁସରତ୍ କବାଲି ସଙ୍ଗୀତରେ ନିଜକୁ ନିୟୋଜିତ କରିଥିଲେ।

ଉସ୍ତାଦ ନୁସରତ ଫତେ ଅଲ୍ଲୀ ଖାନଙ୍କୁ କବାଲି ସଙ୍ଗୀତର ବାଦଶାହ୍ ବୋଲି କୁହାଯାଏ। ଏହାସହ ବିଶ୍ୱରେ ସେ ତାଙ୍କର ଖାସ୍ ଅନ୍ଦାଜର ସୁଫି ସଙ୍ଗୀତ ପାଇଁ ବେଶ୍ ପରିଚିତ। ତାଙ୍କୁ ଜାପାନରେ ସିଙ୍ଗିଙ୍ଗ୍ ବୁଦ୍ଧ ବୋଲି ମଧ୍ୟ କୁହାଯାଏ।

ବଲିଉଡର କେତେକ ଗୀତରେ ସେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ଏହାସହ ତାଙ୍କ କବାଲି, ସୁଫି ସଙ୍ଗୀତକୁ ଆଧାର କରି ବଲିଉଡ ଫିଲ୍ମର ଅନେକ ଗୀତ ତିଆରି କରାଯାଇଛି। ବଲିଉଡ୍ ଫିଲ୍ମ ରାଜା ହିନ୍ଦୁସ୍ଥାନୀ(୧୯୯୬), ଧଡକନ୍(୨୦୦୦), ଗୁରୁ(୨୦୦୭), ମୋହରା(୧୯୯୪) ଆଦି ଫିଲ୍ମରେ ତାଙ୍କର ଗୀତ ଶୁଣିବାକୁ ମିଳିଥାଏ।

୧୯୯୭ ମସିହାରେ ଉସ୍ତାଦ ନୁସରତ ଆର ପାରିକୁ ଚାଲିଯାଇଥିଲେ। ହେଲେ ସାରା ବିଶ୍ୱରେ ଆଜି ବି ଅନେକ ବ୍ୟକ୍ତି ତାଙ୍କ ସଙ୍ଗୀତକୁ ଶୁଣୁଛନ୍ତି। ସଙ୍ଗୀତ ପ୍ରତି ତାଙ୍କର ଅବଦାନପାଇଁ ୧୯୯୬ ମସିହାରେ ତାଙ୍କୁ ୟୁନେସ୍କୋ ତରଫରୁ ସଙ୍ଗୀତ ପୁରସ୍କାର ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ବର୍ତ୍ତମାନ ବଲିଉଡ୍‌ରେ ଛାଇଯାଇଥିବା ପାକିସ୍ତାନ ଗାୟକ ରାହତ ଫତେ ଅଲ୍ଲୀ ଖାନ୍‌ ହେଉଛନ୍ତି ଉସ୍ତାଦ ନୁସରତ ଫତେ ଅଲ୍ଲୀ ଖାନଙ୍କ ପୁତୁରା।

Comment