ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି। ଚୀନ୍‌ରେ ପ୍ରଥମେ ଦେଖାଯାଇଥିବା ଏହି ଭାଇରସ ଯୋଗୁଁ ସେଠାରେ ଏକ ପ୍ରକାର ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଭାରତରେ କିଛି ଲୋକଙ୍କର ସ୍ୱାବକୁ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ଏଥିରୁ ରକ୍ଷା ପାଇବା ଲାଗି ଲୋକମାନେ ଏବେ ମାସ୍କ ପିନ୍ଧି ବୁଲୁଛନ୍ତି। ପ୍ରକୃତରେ କିନ୍ତୁ ମାସ୍କ ନୁହେଁ, ହାତକୁ ପରିଷ୍କାର କରି ଧୋଇଲେ ଆପଣ ଏଥିରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି ଡାକ୍ତରମାନେ ମତ ଦେଉଛନ୍ତିି।

-ସର୍ବସାଧାରଣ ସ୍ଥାନ ପରିବହନ ବ୍ୟବସ୍ଥା ଯେପରିକି ବସ, ଟ୍ରେନ୍‌, ଅଟୋ ପ୍ରଭୃତିରେ ଯାତ୍ରା କରି ଆସିଥିଲେ ଘରେ ପହଞ୍ଚି କୌଣସି ଜିନିଷକୁ ଛୁଇଁବା ପୂର୍ବରୁ ପ୍ରଥମେ ହାତକୁ ହ୍ୟାଣ୍ଡ ୱାସରେ ଭଲ ଭାବେ ସଫା କରନ୍ତୁ । ହାତ ଦ୍ୱାରା ଏହି ରୋଗ ସବୁଠୁ ଅଧିକ ବ୍ୟାପିଥାଏ । ଆବଶ୍ୟକସ୍ଥଳେ ଏଥିପାଇଁ ଗରମ ପାଣି ବ୍ୟବହାର କରିପାରିବେ ।

-ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରୁଥିଲେ ବସ, ଟ୍ରେନ୍‌ର ଝରକା ରେଲିଂ, କବାଟ ଇତ୍ୟାଦିକୁ ନ ଛୁଇଁବାକୁ ପ୍ରୟାସ କରନ୍ତୁ । ସେସବୁକୁ ଛୁଉଁଥିଲେ ମୁହଁରେ ହାତ ଲଗାନ୍ତୁ ନାହିଁ ।

-ଯଦି ଆପଣଙ୍କ ଶରୀର କୌଣସି ପ୍ରକାର ଅସୁସ୍ଥ ଲାଗୁଥାଏ ତା’ହେଲେ ସର୍ବସାଧାରଣ ସ୍ଥାନକୁ ଯାଆନ୍ତୁ ନାହିଁ। ଏହାର କାରଣ ହେଲା ଯେତେବେଳେ ଆମ ଶରୀର ଥକ୍କାପଣ ଅନୁଭବ କରେ ସେତେବେଳେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ସେ ସମୟରେ ଅନ୍ୟ ଭୂତାଣୁ ସହଜରେ ଆକ୍ରମଣ କରିବାର ଆଶଙ୍କା ବଢ଼ିଯାଏ ।

-ସେହିପରି କିଛି ଦିନ ଧରି ସର୍ବସାଧାରଣ ସ୍ଥାନ ଯେପରିକି ପାର୍କ, ମଲ, ସିନେମା ହଲ ପ୍ରଭୃତିକୁ ଯାଆନ୍ତୁ ନାହିଁ । କାରଣ ସେଠାରୁ ଏହି ଭାଇରସ ବ୍ୟାପିବାର ଅଧିକ ଆଶଙ୍କା ଥାଏ ।

-ମାସ୍କ କିଣିବାବେଳେ ସବୁବେଳେ ସର୍ଜିକାଲ ମାସ୍କ କିଣନ୍ତୁ । ତାକୁ ମଧ୍ୟ ଏଣୁତେଣୁ ସ୍ଥାନରେ ନ ରଖି ବାୟୁ ଚଳାଚଳ କରୁଥିବା ସ୍ଥାନରେ ରଖନ୍ତୁ । ବେଳେବେଳେ ମାସ୍କରୁ ମଧ୍ୟ ସଂକ୍ରମଣ ହୋଇଥାଏ ।

-ଅତ୍ୟଧିକ ଥଣ୍ଡା, କାଶ, ଜ୍ୱର, ଶରୀର ଘୋଳାବିନ୍ଧା ହେଲେ ତୁଟୁକା ଔଷଧ ବ୍ୟବହାର ନ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା କରୋନା ଭାଇରସ ସଂକ୍ରମଣଜନିତ ହୋଇପାରେ । ଏପରି ଲକ୍ଷଣ ଦେଖାଗଲେ କର୍ମସ୍ଥଳୀକୁ ନ ଯାଇ ଘରେ ଗୋଟିଏ କୋଠରୀରେ ରୁହନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍ପିଟାଲରେ ଆଡମିସନ୍ ମଧ୍ୟ ନେଇପାରିବେ ।

Comment