ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବଧାନ! ଚୀନ୍‌ ସ୍ମାର୍ଟଫୋନ କମ୍ପାନି Xiaomi ନାଁରେ ବଜାରରେ ମିଳୁଛି ନକଲି ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ। ଦେଶର ରାଜଧାନୀ ଦିଲ୍ଲୀ ଜାଫର ମାର୍କେଟ୍‌ରୁ ୧୩ ଲକ୍ଷ ନକଲି ସାଓମି ପ୍ରଡକ୍ଟସ୍‌ ଜବତ କରାଯାଇଛି। ଶୁକ୍ରବାର ଏନେଇ ସାଓମି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ନଭେମ୍ବର ୧୫ରେ ଦିଲ୍ଲୀ ପୋଲିସ ସ୍ଥାନୀୟ ଜାଫର ମାର୍କେଟ୍‌ରେ ଚଢ଼ାଉ କରିଥିଲା। ସେଠାରେ ପୋଲିସ୍‌ ହାତରେ ଲାଗିଥିଲା ୧୩ ଲକ୍ଷ ନକଲି ସାଓମି ଦ୍ରବ୍ୟ। ଏହାକୁ ଯାଞ୍ଚ୍‌ କରିବା ପାଇଁ ପୋଲିସ କମ୍ପାନିର ସହାୟତା ନେଇଥିଲା। ତେବେ କମ୍ପାନି ଏହି ପ୍ରଡକ୍ଟ୍‌ସକୁ ନକଲି କହିଥିବା ସୂଚନା ମିଳିଛି।

ଜାଫର୍‌ ମାର୍କେଟ୍‌ର ୪ଟି ଦୋକାନରୁ ପୋଲିସ ନକଲି ଜିନିଷଗୁଡ଼ିକୁ ଜବତ କରିଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ସାଓମିର ଦାମୀ ଇଅର ଫୋନ୍‌, ପାୱାର ବ୍ୟାଙ୍କ୍‌, ବ୍ୟାଣ୍ଡ୍‌ସ, ୱେରଲେସ୍‌ ହେଡ୍‌ଫୋନ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏଭଳି ନକଲି ଦ୍ରବ୍ୟ ବିକ୍ରି ହେଉଥିବାରୁ ସାଓମି ଗ୍ରାହକଙ୍କ ସହିତ କମ୍ପାନିର ମଧ୍ୟ କ୍ଷତି ହେଉଥିବା ସାଓମି କହିଛି।

କେମିତି ଚିହ୍ନିବେ ନକଲି ପ୍ରଡକ୍ଟ୍‌ସ

ଅବିକଳ ଅସଲି ଭଳି ଦେଖାଯାଇଥିବା ଏହି ନକଲି ପ୍ରଡକ୍ଟ୍‌ସକୁ ଚିହ୍ନିବେ କିପରି। ଏନେଇ ସାଓମି କମ୍ପାନି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।

  • ଏମ୍‌ଆଇ ପାୱାର ବ୍ୟାଙ୍କ୍ ଭଳି କିଛି ଜିନିଷରେ ସିକ୍ୟୁରିଟି କୋର୍ଡ ରହିଥାଏ। ତେବେ ଏହା ଅସଲି କି ନାହିଁ ଜାଣିବା ପାଇଁ ଏହି କୋର୍ଡକୁ ସାଓମି ୱେବସାଇଟ୍‌ରେ ଚେକ୍‌ କରିପାରିବେ।
  • ଅସଲି ଲୋଗୋ ଦେଖି ଜିନିଷ କିଣିବେ
  • ଫିଟ୍‌ନେସ୍‌ ଜନିତ ପ୍ରଡକ୍ଟ୍‌ସରେ ଏମ୍‌ଆଇ ଫିଟ୍‌ ଆପ୍‌ର ସପୋର୍ଟ ଦିଆଯାଇଛି।
  • ସାଓମିର ଅସଲି ବ୍ୟାଟେରୀରେ Li Poly Batteries ଲେଖା ହୋଇଥାଏ।

Comment