ଜଗନ୍ନାଥ ପ୍ରସାଦ ଦାସ

ଲେଖାଲେଖି ପ୍ରାୟ ବନ୍ଦ କରିଦେଇଥିବା ବୟସ୍କ ଲେଖକକୁ ଯଦି ‘ଆପଣ ଲେଖୁନାହାନ୍ତି କାହିଁକି’ ବୋଲି ପଚରାଯାଏ, ତା’କୁ ନିଶ୍ଚୟ କଷ୍ଟ ହୁଏ। କିନ୍ତୁ ଯଦି କିଏ ପଚାରେ ‘ଆପଣ ଲେଖୁଛନ୍ତି କାହିଁକି’ ତା’କୁ ଆହୁରି ବେଶି କଷ୍ଟ ହୁଏ, କାରଣ ଏଥିରେ ଉହ୍ୟ ରହିଲା ଯେ ବର୍ତ୍ତମାନ ସେ ଯାହାସବୁ ଲେଖୁଛି ତା ନିମ୍ନମାନର।

ବିଭିନ୍ନ ପ୍ରକାରର ପେସାରେ ପ୍ରବେଶ ଓ ଅବସର ବୟସର ସୀମା ଥିବା ବେଳେ ଲେଖକ ପାଇଁ ଏ ଭଳି କୌଣସି ନିୟମ ନାହିଁ। ସାହିତ୍ୟରେ ଆଗ୍ରହ ରଖୁଥିବା ପିଲାମାନେ ନିଜର ସ୍କୁଲ ଦିନରୁ ହିଁ କବିତା(ଗପ ନୁହେଁ) ଲେଖିବା ଆରମ୍ଭ କରିଦିଅନ୍ତି। ଏ ସବୁ କିନ୍ତୁ କେବଳ ନିଜର ଆତ୍ମସନ୍ତୋଷ ପାଇଁ ଲେଖା, କଳ୍ପନାରେ ପ୍ରେମ କରୁଥିବା ଝିଅ ବା ପୁଅଟି ପାଇଁ ଅଥବା ନିଜର ଆଶା ନିରାଶାକୁ ନେଇ। ଏ ସବୁ ଲେଖା ବାକ୍ସରେ ବନ୍ଦ ହୋଇ ରହନ୍ତି ଓ କାଳକ୍ରମେ ହଜିଯା’ନ୍ତି।

ଏହି ପିଲାଟି ଯଦି ପରବର୍ତ୍ତୀ ସମୟରେ ଜଣାଶୁଣା ଲେଖକ ହୋଇଯାଏ, ତା’ର ପ୍ରାଥମିକ ଲେଖା ସବୁ ଖୋଜା ଲୋଡ଼ା ହୁଏ। ଏହି ପ୍ରକାର କିଶୋର ରଚନା ପାଇଁ ଇଂରେଜୀରେ ଶବ୍ଦ ଅଛି ଜୁଭେନିଲିଆ। ଲେଖକମାନେ ଏହି ପିଲାଳିଆ ଲେଖାସବୁକୁ ଲୁଚାଇ ରଖନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ କୁଶଳ ଗବେଷକମାନେ ତା’କୁ ଖୋଜି ବାହାର କରି ସର୍ବସମକ୍ଷକୁ ଆଣନ୍ତି।

 ଇଂରେଜୀ କବି ଇଲିଅଟ

ଇଂରେଜୀ କବି ଇଲିଅଟ ୧୬ରୁ ୨୨ ବର୍ଷ ଭିତରେ ଯେଉଁ ସବୁ କବିତା ଲେଖିଥିଲେ ଏବଂ ଯାହାକୁ ସେ ନିଜ ଜୀବନକାଳରେ ବହିରେ ପ୍ରକାଶ କରି ନ ଥିଲେ, ତାଙ୍କୁ ମୃତ୍ୟୁ ପରେ ସେ ସବୁ ସଂକଳିତ ହେଲା Poems Written in Early Youth ନାଁରେ। ଏବଂ କିଛି ସମୀକ୍ଷକ ଏ କଥା ମଧ୍ୟ କହିଲେ ଯେ ଏ କବିତାମାନ ତାଙ୍କର ପରବର୍ତ୍ତୀ କବିତାଠାରୁ କୌଣସି ଭାବେ ନ୍ୟୂନ ନୁହନ୍ତି।

କବିମାନେ ପ୍ରାୟ କିଶୋର ବୟସର କବିତାକୁ ନିଜର କବିତା ସଂକଳନରେ ରଖନ୍ତି ନାହିଁ। ଏ କଥାର ମଧ୍ୟ ବ୍ୟତିକ୍ରମ ଅଛି। ରବୀନ୍ଦ୍ର ନାଥ ଠାକୁର ୧୬ ବର୍ଷ ବୟସରେ ଛଦ୍ମନାମରେ ଲେଖିଥିବା ଭାନୁସିଂହେର ପଦାବଳୀ ସବୁ ସମୟରେ ତାଙ୍କର କୃତି ମଧ୍ୟରେ ସ୍ଥାନ ପାଇଛି। ଏହି ବହିଟି ପ୍ରକାଶ ହେବା ପରେ ପରେ କୁଆଡ଼େ ଜଣେ ଗବେଷକ ଏହି ବହି ସମେତ ବୈଷ୍ଣବ କବିତା ଉପରେ ଗବେଷଣା କରି ଜର୍ମାନୀରୁ ପିଏଚ୍‌ଡି ପାଇଥିଲେ। ଭାନୁସିଂହ ପଦାବଳୀ ରବୀନ୍ଦ୍ରନାଥ ଗ୍ରନ୍ଥାବଳୀରେ ସମ୍ମାନର ସ୍ଥାନ ପାଇଥାଏ।

ଅନ୍ୟ କେତେକ ଲେଖକ ପରବର୍ତ୍ତୀ ଜୀବନରେ ନିଜର ପୁରୁଣା ଲେଖା ଖୋଜୁଥିବାର ଉଦାହରଣ ମଧ୍ୟ ଅଛି। ହେମିଙ୍ଗୱେଙ୍କର ପିଲାଦିନର ଲେଖା ହଜି ଯାଇଥିବାରୁ ସେ ଏଜରା ପାଉଣ୍ଡଙ୍କୁ ଦୁଃଖ କରି ଜଣାଇଥିଲେ। ଉତ୍ତରରେ ପାଉଣ୍ଡ ଲେଖିଲେ, ଏହା ଈଶ୍ୱରଙ୍କ ଇଚ୍ଛା। ପିଲାଳିଆ ଲେଖା ହଜିଯିବାରେ କେବେ କାହାରି ବିଶେଷ କ୍ଷତି ହୋଇନାହିଁ।

ଏଡ୍‌ଗାର ଆଲାନ୍ ପୋ

କିଛି ଲେଖକ ନିଜର ଅଳ୍ପ ବୟସର ଲେଖାରେ ହିଁ ନାଁ କରିଥାନ୍ତି। ଏଡ୍‌ଗାର ଆଲାନ୍ ପୋ ୧୪ ବର୍ଷ ବୟସରେ ଲେଖିଥିବା ’ହେଲେନ’ କବିତାକୁ ଆମେରିକା ସାହିତ୍ୟର ଏକ ଶ୍ରେଷ୍ଠ ଗୀତି କବିତା ବୋଲି କୁହାଯାଏ। ଫରାସୀ କବିତାର ଗତିଧାରା ବଦଳାଇ ଦେଇଥିବା କବି ରାଁବୋ ନିଜର ସବୁ କବିତା ଲେଖି ସାରିଥିଲେ ୧୯ ବର୍ଷ ପୂରିବା ଆଗରୁ; ତା’ ପରେ ସେ କବିତା ଲେଖିବା ଛାଡ଼ି ଦେଲେ। ଡିଲାନ୍ ଟମାସ୍ ୧୮ରୁ ୨୦ ବର୍ଷ ଭିତରେ ତାଙ୍କର ଅଧାଅଧି କବିତା ଲେଖିସାରିଥିଲେ। ପ୍ରୁଫ୍‌ରକ ଲେଖିଲା ବେଳକୁ ଇଲିଅଟଙ୍କର ବୟସ ଥିଲା ୨୩। ମେରି ଶେଲି Frankenstein ଲେଖିଥିଲେ ୨୧ ବର୍ଷ ବୟସରେ। ବଙ୍ଗଳାର ବିପ୍ଳବୀ କବି ସୁକାନ୍ତ ଭଟ୍ଟାଚାର୍ଯ୍ୟ ମାତ୍ର ୨୧ ବର୍ଷ ବଞ୍ଚିଥିଲେ।

ଏହାର ବିପରୀତ କିଛି ଲେଖକ ଡେରିରେ ଲେଖା ଆରମ୍ଭ କରନ୍ତି। ଓ୍ୱାଲେସ ଷ୍ଟିଭେନ୍ସଙ୍କର ପ୍ରଥମ ବହି ବାହାରିଲା ତାଙ୍କୁ ଯେତେବେଳେ ୪୩ ବର୍ଷ, ରବର୍ଟ ଫ୍ରଷ୍ଟଙ୍କର ବାହାରିଲା ୩୯ ବର୍ଷରେ। ଆମର ଫକୀର ମୋହନ ତାଙ୍କର ପ୍ରଥମ ଉପନ୍ୟାସ ଲେଖିଲେ ୫୪ ବର୍ଷ ବୟସରେ। ଜୟନ୍ତ ମହାପାତ୍ର ପ୍ରଥମ କବିତା ଲେଖିଲେ ୪୨ ବର୍ଷ ବୟସରେ।

ବର୍ତ୍ତମାନ ଦେଖାଯାଉ ଲେଖକମାନେ କେଉଁ ବୟସରେ ଲେଖାରୁ ଅବସର ନେଇଛନ୍ତି। ୩୭ ବର୍ଷ ବୟସରେ କବି ଓ୍ୱର୍ଡସଓ୍ୱର୍ଥ ଲେଖା ଛାଡ଼ିଦେଲେ; ଏହାପରେ  ସେ ଆହୁରି ୪୩ ବର୍ଷ ବଞ୍ଚିଥିଲେ ଏବଂ କିଛି ବାଜେ କବିତା ଲେଖିଥିଲେ। ଇଲିଅଟ ସାହିତ୍ୟିକ ଜୀବନରୁ ଅବ୍ୟାହତି ନେଲେ ୫୪ ବର୍ଷ ବୟସରେ; ଏହାପରେ ସେ ଆହୁରି ୨୩ ବର୍ଷ ବଞ୍ଚିଥିଲେ। Moby Dickର ଲେଖକ ମେଲ୍‌ଭିଲ୍ ଜୀବନର ଶେଷ ୩୪ ବର୍ଷ କିଛି ବି ଲେଖି ନଥିଲେ। ଆମର ବାମପନ୍ଥୀ କବି ରଘୁନାଥ ଦାସ(ଜଟାୟୁ) ଅଧା ବୟସରେ ଲେଖାଲେଖି ସଂପୂର୍ଣ୍ଣ ଛାଡ଼ି ଦେଇଥିଲେ। ସେହିଭଳି ବଙ୍ଗଳାର ବାମପନ୍ଥୀ କବି ସମର ସେନ ୩୦ ବର୍ଷ ବୟସରେ କବିତା ଲେଖା ଛାଡ଼ି ଦେଇ ସାମ୍ବାଦିକତାରେ ମନ ଦେଲେ। ଏପରି ଏକ ହିସାବ କରି ଦେଖାଯାଇଛି ଯେ ବିଶିଷ୍ଟ ଲେଖକମାନେ ପ୍ରାୟ ୪୯ ବର୍ଷ ବୟସରେ ଲେଖାରୁ ସନ୍ନ୍ୟାସ ନେଇଛନ୍ତି।

ଏହାର ଓଲଟା ହେଉଛନ୍ତି ଦାନ୍ତେ, ଚସର୍, ଗେଟେ, ଟଲଷ୍ଟୟ, ଜେମ୍‌ସ୍‌ ଜୟେସ୍ ଓ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ। ବର୍ନାର୍ଡ ଶ’ ତାଙ୍କର ପ୍ରଥମ ନାଟକ ଲେଖିଥିଲେ ୩୬ ବର୍ଷ ବୟସରେ ଓ ଶେଷ ନାଟକ ୯୪ ବର୍ଷ ବୟସରେ, ମୃତ୍ୟୁର କିଛି ମାସ ପୂର୍ବରୁ। ଟେନିସନଙ୍କର ଲେଖକ ଜୀବନ ଥିଲା ୬୫ବର୍ଷ; ପ୍ରଥମ କବିତା ୧୮ ବର୍ଷ ବୟସରେ ଓ ଶେଷ ୮୩ ବର୍ଷ ବୟସରେ। ରବୀନ୍ଦ୍ରନାଥ ଦୀର୍ଘକାଳ ଧରି ଲେଖିବାର ଉଦାହରଣ। ସେ ମୃତ୍ୟୁର ଦଶଦିନ ପୂର୍ବରୁ ୮୦ବର୍ଷ ବୟସରେ ଗୋଟିଏ ୩୩ଟି ଶବ୍ଦର ସଂପୂର୍ଣ୍ଣ କବିତା ଲେଖିଥିଲେ।

ଫଷ୍ଟର୍

ଆଉ କିଛି ଲେଖକ ପୁଣି ମଝି ଜୀବନରେ ତାଙ୍କ ଲେଖାର ଗତି ବଦଳାଇ ଦେଇଥିବାର ଉଦାହରଣ ଅଛି। ଫଷ୍ଟର୍ ତାଙ୍କର A Passage to India ଲେଖିଥିଲେ ୪୫ବର୍ଷ ବୟସରେ; ସେ ୯୧ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିଥିଲେ ମଧ୍ୟ ଆଉ ଉପନ୍ୟାସ ଲେଖି ନଥିଲେ। ଯଦିଓ ଅଧିକାଂଶ ଲେଖକ ପ୍ରଥମେ କବିତା ଲେଖି ପରବର୍ତ୍ତୀ ସମୟରେ ଗଦ୍ୟକୁ ଯାଇଥାନ୍ତି, ଟମାସ ହାର୍ଡି ୩୦ ବର୍ଷ ଗଦ୍ୟ(ଉପନ୍ୟାସ) ଲେଖିବା ପରେ ଆହୁରି ୩୦ବର୍ଷରେ ୧୦୦୦ଟି କବିତା ଲେଖିଥିଲେ। ଆଉ କିଛି ଲେଖକ ଦୀର୍ଘ ସମୟ ଲେଖା ଛାଡ଼ି ଦେଇ ପୁଣି ଲେଖାକୁ ଫେରି ଆସିଛନ୍ତି। ଫରାସୀ କବି ପଲ୍ ଭ୍ୟାଲେରି ୨୦ ବର୍ଷ ଲେଖା ଛାଡ଼ିବା ପରେ ସାହିତ୍ୟକୁ ଫେରିଥିଲେ।

ମୁଁ ଜାଣୁଛି ଯେ ଏହି ଲେଖାଟି ବର୍ତ୍ତମାନ ଉଦାହରଣ ଓ ପରିସଂଖ୍ୟାନରେ ଭାରାକ୍ରାନ୍ତ ଓ କ୍ଳାନ୍ତିକର ହୋଇଯାଇଛି। ତେବେ ଏହି ବିବରଣୀରୁ ଜାଣି ହେବ କିପରି ଲେଖକ ଜୀବନର କୌଣସି ବୟସ ସୀମା ଓ ନିୟମିତତା ନାହିଁ। ଲେଖକ ଯେଉଁ ବୟସରେ ଲେଖା ଆରମ୍ଭ କରିବ ଓ କେଉଁ ବୟସରେ ଅବସର ନେବ ତା’ର ନୀତିନିୟମ ନାହିଁ। ଆହୁରି ଗୋଟିଏ ଲକ୍ଷ୍ୟ କରିବାର କଥା ଯେ ଉଦାହରଣମାନ ବିଶେଷରେ ପାଶ୍ଚାତ୍ୟ ଦେଶର ଲେଖକମାନଙ୍କ ବିଷୟରେ। ଏହାର କାରଣ ସେମାନଙ୍କ ବିଷୟରେ ଆମେ ସହଜରେ ଯେତେ ବ୍ୟକ୍ତିଗତ ତଥ୍ୟ ପାଉ ଆମ ଦେଶର ଲେଖକମାନଙ୍କ କ୍ଷେତ୍ରରେ ତାହା ଉପଲବ୍ଧ ନୁହେଁ। ଆମ ଓଡ଼ିଆ ଲେଖକମାନଙ୍କ ବିଷୟରେ ଏହି ତଥ୍ୟ ଆହୁରି କମ୍। ତେବେ ଯେଉଁମାନେ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଲେଖକମାନଙ୍କ ବିଷୟରେ ଅବଗତ ଓ ସଚେତନ, ସେମାନେ ବୋଧହୁଏ ଆମର ବୟସ୍କ ଓ ପ୍ରସିଦ୍ଧ ଲେଖକମାନଙ୍କୁ ବିଭିନ୍ନ ଖୋପରେ ଖଂଜି ଦେଇପାରିବେ।

ଉପର ଉଦାହରଣମାନଙ୍କରୁ ଦେଖାଗଲା ଯେ କୈଶୋରାବସ୍ଥାରୁ ପ୍ରୌଢ଼ାବସ୍ଥା ପର୍ଯ୍ୟନ୍ତ ଯେ କୌଣସି ସମୟରେ ଲେଖକ ଜୀବନ ଆରମ୍ଭ କରାଯାଇପାରେ। ଗୁରୁତର ପ୍ରଶ୍ନଟି ହେଲା ଲେଖକ ତା’କୁ ଶେଷ କରିବ କେତେବେଳେ। ପ୍ରତ୍ୟେକ ଲେଖକକୁ ନିଜର ନିର୍ଣ୍ଣୟ ନେବାକୁ ହେବ ସେ କେତେବେଳେ ସନ୍ନ୍ୟାସ ନେବ। ବୟସ ବଢ଼ିବା ସଙ୍ଗେ ଅଧିକାଂଶ ଲୋକଙ୍କର ଶାରୀରିକ ସ୍ୱାସ୍ଥ୍ୟର ଅବନତି ଘଟିବା ସହ ଚିନ୍ତା, ମନନ ଓ ସୃଜନ ଶକ୍ତିର ମଧ୍ୟ ଅବନତି ଘଟେ। ଲେଖାର ଗୁଣବତ୍ତା ଉପରେ ଏହାର ପ୍ରଭାବ ପଡ଼େ। ଲେଖାରେ ଚମକ ଓ ସ୍ଫୂର୍ତ୍ତି କମିଯାଏ ଏବଂ କାଳକ୍ରମେ ଲେଖକ ନିଜର କଙ୍କାଳ ଓ କାର୍ଟୁନ ହୋଇ ରହିଯାଏ।

ନିଜର ଲେଖାର ମାନ ବିଷୟରେ ଲେଖକ ନିଜେ ନିର୍ଣ୍ଣାୟକ ହେବା ଉଚିତ। କିନ୍ତୁ ଦୁଃଖର ବିଷୟ ଯେ ପ୍ରସିଦ୍ଧି ପାଇବା ପରେ କିଛି ଲେଖକଙ୍କୁ ଇନ୍ଦ୍ର ଚନ୍ଦ୍ର ଦେଖାଯାନ୍ତି ନାହିଁ ଓ ସେମାନେ ମିଥ୍ୟା ଅଭିମାନରେ ନିଜ ଲେଖାର ଏକ ଅତିରଂଜିତ ଆକଳନ କରନ୍ତି। ସେମାନେ ଭାବନ୍ତି ଯେ ସେମାନେ ଯାହା ବି ଲେଖୁଛନ୍ତି, ସବୁ ପ୍ରଥମ ଶ୍ରେଣୀର ଓ ସର୍ବୋତ୍ତମ ଏବଂ ପାଠକମାନେ ତାକୁ ପିଇଯିବେ। ଏହି ଭ୍ରମାତ୍ମକ ଧାରଣା ନେଇ ସେମାନେ କୁଢ଼ କୁଢ଼ ଅପାଠ୍ୟ ଅସାହିତ୍ୟ ତିଆରି କରି ପାଠକଙ୍କ ଉପରେ ଲଦି ଦିଅନ୍ତି। କହିବା ବାହୁଲ୍ୟ ଯେ ପାଠକମାନେ ଏ ସବୁ ଲେଖାରୁ ମୁହଁ ବୁଲାଇ ଥୁ କରିଦିଅନ୍ତି। ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି କଥାକୁ ସାମାନ୍ୟ ଭିନ୍ନ ଭାବରେ ଦେଖିଛନ୍ତି ଏବଂ ଲେଖିଛନ୍ତି:

‘ଗୋଟିଏ ନିର୍ଦ୍ଦିଷ୍ଟ ସମୟ ପରେ ସବୁ ଲେଖକଙ୍କୁ ଲାଗେ ସେମାନେ ଯାହା ଲେଖୁଛନ୍ତି ତାହା ଅନ୍ୟଥା ପୁନର୍କଥନ। ଏପରି ଚିନ୍ତା ନ କରି ଯେଉଁମାନେ ମାଟି କାମୁଡ଼ିବା ଯାଏ ଲେଖି ଚାଲନ୍ତି, ସେମାନେ ଶେଷକୁ ଗୁଡ଼ାଏ repetition କରନ୍ତି।’’ (ଚେର, ଜୁଲାଇ ୨୦୧୫ସଂଖ୍ୟା)

ଏ ଭଳି ଲେଖକମାନେ ଅନେକ ସମୟରେ ସ୍ପଷ୍ଟୀକରଣ ଦେଇଥାନ୍ତି ଯେ ସାହିତ୍ୟ ପତ୍ରିକାର ସଂପାଦକମାନଙ୍କର ବାରମ୍ବାର ଅନୁରୋଧ, ଉପରୋଧ ଓ ତାଗିଦା ଏଡ଼ାଇ ନ ପାରି ସେମାନେ ବାଧ୍ୟ ହୋଇ ଲେଖୁଛନ୍ତି। ଅବଶ୍ୟ ଏଥିପାଇଁ ସଂପାଦକମାନେ ବଂଧୁକ ବ୍ୟବହାର କରୁଥିବା ଶୁଣାନାହିଁ। ସାହିତ୍ୟ ପତ୍ରିକାରେ ଲେଖା ପାଇଁ ଟଙ୍କା ଦିଆଯାଏ ନାହିଁ, କିନ୍ତୁ ସଂପାଦକଙ୍କ ହାତରେ ଆଉ ଗୋଟିଏ ଅସ୍ତ୍ର ବା ଥୋପ ଅଛି। ସେଇଟି ହେଲା ମୃତପ୍ରାୟ ଲେଖକକୁ ଆଉ କିଛି ଦିନ ଜୀବନ୍ତ କରି ରଖିବାର ପ୍ରଲୋଭନ।

ଆମ ସାହିତ୍ୟ ପତ୍ରିକାର ସଂପାଦକମାନେ ଲେଖକମାନଙ୍କର ଏକ ଶ୍ରେଣୀ ବିଭାଗ କରି ସୂଚୀପତ୍ରରେ ସେମାନଙ୍କର ତୁଳନାତ୍ମକ ସ୍ଥାନ ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କୁ କ୍ରମାନୁକ୍ରମିକ ଭାବେ ଅବସ୍ଥାପିତ କରନ୍ତି। ଏହି ସୂଚୀପତ୍ରରେ କିଏ କେତେ ନମ୍ବରରେ ରହିଲା ତା’ ଲେଖକର ପ୍ରତିଷ୍ଠାକୁ ସୂଚାଏ ଏବଂ ଏହି ଆପେକ୍ଷିକ ସ୍ଥାନ ନିରୂପଣ ଅନେକ ସମୟରେ ବାଦ ବିସମ୍ବାଦ, ମାନ ଅଭିମାନ, ରାଗ ରୋଷ ଓ ଶତ୍ରୁତାର କାରଣ ହୋଇଥାଏ। ସୂଚୀପତ୍ର ତାଲିକାର ଉପରେ ରହିଲେ, ତା’ର ଲେଖା ଯେତେ ନିମ୍ନମାନର ହୋଇଥାଉ ପଛେ, ଲେଖକ ନିଶ୍ଚିନ୍ତ ରହେ ଯେ ସିନିଅରିଟି ଲିଷ୍ଟରେ ତା’ର ସ୍ଥାନ ନିରାପଦ ଅଛି। ସେଥିପାଇଁ ସେ ଆଉ ଅବସର ନେବା କଥା ଭାବେ ନାହିଁ। ଆଶ୍ୱାସନାର ବିଷୟ ଯେ ଏହି ସୂଚୀପତ୍ରର ଛକାପଂଝା ତଥାକଥିତ ପ୍ରତିଷ୍ଠିତ ଲେଖକମାନଙ୍କରେ ସୀମିତ; ଏ ବିଷ ଅନ୍ୟ ଲେଖକଙ୍କ ଭିତରେ ଚରିଯାଇନାହିଁ।

ଆମ ଦେଶରେ ବୟସର ମର୍ଯ୍ୟାଦା ଥିବାରୁ ବୃଦ୍ଧ (ଯାହାଙ୍କୁ ସାହିତ୍ୟିକ ଭାଷାରେ ବରିଷ୍ଠ କୁହାଯାଇଥାଏ) ଲେଖକମାନଙ୍କୁ ସବୁ ସମୟରେ ସମ୍ମାନ ଦିଆଯାଇଥାଏ। ସଭା ସମିତିରେ ସେମାନେ ମଞ୍ଚ ଉପରେ, ନ ହେଲେ ଅତି କମ୍‌ରେ ସଭାଘରର ଆଗଧାଡ଼ିରେ ବସନ୍ତି। ସାହିତ୍ୟ ସଭାମାନଙ୍କରେ ସଭାପତି, ମୁଖ୍ୟ ଅତିଥି, ପ୍ରଧାନ ବକ୍ତା, ଉଦ୍‌ଘାଟକ ଓ ପୁସ୍ତକ ଉନ୍ମୋଚକ ହେବା ପାଇଁ ସେହିମାନଙ୍କୁ ହିଁ ଡକା ଯାଇଥାଏ। ଏହି ସବୁ ସମାଦରରୁ ସେମାନଙ୍କର ଧାରଣା ହୁଏ ଯେ ସେମାନଙ୍କର ସାହିତ୍ୟିକ ଜୀବନର ଆହୁରି ଭବିଷ୍ୟତ ଅଛି। ଶେଷ ଜୀବନର ଏହି ଶୋଚନୀୟ ଅବସ୍ଥାରେ ଲେଖକ କଣ କରନ୍ତି, ସେ କଥା ଗୋପୀନାଥ ମହାନ୍ତି ନିମ୍ନମତେ ବର୍ଣ୍ଣନା କରିଛନ୍ତି:

କବି ଜୀବନର ଶେଷ ଦୃଶ୍ୟରେ ଯେତେବେଳେ ବନ୍ଧ୍ୟାତ୍ୱ ଆସେ… ବନ୍ଧା ଗତରେ ଛୁଞ୍ଚି ମାଛି ପରଖ ଦେଖାଇ ତରୁଣ ଦଳ ସଂଗେ ଆକ୍ରୋଶ ରଖି ଯୁଝିବାକୁ ପ୍ରବୃତ୍ତ ହୁଅନ୍ତି। ଧୂପ ଆଣ, ଅର୍ଘ୍ୟ ଆଣ, ମୋତେ ପୂଜା କର ଏପରି ଅବସ୍ଥା ମଧ୍ୟ ଆସେ। ଲୋଭ ହୁଏ ସିଂହାସନ ବଜାୟ ରଖିବା ଲାଗି। ସିଂହାସନ ଚାଲିଗଲେ ସୁଦ୍ଧା ଉଇ ହୁଙ୍କାରେ ଶିଆଳ ରାଜା ହୋଇ ଥାଟ ଦେଖାଇବାକୁ ଇଚ୍ଛା ହୁଏ। (କଳାଶକ୍ତି, ଓଡ଼ିଆ ସାହିତ୍ୟ ଚିନ୍ତା, ୨୦୧୨)

ଆମ ଦେଶରେ ଶାଳୀନତାର ସହିତ ଅବସର ନେବାର ପ୍ରଥା ନାହିଁ। ଔଷଧ ବୋତଲରେ ଶେଷ ହେବାର ତାରିଖ ଲେଖା ହୋଇଥିବା ଭଳି ସରକାରୀ କର୍ମଚାରୀ ଚାକିରି ଆରମ୍ଭ କରିବା ବେଳୁ ଜାଣିଥାନ୍ତି କେଉଁ ନିର୍ଦ୍ଦିଷ୍ଟ ଦିନ ତା ଶେଷ ହେବ। କିନ୍ତୁ ସେ ଦିନଟି ଆସିଲେ ସେମାନେ କନ୍ଦାକଟା କରନ୍ତି ଓ ଆହୁରି ଚାକିରି ଖୋଜନ୍ତି। କ୍ରିକେଟ ଖେଳାଳୀର ଖେଳରେ ଅଧୋଗତି ହେଉଥିଲେ ମଧ୍ୟ ସେ ଯେତେଦିନ ସମ୍ଭବ ଦଳରେ ଲାଖି ରହେ। ଫିଲ୍ମଷ୍ଟାର୍ ବୟସ ବଢ଼ିବା ସତ୍ତ୍ୱେ ହିରୋ ହୋଇ ରହିବାକୁ ଚାହେଁ ଦର୍ଶକ ତା’କୁ ବକ୍ସ ଅଫିସ୍ ବାହାରକୁ ଫିଙ୍ଗି ଦେବା ପର୍ଯ୍ୟନ୍ତ। ପରିବାରର ମୁରବୀ ଆହୁରି ଆହୁରି ବୁଢ଼ା ହୋଇଯାଉଥିବା ବେଳେ ନିଜର ବୟସ୍କ ପିଲାମାନଙ୍କୁ ଶାସନରେ ରଖିବାର ସ୍ପର୍ଦ୍ଧା କରେ।

ଅବସର ବୟସ ପୂର୍ବରୁ ସରକାରୀ ଚାକିରିଆଙ୍କୁ ବିଦାୟ କରିବାର ବ୍ୟବସ୍ଥା ଅଛି। ପଚାଶ ବର୍ଷ ହେବା ପରେ ସରକାର କାମର ମୂଲ୍ୟାଙ୍କନ କରି ଅଯୋଗ୍ୟ କର୍ମୀଙ୍କୁ ବାଧ୍ୟତାମୂଳକ ଅବସର ଦେଇପାରନ୍ତି। ଅଯୋଗ୍ୟ ଲେଖକଙ୍କୁ ଏ ଭଳି ବାଧ୍ୟ କରିବାର କୌଣସି ନିୟମ ନାହିଁ। ତେବେ ଖରାପ ଲେଖୁଥିବା କବିଙ୍କ ପାଇଁ ଶେକ୍ସପିଅର ତାଙ୍କର ଜୁଲିଅସ୍ ସିଜାର ନାଟକରେ ଏ ଭଳି ଏକ ଦୃଶ୍ୟ ରଖିଛନ୍ତି:

ତୃତୀୟ ନାଗରିକ- ସତ କହ, ତମର ନାଁ କ’ଣ?

ସିନ୍ନା- ସତ କହୁଚି, ମୋ ନାଁ ସିନ୍ନା

ପ୍ରଥମ ନାଗରିକ- ତାକୁ ମାରି ଖଣ୍ଡ ଖଣ୍ଡ କରିଦିଅ। ସେ ଷଡ଼ଯନ୍ତ୍ରକାରୀ।

ସିନ୍ନା- ମୁଁ କବି ସିନ୍ନା। ମୁଁ କବି ସିନ୍ନା।

ଚତୁର୍ଥ ନାଗରିକ- ଖରାପ କବିତା ଲେଖୁଥିବାରୁ ତା’କୁ ଖଣ୍ଡ ଖଣ୍ଡ କରିଦିଅ।

ଆମର ଅନେକ ବୟସ୍କ କବି ଖରାପ କବିତା ଲେଖିବା ସହିତ ସାହିତ୍ୟରେ ଷଡ଼ଯନ୍ତ୍ରକାରୀ ମଧ୍ୟ। ସେମାନେ ସାହିତ୍ୟରେ ଗୋଷ୍ଠୀ ତିଆରି କରନ୍ତି, ଅନୁଷ୍ଠାନମାନଙ୍କୁ ନିୟନ୍ତ୍ରଣ କରନ୍ତି ଓ ଯୁବ ଲେଖକମାନଙ୍କ ଲେଖା ଉପରେ ନିନ୍ଦା ବା ପ୍ରଶଂସାର ମୋହର ଦିଅନ୍ତି। ନିଜେ ସବୁ ସମ୍ମାନ ଓ ପୁରସ୍କାର ରୁଣ୍ଡାଇ ନେବା ପରେ ବଳକାତକ ନିଜ ଲୋକଙ୍କୁ ଦେଇ ଏକ ସମର୍ଥକ ଦଙ୍ଗଲ ତିଆରି କରନ୍ତି। ଫତୁରାନନ୍ଦ ଏ ସବୁକୁ ନେଇ ତାଙ୍କର ଆତ୍ମଜୀବନୀରେ ଗୋଟିଏ ପରିଚ୍ଛେଦ ରଖିଛନ୍ତି ଯାହାର ନାଁ ’ଓଡ଼ିଆ ସାହିତ୍ୟରେ ଧସ୍ତାଧସ୍ତି’।

ଆମ ଦେଶରେ ସବୁ ବୟସ୍କ ଲୋକ(ଲେଖକମାନଙ୍କ ସମେତ) ଯୁବକମାନଙ୍କ ଶ୍ରଦ୍ଧାର ଅପମାନ କରନ୍ତି ସେମାନଙ୍କ ପାଇଁ ଜାଗା ଖାଲି ନକରି। ଆମର ସମାଜ, ଆମର ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ଏହି ବ୍ୟବସ୍ଥାକୁ କେବଳ ମାନି ନିଅନ୍ତି ନାହିଁ, ସମର୍ଥନ କରନ୍ତି। ଏହାକୁ କିପରି ବଦଳାଇବାକୁ ହେବ ଓ ବୟସ୍କମାନଙ୍କୁ କିପରି ଅବସର ନେବାକୁ ବାଧ୍ୟ କରାଯିବ, ସେ କଥା ସେହି ବୟସ୍କମାନଙ୍କ ଉପରେ ଛାଡ଼ି ନ ଦେଇ ତା’କୁ ଯୁବକମାନେ ନିଜ ହାତକୁ ନେଇ ନିଅନ୍ତୁ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷାଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment