ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ସହ ମିଶିଲା ରାଜ୍ୟ ସରକାରଙ୍କ କାଳିଆ ଯୋଜନା। ଆସନ୍ତା ଆର୍ଥିକ ବର୍ଷରୁ ଓଡ଼ିଶାରେ ଏହି ଦୁଇଟି ଯୋଜନା ଅଲଗା ଅଲଗା ନୁହେଁ ବରଂ ଗୋଟିଏ ଯୋଜନା ଭାବେ କାର୍ଯ୍ୟ କରିବ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି।

ଅନ୍ୟପଟେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, “ରାଜ୍ୟରେ ପିଏମ୍ କିଷାନ୍ ଓ କାଳିଆ ଯୋଜନା ମିଶିଯିବ, କିନ୍ତୁ କାଳିଆ ଯୋଜନା ଚାଲୁ ରହିବ।”

ତେବେ ପିଏମ୍ କିଷାନ୍ ଓ କାଳିଆ ଯୋଜନା ମିଶିଗଲେ ଏହାର ନାମ କ’ଣ ରହିବ ସେ ନେଇ କୃଷି ମନ୍ତ୍ରୀ ନିଜର ଉତ୍ତର ରଖିନାହାନ୍ତି।

ଅନ୍ୟପଟେ ଏହି ଦୁଇଟି ଯୋଜନା ମିଶିଯିବା ଫଳରେ ଚାଷୀମାନେ ୧୬ ହଜାର ବଦଳରେ ଏଣିକି ମାତ୍ର ୧୦ ହଜାର ଟଙ୍କା ପାଇବେ। ନୂଆ ବ୍ୟବସ୍ଥା ଅନୁସାରେ ଏଣିକି କେନ୍ଦ୍ର ସରକାରଙ୍କ ତରଫରୁ ୬ ହଜାର ଓ ରାଜ୍ୟ ସରକାରଙ୍କ ତରଫରୁ ୪ ହଜାର ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ। ଏହି ଯୋଜନା ଦୁଇଟି ମିଶିଯିବା ଫଳରେ ରାଜ୍ୟରେ ପ୍ରକୃତ ଚାଷୀ ଚିହ୍ନଟ ସହଜ ହେବ ବୋଲି କୁହାଯାଉଛି।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ‘କାଳିଆ’ ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ନାମକୁ ମାତ୍ର ଚାଷୀ, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦେବାକୁ ଘୋଷଣା କରିଥିଲେ। ନିର୍ବାଚନ ପୂର୍ବରୁ ସରକାର କିଛି ଚାଷୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇଥିବା ବେଳେ ଆଉ କିଛି ଚାଷୀଙ୍କୁ ନୂଆ ସରକାର ଗଠନ ହେଉ ହେଉ ଦେଇଥିଲେ।

ସେହିପରି କାଳିଆ ଯୋଜନା ପରେ କେନ୍ଦ୍ର ସରକାର ପିଏମ୍‌ କିଷାନ୍‌ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଚାଷୀଙ୍କ ତାଲିକା ମାଗିଥିଲେ। ହେଲେ ରାଜ୍ୟ ସରକାର ଠିକ୍‌ ସମୟରେ ଚାଷୀଙ୍କ ତାଲିକା ଦେଇ ନପାରିନଥିଲେ।

 

Comment