ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା। ଗତ ଜୁଲାଇ ମାସରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାକୁ ଆଧାର କରି ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୋଟ ୩୦ ହଜାର ଟଙ୍କା ଦୈତାରୀଙ୍କୁ ପ୍ରଦାନ କରାଯାଇଛି।

ଦୈତାରୀଙ୍କ ସହିତ କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ସମ୍ମାନିତ ତୁଳସୀ ମୁଣ୍ଡା ଏବଂ ରାଜ୍ୟର ଅନ୍ୟ ୩ ଜଣ ପ୍ରଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏନେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି, “ରାଜ୍ୟ ସରକାରଙ୍କ ଘୋଷଣା ମୂତାବିକ, ଦୈତାରୀ ନାଏକଙ୍କ ସହିତ ରାଜ୍ୟର ୫ ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ୩ ମାସର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।”

ଦୈତାରୀ ନାଏକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ତଳ ବୈତରଣୀ ଗାଁର ବାସିନ୍ଦା। ଦୈତାରୀ ଦୀର୍ଘ ୪ କିଲୋମିଟର ପାହାଡ କାଟି ନିଜ ଗାଁ ଜମିକୁ ଜଳସେଚନ ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ଜନହିତକର କାର୍ଯ୍ୟପାଇଁ କେନ୍ଦ୍ର ସରକାର ଦୈତାରୀ ନାଏକଙ୍କୁ ସମାଜସେବା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ତେବେ ମୂଲମଜୁରି ଲାଜି ଚଳୁଥିବା ଦୈତାରୀଙ୍କୁ ପଦ୍ମଶ୍ରୀ ମିଳିବା ପରେ ଆଉ କାମଧନ୍ଦା ମିଳିନଥିଲା। ଯେଉଁଥିପାଇଁ ତାଙ୍କୁ ନିଜ ପରିବାର ଚଳାଇବା ମୁସ୍କିଲ ହୋଇ ପଡ଼ିଥିଲା। ଏସମ୍ପର୍କରେ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଦିଆଯିବାକୁ ଘୋଷଣା କରିଥିଲେ।

ବର୍ତ୍ତମାନ ଦୈତାରୀ ନାଏକଙ୍କ ସହିତ ରାଜ୍ୟର ଅନ୍ୟ ୪ ଜଣ ପଦ୍ମଶ୍ରୀ ସମ୍ମାନିତ ବ୍ୟକ୍ତିଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୋଟ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

Comment