ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାବାତ୍ୟାକୁ ପୂରିଲା ୨୦ ବର୍ଷ। ହେଲେ ଆଜିବି ବାତ୍ୟାକୁ ଅତି ପାଖରୁ ଦେଖିଥିବା ଲୋକ ଭୁଲି ନାହାଁନ୍ତି ସେହି ମହାତାଣ୍ଡବର ସ୍ମୃତିକୁ। ବାତ୍ୟାର ୨୦ ବର୍ଷ ପରେ ବି ବାତ୍ୟା ବିପନ୍ନଙ୍କ ଆଖି ଆଗରେ ନାଚି ଉଠିଛି ସେହି କରାଳ ଅନୁଭୂତି। ସେହି ଅନୁଭୂତିକୁ ଓଡ଼ିଶାଲାଇଭ୍‌ ଟିମ୍‌ ଆଗରେ ବଖାଣିଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ, ଢ଼ିଙ୍କିଆ ଗାଁର ଜଣେ ବାତ୍ୟା ପୀଡ଼ିତ ସୁଧାଂଶୁ ସୂତାର।

“ରାତି ଅଧରୁ ଆରମ୍ଭ ହୋଇଗଲା ପବନ। ଘୁ ଘୁ ପବନରେ ଆମ ବାରିପଟ ନଡ଼ିଆ ଗଛଗୁଡ଼ା ହଠାତ୍ ଜୋରରେ ଦୋହଲିବାକୁ ଲାଗିଲା। ଏବେ ଆଉ ଘରେ ରହିବା ସମ୍ଭବ ହେଲାନି। ଶେଷରେ ସେହି ମହାବାତ୍ୟା ରାତିରେ ଘର ଛାଡ଼ିବାକୁ ପଡ଼ିଥିଲା’’, କହିଛନ୍ତି ସୁଧାଂଶୁ।

ସୁଧାଂଶୁ ତାଙ୍କ ପରିବାର ସହ ସେହି ମହାବାତ୍ୟାକୁ କେମିତି ସମ୍ମୁଖୀନ କରିଥିଲେ ସେହି ଅନୁଭୁତିକୁ ସେ ବାଣ୍ଟିଥିଲେ। କାରଣ ଓଡ଼ିଶାକୁ ଆସିଥିବା ଏହି ମହାବାତ୍ୟାକୁ ଜଗତସିଂହପୁର ଜିଲ୍ଲାର ଲୋକମାନେ ଅତି ପାଖରୁ ଦେଖିଥିଲେ।

ସୁଧାଂଶୁଙ୍କ କହିବା ଅନୁସାରେ ସେ ସମୟରେ ଗାଁମାନଙ୍କରେ ଅଳ୍ପ କେତୋଟି ଛାତ ଘରକୁ ଛାଡ଼ିଦେଲେ ବାକି ସବୁ ଚାଳ ଛପରର ଘର। ମୋଟା ମୋଟା କାନ୍ଥ ସାଙ୍ଗକୁ ଉପରେ ଚାଳର ଛପର। ଆମ ଘର ମଧ୍ୟ ସେମିତି ମୋଟା କାନ୍ଥ ସାଙ୍ଗକୁ ଚାଳ ଛପର ଘର। ହଠାତ୍ ରେଡ଼ିଓରେ ଶୁଣିବାକୁ ମିଳିଲା ଯେ, ବାତ୍ୟା ଆସୁଛି। ସେ ସମୟରେ ଅଧିକାଂଶ ଲୋକ ବାତ୍ୟା ବୋଲି କ’ଣ ମଧ୍ୟ ଠିକରେ ଜାଣିନଥିଲେ। ବାତ୍ୟାକୁ କେବେ ବି ସେମାନେ ଅନୁଭବ କରିନଥିଲେ।

ସେ ଦିନ ଥିଲା ଅକ୍ଟୋବର ୨୮ତାରିଖ, କୁମାର ପୂର୍ଣ୍ଣିମା ତିଥି ଥାଏ। ସୁଧାଂଶୁ ଓ ତାଙ୍କ ସାଙ୍ଗ ଗୌରାଙ୍ଗ ମିଶି ନଈପଠାକୁ ଯାଇଥିଲେ। ସେଦିନ ନଈପଠାର ସେ ଆକାଶଟା ପୂରା ଅଲଗା ଦେଖାଯାଉଥିଲା। ବୋଧହୁଏ ଏହା ବାତ୍ୟାର  ସଙ୍କେତ ଥିଲା। ଗାଁ ରେ ସେତେବେଳକୁ ଲୋକେ ସଂପୂର୍ଣ୍ଣ ଭୟଭୀତ ହୋଇସାରିଥିଲେ। କେତେକ ଲୋକ ସ୍କୁଲ ଘର, ପଞ୍ଚାୟତ ଅଫିସକୁ ମଧ୍ୟ ଜିନିଷ ପତ୍ର ଧରି ବାହାରି ପଡ଼ିଥିଲେ। ଏରସମା ଅଞ୍ଚଳକୁ ସମୁଦ୍ର ଢ଼େଉ ମାଡ଼ି ଆସିବ ବୋଲି ଲୋକଙ୍କ ଭିତରେ କଥାବର୍ତ୍ତା ଚାଲିଥାଏ

ତଥାପି ସୁଧାଂଶୁଙ୍କ ଜେଜେବାପାଙ୍କ କହିବା ଅନୁସାରେ ସୁଧାଂଶୁ ଓ ତାଙ୍କର ପରିବାର କୁଆଡ଼େ ନଯାଇ ତାଙ୍କ ଘରେ ହିଁ ରହିଥିଲେ। ରାତି ପ୍ରାୟ ଦୁଇଟା ବେଳକୁ ହଠାତ୍ ଘୁ ଘୁ ହୋଇ ପବନ ବୋହିବାକୁ ଲାଗିଲା। ଘରେ ରହିବା ଆଉ ସମ୍ଭବ ହୋଇପାରିଲାନି। ବାଧ୍ୟ ହୋଇ ଭୋର ପ୍ରାୟ ୪ଟା ବେଳକୁ ସେମାନେ ଘର ଛାଡ଼ି ସୁରକ୍ଷିତ ଜାଗାକୁ ବାହାରି ପଡ଼ିଲେ। ସେତେବେଳକୁ ସମୁଦ୍ର ଢ଼େଉ ପାଣି ଆସି ଗାଁ ଦାଣ୍ଡରେ ପହଞ୍ଚି ସାରିଥାଏ। ସେହି ଅଣ୍ଟାଏ ପାଣିରେ ପଶି ସୁଧାଂଶୁ ଓ ତାଙ୍କ ପରିବାର ଲୋକ ଚାଲି ଚାଲି ଯାଇ ଏକ ପକ୍କା ଘରେ ପହଞ୍ଚିଲେ।

ଏହାପରେ ଆରମ୍ଭ ହୋଇଯାଇଥିଲା ମହାବାତ୍ୟାର କରାଳ ତାଣ୍ଡବ। ଝରକା ଫାଙ୍କରୁ ମଧ୍ୟ ଏହି ବାତ୍ୟାକୁ ଦେଖିବା ବଡ଼ କଷ୍ଟକର ଥିଲା। ଲୋକମାନେ ଟିକେ ଆଶ୍ରୟ ପାଇଁ ଡ଼ହଳବିକଳ ହେଉଥିଲେ। କିଏ କେଉଁଠି ଆଶ୍ରୟ ନେଇଥିଲେ ତାର କୌଣସି ହିସାବ ନଥିଲା। ଖାଇବାକୁ କାହା ପାଖରେ ଦାନା ଟିକେ ମଧ୍ୟ ନଥିଲା। ଦୁଇଦିନ ଧରି ମହାବାତ୍ୟା ତା’ର କରାଳ ରୂପ ଦେଖାଇ ଚାଲିଲା।

ଦୁଇ ଦିନ ପରେ ଦିନ ଚାରିଟା ବେଳକୁ ବର୍ଷା ପବନ ଟିକେ କମିବାରୁ ସମସ୍ତେ ବାହାରକୁ ଆସି ପେଟକୁ ଟିକେ ଦାନା ଦେବା ପାଇଁ ଡ଼ହଳ ବିକଳ ହେଉଥାନ୍ତି। ପାଖରେ ଥିବା ଏକ ଭଙ୍ଗା ଦୋକାନରୁ ଓଦା ଟାଇଗର ବିସ୍କୁଟ ଓ ଓଦା ହୋଇଥିବା ଚୁଡ଼ା ଆଣି ସୁଧାଂଶୁ ଓ ତାଙ୍କ ପରିବାର ଜୀବନ ବଞ୍ଚାଇଥିଲେ।

‘‘ରହିବା, ଖାଇବା ପାଇଁ ଲୋକମାନେ ଡହଳ ବିକଳ ହେଉଥାନ୍ତି। ଆଜି ବି ସେ ଦିନର କଥା କହିଲା ବେଳକୁ ମୋ ଛାତି ଥରି ଉଠୁଛି, କଣ୍ଠ ରହିଯାଉଛି’’, କହିଛନ୍ତି ସୁଧାଂଶୁ।

Comment