ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୨୦ରୁ ୨୪ ଯାଏଁ ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ‘କୃଷି ଓଡ଼ିଶା –୨୦୨୦’।

  • ଭୁବନେଶ୍ୱର ଜନତା ମଇଦାନରେ ଉଦ୍‌ଘାଟିତ ହେଲା ‘କୃଷି ଓଡ଼ିଶା’
  • ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ
  • ଏଥର ‘କୃଷି ଓଡ଼ିଶା’ରେ ୨୨୮ଟି ଷ୍ଟଲ, ୧୧୨ କମ୍ପାନି
  • ସକାଳ ୧୦ରୁ ସନ୍ଧ୍ୟା ୫ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଏହି ପ୍ରଦର୍ଶନୀ
  • ୨୪ ଯାଏଁ ଚାଲିବ କୃଷି ମହୋତ୍ସବ

Krushi Odisha 2020

“‘ଲାଭଜନକ କୃଷି ପାଇଁ ପ୍ରୟାସ’ ହେଉଛି ‘କୃଷି ଓଡ଼ିଶା-୨୦୨୦’ର ମୁଖ୍ୟ ଲକ୍ଷ୍ୟ। ଏଥିରେ ବିଭିନ୍ନ ବିଷୟରେ ଆଲୋଚନାଚକ୍ର ଓ ପାଠଶାଳାର ଅୟୋଜନ କରାଯାଉଛି। ରାଜ୍ୟର କୃଷକ, କୃଷିବିଜ୍ଞାନୀ, ଅନ୍ତର୍ଜାତୀୟ ବିଶେଷଜ୍ଞ, କୃଷି ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଏଥିରେ ଭାଗ ନେବେ” ଏକଥା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

Krushi Odisha 2020

ସୋମବାର ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହି ଅବସରରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ ଯୋଗ ଦେଇ ନୂଆ ପ୍ରଣାଳୀର ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିବା ପାଇଁ ଚାଷୀଙ୍କୁ କହିଛନ୍ତି।

ସେ କହିଛନ୍ତି, “ରାଜ୍ୟରେ ଅଣଧାନ ଫସଲ, ଉତ୍ପାଦନରେ ବୃଦ୍ଧି ତଥା ପୁଷ୍ଟିକର ଖାଦ୍ୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ମିଲଟ ମିସନ ବା ମାଣ୍ଡିଆ ମିସନ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ଅଧିନରେ ୨୦୧୮-୧୯ ବର୍ଷରେ ୧୮ ହଜାର କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦିତ ହୋଇପାରିଛି। ଏହି ବର୍ଷ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର ମାଣ୍ଡିଆ କିଣିବାର ବ୍ୟବସ୍ଥା କରିଥିଲେ। ଏହାକୁ ଅତିରିକ୍ତ ଖାଦ୍ୟ ହିସାବରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସହ ଯୋଡ଼ା ଯାଇଛି।”

“ଏବର୍ଷ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀମାନଙ୍କଠାରୁ ସରକାର ମାଣ୍ଡିଆ କିଣୁଛନ୍ତି। ମାଣ୍ଡିଆ ଚାଷକୁ ପୋତ୍ସାହିତ କରିବା ପାଇଁ ରାଜ୍ୟର ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍‌ରେ କୃଷି ଉତ୍ପାଦନ କ୍ଲଷ୍ଟରକୁ ନେଇ ଏକ ପ୍ରକଳ୍ପ ସୃଷ୍ଟି କରାଯାଇଛି। ଏହା ଅଧିନରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଏବଂ ୩୦ଟି ଉତ୍ପାଦନ କମ୍ପାନି ଗଠନ କରାଯିବ” କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

ମାଣ୍ଡିଆ ମିସନ ଭଳି ଅଭିନବ ଯୋଜନା ପାଇଁ ଜାତୀୟସ୍ତରରେ ଓଡ଼ିଶାକୁ ପୁରସ୍କାର ମିଳିଥିବା ଡକ୍ଟର ସୌରଭ ଗର୍ଗ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି।

 

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋବାଇଲ ମାଧ୍ୟମରେ କୃଷି ପରାମର୍ଶ ସେବା ଯୋଗାଇଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ସାଢ଼େ ୬ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି।”

ଏହି କୃଷି ମହୋତ୍ସବର ମୂଳ ଲକ୍ଷ୍ୟ ହେଲା ରାଜ୍ୟର ଚାଷୀମାନଙ୍କ ପାଖରେ କୃଷି ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳ ପହଞ୍ଚାଇବା। ତେଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଚାଷୀ ସାମିଲ ହେଲେ ବିଶେଷ ଲାଭବାନ ହୋଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ କହିଛନ୍ତି।

Comment