ଓଡ଼ିଶାଲାଇଭ୍ ବ୍ୟୁରୋ

‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା – ୨୦୧୯’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। 5-T କୁ ଆଧାର କରି ନୂଆ ନୂଆ ଶିଳ୍ପ ସଂସ୍ଥା ଖୋଲିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି(ସିଆଇଆଇ) ପକ୍ଷରୁ ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୨୨ତମ ‘ଏଣ୍ଟରପ୍ରାଇଜ ଓଡ଼ିଶା’ ବୁଧବାରଠାରୁ ଆରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ଲକ୍ଷ୍ୟ ରହିଛି। ନୂଆ ନୂଆ ଶିଳ୍ପ ସଂସ୍ଥା ଖୋଲି ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବା ସହ କିପରି ରାଜସ୍ୱ ବୃଦ୍ଧି ହେବ ତା’ଉପରେ ଆମ ସରକାର କାମ କରୁଛନ୍ତି। ବିଶେଷକରି ମହିଳା ଏବଂ ଦକ୍ଷ ଶିଳ୍ପଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଷ୍ଟାଟ୍‌ଅପ୍‌ ନୀତିକୁ ଆଗକୁ ନେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଗୁରୁତ୍ୱ ଦିଆଯାଉଛି। ୨୦୨୦ ସୁଦ୍ଧା ୩ଟି ଷ୍ଟାଟ୍‌ଅପ୍ ହବ୍‌ କରିବାର ଲକ୍ଷ୍ୟ ରହିଛି।’’

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୮ରେ ବହୁତ ସଫଳତା ମିଳିଛି। ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ୯୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଦିଗରେ କାମ ଚାଲିଛି। ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଆୟୋଜିତ ହେବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର।

ସେ କହିଥିଲେ, ‘’୨୦ ବର୍ଷ ଭିତରେ ଓଡ଼ିଶାର ରୂପରେଖ ବଦଳି ଯାଇଛି। ଓଡ଼ିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଜନ ପ୍ରସ୍ତୁତ କରିଛନ୍ତି। କେବଳ ଅର୍ଥନୀତିରେ ସୁଧାର ଆଣିବା ପାଇଁ ନୁହେଁ, ତୃଣମୂଳ ସ୍ତରର ଗରିବ ଲୋକର ଜୀବନ ଧାରଣର ମାନରେ କିପରି ଉନ୍ନତି ଆସିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ଏଜେଣ୍ଡା ପ୍ରସ୍ତୁତ କରୁଛନ୍ତି।’’

‘‘ଓଡ଼ିଶାରେ ପ୍ରଚୁର ପରିମାଣର ଖଣିଜ ସମ୍ପଦ ରହିଛି। କ୍ରୋମାଇଟ୍, ଆଲୁମିନିୟମ, କୋଇଲା, ଲୁହାପଥର ଭରପୁର ମାତ୍ରାରେ ରହିଛି। ଓଡ଼ିଶାରେ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି। ଅନ୍ୟ ଦେଶ ପାଇଁ ଓଡ଼ିଶା ପ୍ରମୁଖ ଆକର୍ଷଣ ପାଲଟିଛି। ଫଳରେ ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀମାନେ ଓଡ଼ିଶା ପ୍ରତି ଆକର୍ଷିତ ହେଉଛନ୍ତି’’, କହିଥିଲେ ଦିବ୍ୟଶଙ୍କର ମିଶ୍ର।

ସିଆଇଆଇର ଦ୍ୱିବାର୍ଷିକ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା’ କାର୍ଯ୍ୟକ୍ରମରେ ଅତ୍ୟାଧୁନି ଶିଳ୍ପ ପ୍ରଦର୍ଶନୀ କରାଯିବ। ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ।

‘‘୨୦୧୮ରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି କନକ୍ଲେଭ୍‌ରେ ପ୍ରାୟ ୪ ଲକ୍ଷ ୨୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା। ସେଥିମଧ୍ୟରୁ ୯୦ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ୨୦୨୦ରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ଆୟୋଜନ କରାଯିବ। ଏହା ପୂର୍ବରୁ ସିଆଇଆଇ ପକ୍ଷରୁ ଆୟୋଜନ କରାଯାଇଥିବା ଏଣ୍ଟରପ୍ରାଇଜ୍‌ ଓଡ଼ିଶା କାର୍ଯ୍ୟକ୍ରମ ଶିଳ୍ପ କ୍ଷେତ୍ରକୁ ଆଗକୁ ନେବା ପାଇଁ ଅନେକ ଗୁରୁତ୍ୱ ବହନ କରୁଛି’’, କହିଛନ୍ତି ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର ସଚିବ ହେମନ୍ତ ଶର୍ମା।

ଏଣ୍ଟରପ୍ରାଇଜ ଓଡିଶା-୨୦୧୯ କାର୍ଯ୍ୟକ୍ରମରେ ଦେଶର ୨୦୦ରୁ ଅଧିକ କମ୍ପାନି ସାମିଲ ହୋଇଛନ୍ତି। ଏଥିରେ ସେମାନେ ସେମାନଙ୍କ ବିଭିନ୍ନ ପ୍ରଡକ୍ଟ୍‌ସ ଏବଂ ସେବା ସମ୍ବନ୍ଧରେ ଲୋକଙ୍କୁ ପ୍ରଦର୍ଶନ କରିବେ। ମେଟାଲ, ମିନେରାଲ ଏବଂ ପାୱାର, ଟେକ୍ସଟାଇଲ, ଫୁଡ ପ୍ରୋସେସିଙ୍ଗ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ, ଡିଫେନ୍ସ ମାନୁଫାକଚୁରିଂ ଆଦି ବିଭାଗମାନ ଚଳିତ ବର୍ଷ ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି।

ଏଣ୍ଟରପ୍ରାଇଜ୍‌ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ତଥା ବନ୍ଧନ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସି ଏସ୍‌ ଘୋଷ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।

‘‘ଓଡ଼ିଶା ସରକାରଙ୍କ ସହଭାଗିତାରେ ସିଆଇଆଇ ୨୨ତମ ‘ଏଣ୍ଟର ପ୍ରାଇଜ୍‌ ଓଡ଼ିଶା’ ଆୟୋଜନ କରୁଥିବାରୁ ଏହା ବହୁତ ଖୁସିର କଥା। ଏହି କାର୍ଯ୍ୟକ୍ରମ ବ୍ୟବସାୟ ନେଟୱର୍କକୁ ଆହୁରି ସଶକ୍ତ କରିବ ବୋଲି ଆଶା ରହିଛି। ଓଡ଼ିଶାରେ ଇଜ୍‌ ଅଫ୍ ଡୁଇଙ୍ଗ ବିଜିନେସ୍‌କୁ ଆଗକୁ ନେବା ପାଇଁ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିଳ୍ପଦ୍ୟୋଗୀମାନେ ଏକ ନୂଆ ଅନୁଭୂତି ପାଇବେ’’, ଶୁଭେଚ୍ଛା ବାର୍ତ୍ତାରେ ଏହା କହିଛନ୍ତି ସି ଏସ୍‌ ଘୋଷ୍‌।

ଏହା ସହିତ ଉଦ୍ୟୋଗିକ ଏବଂ ନିର୍ମାଣ ଉପକରଣ, ଆଇଟି ସେବା, ଶିକ୍ଷା, ରିୟଲ ଇଷ୍ଟେଟ୍, ଅଟୋମୋବାଇଲ କ୍ଷେତ୍ରକୁ ବିସ୍ତୃତ ଭାବେ ପ୍ରଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିରେ ନୂତନ ଟେକ୍ନଲୋଜି ଏବଂ ପ୍ରସ୍ତୁତି ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରଦାନ କରାଯିବ।

‘ଏଣ୍ଟର ପ୍ରାଇଜ୍‌ ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସିଆଇଆଇର ଉପାଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବେଦାନ୍ତ ଆଲୁମିନା ଲିମିଟେଡ୍‌ର ସିଇଓ ରାହୁଲ ଶର୍ମା ଏଣ୍ଟର ପ୍ରାଇଜ୍‌ ଓଡ଼ିଶା ବିଷୟରେ କହିଥିଲେ। ସିଆଇଆଇ ଓଡ଼ିଶାର ପୂର୍ବତନ ଅଧ୍ୟକ୍ଷ ଏମ୍‌ କେ ଗୁପ୍ତା ଧନ୍ୟବାଦ ଦେଇଥିଲେ। ସିଆଇଆଇ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବ ଆଞ୍ଚଳିକ ନିର୍ଦ୍ଦେଶକ ନୀତା କର୍ମକାର, ସିଆଇଆଇ ଓଡ଼ିଶା ନିର୍ଦ୍ଦେଶିକା ସୁପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ।

Comment