ଓଡ଼ିଶାଲାଇଭ୍ ବ୍ୟୁରୋ

ସୋଆ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ।

“ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ସହ ଏହାର ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି। ଆମ ଚତୁର୍ଦ୍ଦିଗର ଘଟଣାକୁ ଲକ୍ଷ୍ୟ କଲେ ବର୍ତ୍ତମାନ ଏହାର ପରିସର ସଙ୍କୁଚିତ ହେଲା ଭଳି ମନେହେଉଛି।”

ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ବିଶିଷ୍ଟ ଗୁଜୁରାଟୀ କବି ଡକ୍ଟର ସିତାଂଶୁ ୟଶଚନ୍ଦ୍ର।

ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ସାହିତ୍ୟର ଜଳରାଶି ନକରାତ୍ମକ ରାଜନୈତିକ, ଧାର୍ମିକ, ଏବଂ ସ୍ୱାର୍ଥକୈନ୍ଦ୍ରିକ ଶକ୍ତି ଦ୍ୱାରା କଳୁଷିତ ହେଉଛି। ଏଭଳି ଦୃଶ୍ୟପଟ ବର୍ତ୍ତମାନ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି କିନ୍ତୁ ସାହିତ୍ୟ ଚିଲିକା ପରି ସ୍ୱଚ୍ଛ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହ ଯୁବପିଢ଼ି ସାହିତ୍ୟ କ୍ଷେତ୍ରରେ ଆଗ୍ରହ ଦେଖାଉ ନଥିବାରୁ ଏହାକୁ ନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯୁବପିଢ଼ି ଆଗକୁ ଆସିବା ଦରକାର ଏବଂ ନିଜ ଭାଷାର ଉନ୍ନତି କରିବା ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା ଡକ୍ଟର ଭାସଦେବ ମୋହି କହିଥିଲେ ଯେ ଯଦିଓ ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ ତେବେ ବାସ୍ତବତା କିନ୍ତୁ ଏଭଳି ନୁହେଁ। କାରଣ ଦର୍ପଣ ସତ୍ୟତା ପ୍ରତିଫଳିତ କରାଏ ମାତ୍ର ସାହିତ୍ୟ ସତ୍ୟତା ଏବଂ କଳ୍ପନାର ଏକ ମିଶ୍ରଣ। ତେଣୁ ସାହିତ୍ୟିକମାନେ ସତ୍ୟତା ଓ କଳ୍ପନା ମଧ୍ୟରେ ଭାରସାମ୍ୟ ରଖିବାର ଆବଶ୍ୟକତା ରହିଛି।ସେହିପରି ଡକ୍ଟର ଜ୍ଞାନେଶ୍ୱର ମୁଲେ କହିଥିଲେ,“ ଜଣେ ବିଶିଷ୍ଟ କୁଟନୀତିଜ୍ଞ କହିଥିଲେ ଯେ ସାହିତ୍ୟକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ରହିଛି। ବର୍ତମାନ ପ୍ରତ୍ୟେକ ଭାରତୀୟ ଭାଷାରେ ସଫ୍ଟୱେୟାର ରହିଛି। ତେଣୁ ଆମେ ଏହାର ଉପଯୋଗ କରିବା ଆବଶ୍ୟକ।”

ଏଥିସହିତ ପୁସ୍ତକର ପରମ୍ପରା ସୃଷ୍ଟି କରିବାର ଆବଶ୍ୟକତା ରହିଛି, ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଲାଇବ୍ରେରୀ ରହିବା ଜରୁରୀ ବୋଲି ସେ କହିଥିଲେ। ଚଳିତ ବର୍ଷ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୁଇ ବିଶିଷ୍ଟ ସାହିତ୍ୟିକ ତରୁଣକାନ୍ତି ମିଶ୍ର ଏବଂ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଉତ୍ସବରେ ସୋଆ କୁଳପତି ପ୍ରଫେସର ଚୈାହାନ୍ ସମ୍ବର୍ଦ୍ଧିତ କରିଥିଲେ।

ଏହି ଉତ୍ସବରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର, ଡକ୍ଟର ବିକ୍ରମ ସମ୍ପତ, ଏଚ୍‌.ଏସ୍ ଶିବପ୍ରକାଶ, ଜୟନ୍ତ ପାରମାର, ଡକ୍ଟର ରିତାନାଥ କେଶରୀ, ଅରୁଣ କମଲ୍‌, ଏ.ଜେ ଥୋମାସ୍‌, ଉଦୟନ୍ ବାଜପେୟୀ, ଅମନଦୀପ୍ ସାନ୍ଧୁ, ଯଶୋଧାରା ରାୟଚୌଧୁରୀ, ହରପ୍ରସାଦ ଦାସ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ର ଓ ରାନୁ ଉନିଆଲ୍‌ଙ୍କ ସମେତ ଅନେକ ଲେଖକ ଲେଖିକା ଯୋଗ ଦେଇଛନ୍ତି।

Comment