ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ର ୧୨ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଓଡ଼ିଶାଲାଇଭ୍‌କୁ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ୱତନ୍ତ୍ର ସାକ୍ଷତକାର।

‘‘ଆଗ ଅପେକ୍ଷା ଏବେ ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ବଢ଼ିଛି। ଯଦିଓ ୧୦୦ ପ୍ରତିଶତ ଆସ୍ଥା ବଢ଼ିନି, ତେବେ କମିଶନରେଟ୍‌ ପୋଲିସ ଲୋକଙ୍କ ନିକଟତର ହୋଇପାରିଛି। ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକଙ୍କୁ ଭଲ ସେବା ଯୋଗାଇ ଦେଇଛି କମିଶନରେଟ୍‌ ପୋଲିସ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ର କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଜାନୁଆରି ୨ରେ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍‌ର ୧୨ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର ଓ କଟକରେ ପୋଲିସ କେତେ ଲୋକଙ୍କ ନିକଟତର ହୋଇ ପାରିଛି ଏବଂ ଲୋକଙ୍କୁ କେତେ ମାତ୍ରାରେ ସେବା ଯୋଗାଇବାରେ ସଫଳ ହୋଇଛି ତାହା ଜାଣିବା ପାଇଁ ଡକ୍ଟର ଷଡ଼ଙ୍ଗୀଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍‌।

ବିଭିନ୍ନ ପୂଜା ପାର୍ବଣରେ ଗଣ୍ଡଗୋଳ କମିଛି

୧୧ ବର୍ଷ ତଳେ ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ସହରାଞ୍ଚଳ ପୋଲିସ ସେବା ଆରମ୍ଭ କରାଯାଇଥିଲା ସେଥିରେ କିଛିଟା ସଫଳତା ମିଳିଥିବା କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

‘‘ପୂଜା ପାର୍ବଣ ଆସିଲେ କଟକରେ ଗଣ୍ଡଗୋଳ ଆଗରୁ ଦେଖିବାକୁ ମିଳିଥିଲା। ହେଲେ ସହରାଞ୍ଚଳ ପୋଲିସ ସେବା ଦ୍ୱାରା ଗଣ୍ଡଗୋଳ କମିଛି। ଦୁର୍ଗାପୂଜା, ଗଣେଶ ପୂଜା ଏବଂ ବାଲିଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହେଉଛି। ସେହିପରି ଭୁବନେଶ୍ୱରକୁ ବିଭିନ୍ନ ସମୟରେ ଭିଆଇପିମାନେ ଗସ୍ତରେ ଆସୁଛନ୍ତି। ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନ ହେଉଛି। ଏସବୁକୁ ନିୟନ୍ତ୍ରଣ କରିବାରେ କମିଶନରେଟ୍‌ ପୋଲିସ ସଫଳ ହୋଇଛି’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ହକି ବିଶ୍ୱକପ୍‌ ଓ କ୍ରିକେଟ ମ୍ୟାଚ ପରିଚାଳନାରେ ସଫଳତା

‘‘ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ହେଉ କି ନିକଟରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇଥିବା କ୍ରିକେଟ ମ୍ୟାଚ। ଏସବୁକୁ ସଫଳତାର ସହ ପରିଚାଳନା କରିବାରେ ସଫଳତା ହାସଲ କରିଛି କମିଶନେରେଟ୍‌ ପୋଲିସ।’’

କମିଶନରେରେଟ୍‌ ପୋଲିସ ସବୁବେଳେ ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାର୍ଥକୁ ଗରୁତ୍ୱ ଦେଇ ଆସୁଛି। ଯୁବକ ହୁଅନ୍ତୁ କି ବରିଷ୍ଠ ନାଗରିକ, ସମସ୍ତଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ପୋଲିସ ତାର କାମ କରୁଥିବା କହିଛନ୍ତି ଡକ୍ଟର ଷଡ଼ଙ୍ଗୀ।

ସହର ବଢୁଛି, ସମସ୍ୟା ବି ବଢୁଛି

ଆଗରୁ କଟକ ଏବଂ ଭୁବନେଶ୍ୱରର କଳେବର ଯାହା ଥିଲା ତାହା ଏବେ ନାହିଁ। ଦୁଇଟିଯାକ ସହରର କଳେବର ବୃଦ୍ଧି ପାଇଛି। ସହର ବଢ଼ିବା ସହ ନୂଆ ନୂଆ ସମସ୍ୟା ମଧ୍ୟ ମୁଣ୍ଡ ଟେକୁଛି। ସେଥିମଧ୍ୟରୁ ସାଇବର କ୍ରାଇମ୍‌ ହେଉଛି ପ୍ରମୁଖ। କମିଶନରେଟ୍‌ ପୋଲିସ ପାଇଁ ଅର୍ଥନୈତିକ ଅପରାଧର ମଧ୍ୟ ଚାଲେଞ୍ଜ ରହିଛି।

‘‘ସହରି ତଳି ଅଞ୍ଚଳରେ ପୋଲିସର ସମ୍ବଳ କମ୍‌ ରହିଛି। ଫଳରେ ସମସ୍ୟା ଦେଖାଦେଉଛି। ହେଲେ ମୋଟାମୋଟି ଭାବେ ପରିସ୍ଥିତି ଭଲ ରହିଛି।’’

ଟ୍ରାଫିକ ସମସ୍ୟା ଉପରେ ମତ ରଖିଲେ କମିଶନର

‘‘ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବା ଦରକାର। ରାସ୍ତା ଘାଟ ଠିକ୍‌ ରହିବା ଦରକାର, ଲୋକମାନେ ସଚେତନ ହେବା ଦରକାର ଏବଂ ନିୟମ କାର୍ଯ୍ୟକାରୀ କରିବା ଦରକାର। ସଚେତନତା ଦୃଷ୍ଟିକୋଣରୁ ଆମେ ଭଲ ପ୍ରଗତି କରିଛେ। ହେଲେ ଆଇନ୍‌ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆମେ କିଛିଟା ମାତ୍ରାରେ ସଫଳତା ହାସଲ କରିଛୁ। ପୋଲିସ ପାଖରେ ଆବଶ୍ୟକ ସଂଖ୍ୟାରେ ସମ୍ବଳ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ସଂଖ୍ୟା କମିଲେ ହିଁ ଟ୍ରାଫିକ୍‌ ଆଇନ୍‌ ଠିକ୍‌ରେ କାର୍ଯ୍ୟକାରୀ ହୋଇପାରିବ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ପୋଲିସ କମିଶନର ଆହୁରି କହିଛନ୍ତି ଯେ ଜୟଦେବ ବିହାରରୁ ନନ୍ଦନକାନନ, ରାଜମହଲରୁ ଏଜି ଛକ, ରବି ଟକିଜ, ଖଣ୍ଡଗିରି ଏବଂ ପଳାଶୁଣୀ ପାଖରେ କିଛି ନା କିଛି ସମସ୍ୟା ରହିଛି। ଏହାସହ ଟ୍ରାଫିକ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି।

ଅପରାଧ ନିୟନ୍ତ୍ରଣ ପାଇଁ ଟେକ୍ନୋଲୋଜିର ଆବଶ୍ୟକତା ରହିଛି

‘‘ଅସାମାଜିକ କାର୍ଯ୍ୟକଳାପ, ଗୁଣ୍ଡାଗର୍ଦ୍ଦି, ବୋମା ମାଡ଼, ଚାନ୍ଦା ଆଦାୟ କରିବା ଏବଂ ଡ୍ରଗ୍ସ କାରବାର ଉପରେ ଆମେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛୁ। ହେଲେ ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଆମକୁ ଆହୁରି ଉନ୍ନତି କରିବାର ବାକି ରହିଛି। ସିସିଟିଭି ବ୍ୟବସ୍ଥା ଉପରେ ଉନ୍ନତି ଆଣିବା ଉପରେ ଆମେ ଏବେ ଗୁରୁତ୍ୱ ଦେଉଛୁ।’’

ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛୁ

‘‘କମିଶନରେଟ୍‌ ପୋଲିସ ସବୁବେଳେ ବିଭିନ୍ନ ବର୍ଗର ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆସୁଛି। ବିଶେଷକରି ସାମାଜିକ ସୁରକ୍ଷା ଦିଗରେ ଆମେ କାମ କରୁଛୁ। ସଂଘଟିତ ଅପରାଧକୁ ଦମନ କରିବା ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କ ପାଖରେ କେମିତି ପିସିଆର୍‌ ଭ୍ୟାନ ପହଞ୍ଚି ପାରିବ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ।’’

ମୋ’ ସରକାର ସଫଳ ହୋଇଛି

୩ ମାସ ତଳେ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ’ ସରକାର ଯୋଜନା ସଫଳ ହୋଇଥିବା କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଏହି ଯୋଜନା ଯଦି ଲମ୍ବା ସମୟ ଧରି ଚାଲିବ ତାହାଲେ ପୋଲିସ ବିଭାଗରେ ଅନେକ ପରିବର୍ତ୍ତନ ଆସି ପାରିବ ବୋଲି ସେ ଓଡ଼ିଶାଲାଇଭ୍‌କୁ କହିଛନ୍ତି।

‘‘ସାଧାରଣ ଲୋକ ପୋଲିସକୁ ସିଧାସଳଖ ପ୍ରଶ୍ନ କରିବା ଏବଂ ସେମାନଙ୍କ ମତ ଆମ ପାଖରେ ରଖିବା ଦ୍ୱାରା ପୋଲିସ ବିଭାଗ ଅଧିକ ସକ୍ରିୟ ହୋଇପାରିବ। ଏହା ଦ୍ଵାରା ପୋଲିସ ଉପରେ ଜନସାଧାରଣଙ୍କ ବିଶ୍ୱାସ ମଧ୍ୟ ବଢ଼ିବ। ଲୋକେ ଏବେ ସଚେତନ ହେଲେଣି ଏବଂ ସବୁ କଥା ବୁଝିଲେଣି। ପୋଲିସ ସବୁ କାମ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଜାଣିଛନ୍ତି। ଯଦି ଆମେ କିଛି ଚେଷ୍ଟା କରିବାନି ତାହାଲେ ପୋଲିସ ଉପରେ ଲୋକଙ୍କ ଅବିଶ୍ୱାସ ବଢ଼ିବ’’, କହିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସୋସିଆଲ ମିଡିଆର କ୍ରେଜ୍‌ ବଢ଼ିଛି

‘‘ୱାଘା ବର୍ଡରରେ ଭାରତୀୟ ସେନାର ପରେଡ୍‌କୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। ଫଳରେ ଭାରତୀୟ ସେନାର ବ୍ରାଣ୍ଡିଂ ବଢୁଛି। ଏଣୁ କମିଶନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଯାହା କିଛି କାର୍ଯ୍ୟକ୍ରମ ହେବ ତାକୁ ଆମେ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବାକୁ ଉଦ୍ୟ ଆରମ୍ଭ କରିଛୁ।’’

‘‘ଟିଭି ଚ୍ୟାନେଲମାନେ ପୋଲିସର ପରେଡ୍‌କୁ ମାତ୍ର ୧୦ କି ୧୫ ସେକେଣ୍ଡ ଦେଖାଇବେ। କିନ୍ତୁ ଲୋକମାନେ ଠିକ୍‌ରେ ଜାଣି ପାରିବେ ନାହିଁ ପରେଡ୍‌ରେ ହେଲା କ’ଣ? ପୋଲିସ ବିଭାଗର ଯାହା ପରମ୍ପରା ରହିଛି ତାହା ଜନସାଧାରଣ ଦେଖିବା ଉଚିତ୍‌। ପୋଲିସ ବିଭାଗ ପ୍ରତି ଭଲ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଉଦ୍ୟମ କରାଯାଇଛି’’, କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ପୋଲିସକୁ ଭଲ ମାର୍କ ଦେଉଛନ୍ତି ସାଧାରଣ ଲୋକେ

ସେପ୍ଟେମ୍ବର ୩ରେ ଆମର କଲ୍‌ ସେଣ୍ଟର ଶୁଭାରମ୍ଭ ହେଲା। ଡସେମ୍ବର ୨୫ ତାରିଖ ଭିତରେ ୮ଟି ପାରାମିଟରରେ ଆମେ ୫୯ ହଜାର ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛୁ। ଲୋକମାନେ ପୋଲିସକୁ ଅଧିକ ମାର୍କ ଦେଇଛନ୍ତି। ସାଧାରଣ ଲୋକମାନେ ପୋଲିସ ସମ୍ପର୍କରେ ଯାହା ମତାମତ ଦେଉଛନ୍ତି ତାହା ଗଣମାଧ୍ୟମରେ ଠିକ୍‌ ଭାବେ ପ୍ରକାଶିତ ହେଉ ନାହିଁ।

‘‘କୁହାଯାଉଥିଲା ଥାନାରେ ପଇସା ନଦେଲେ କାମ ହେଉନି। କିନ୍ତୁ ୫୯ ହଜାର ଲୋକ ପୋଲିସ ୫ରୁ ୪.୯୩ ମାର୍କ ଦେଇଛନ୍ତି। ୯୪ରୁ ୯୭ ଭାଗ ଲୋକ କହୁଛନ୍ତି ପୋଲିସ ପଇସା ମାଗୁ ନାହିଁ। ଗଣମାଧ୍ୟମକୁ ଏ ଦିଗରେ ଚିନ୍ତା କରିବା ଦରକାର। ସେମାନେ ଯେଉଁ ତଥ୍ୟ ପ୍ରକାଶ କରୁଛନ୍ତି କେଉଁ ପ୍ରମାଣ ଆଧାରରେ କରୁଛନ୍ତି? ୯୪ ପ୍ରତିଶତ ଲୋକଙ୍କ ମତାମତକୁ ନଦେଖାଇ ଗଣମାଧ୍ୟମ ୬ ପ୍ରତିଶତ ଲୋକଙ୍କ ମତାମତକୁ ଦେଖାଉଛି’’, କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

Comment