ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ନିଆଳି ରତନପୁରର ସହିଦ ମନୋଜଙ୍କୁ ଝୁରୁଛନ୍ତି ଗ୍ରାମବାସୀ।

କଟକ: ୨୦୧୯ ମସିହା ଫେବ୍ରୁଆରି ୧୪ତାରିଖ। ପ୍ରେମର ଦିବସ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିଲା ସାରା ଭାରତ। ହଠାତ୍ ଜମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାରୁ ଆସିଲା ଏକ ବଡ଼ ଖବର। ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ। ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଦେଶ। ହତବାକ୍ ହୋଇଯାଇଥିଲେ ଦେଶବାସୀ। ସାରା ଦେଶରେ ଖେଳିଯାଇଥିଲା ବିଷାଦର ଛାୟା।

ଘଟଣାର କିଛି ଘଣ୍ଟା ପରେ ଜଣାପଡିଥିଲା, ସହିଦ ଯବାନଙ୍କ ଭିତରେ ଥିଲେ ଦୁଇ ଓଡ଼ିଆ ବୀର। ସେଥିରୁ ଜଣେ ଥିଲେ କଟକ ନିଆଳି ଅଞ୍ଚଳର ସିଆରପିଏଫ୍ ଯବାନ ସହିଦ ମନୋଜ ବେହେରା।

ମନୋଜଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ଆଣିବା ପରର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ। ଆଖିର ଲୁହ, ମନର କୋହ ସହ ଜୟ ଯବାନ୍, ଅମର ରହେ.. ସ୍ଲୋଗାନରେ ମନୋଜଙ୍କୁ ଚିର ବିଦାୟ ଦେଇଥିଲେ ଓଡ଼ିଶାବାସୀ।

ନିଆଳି ରତନପୁର ତା’ ମାଟିର ସନ୍ତାନକୁ ହରାଇବା ଏଭିତରେ ବର୍ଷେ ପୂରିବ। କିନ୍ତୁ ଏବେ ବି ମନୋଜଙ୍କ ସ୍ମୃତି ଗାଁ ଲୋକଙ୍କ ମନରୁ ଲିଭିନାହିଁ। ତାଙ୍କ ପ୍ରିୟର ‘ମନୁ’ ଛୋଟରୁ ବଡ଼ ହେବା, ପାଠ ପଢିବା, ଚାକିରି କରିବା, ଛୁଟିରେ ଘରକୁ ଆସିବା, ଗାଁରେ ବୁଲିବା ଏବଂ ଗୁରୁଜୁନଙ୍କୁ ମୁଣ୍ଡିଆ ମାରି କର୍ମକ୍ଷେତ୍ରକୁ ଫେରିବାର ପ୍ରତ୍ୟେକ ଦୃଶ୍ୟ ଏବେ ବି ଗ୍ରାମବାସୀଙ୍କ ମନରେ ଜୀବନ୍ତ ରହିଛି। ମନୋଜଙ୍କ ଜୀବନର ୩୩ବର୍ଷ କଟିଥିଲା ଏହି ମାଟିରେ। ୧୯୮୫ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ମନୋଜ। ଜଟାଧାରି ବେହେରା ଓ ମା’ ସାବିତ୍ରୀ ବେହେରାଙ୍କ ଏକମାତ୍ର ପୁଅ ଥିଲେ। ରତନପୁର ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ। ପରେ ପୁରୀ ଜିଲ୍ଲା ଅମରେଶ୍ୱର ହାଇସ୍କୁଲରୁ ଦଶମ ଶ୍ରେଣୀ ପାସ୍‌ କରିଥିଲେ। ନିମାପଡ଼ା କଲେଜରେ ପାଠ ପଢ଼ୁଥିବା ବେଳେ ପରିବାରର ଅଭାବକୁ ଦେଖି ଚାକିରି କରିବା ପାଇଁ ମନ ବଳାଇଥିଲେ ମନୋଜ। ନିଜର ନିଷ୍ଠା ଏବଂ ଉଦ୍ୟମ ବଳରେ ସିଆରପିଏଫ୍‌ରେ ୨୦୦୬ରେ ନିଯୁକ୍ତି ପାଇଥିଲେ।

ମନୋଜଙ୍କ ସହିଦ ହେବା ପରେ ସବୁଆଡୁ ତାଙ୍କ ପରିବାର ପ୍ରତି ସହାନୁଭୂତି ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ମନୋଜଙ୍କ ସ୍ମୃତି ଜୀବନ୍ତ କରି ରଖିବାକୁ ବିଭିନ୍ନ ପ୍ରତିଶ୍ରୁତିମାନ ଦିଆଯାଇଥିଲା। କିନ୍ତୁ ଏଭିତରେ ବର୍ଷେ ବିତିଥିଲେ ବି ପ୍ରତିଶ୍ରୁତି ପାଳନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇପାରିଲା ନାହିଁ।

ସେ ପାଠ ପଢୁଥିବା ରତନପୁର ପ୍ରାଥମିକ ବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏ ଦିଗରେ କୌଣସି ଆଲୋଚନା କରାଯାଇନାହିଁ। ସେହିପରି ସ୍କୁଲରେ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ଏବେ ହୋଇପାରିନାହିଁ। ସେହିପରି ତାଙ୍କ ଘରକୁ ସଂଯୋଗ କରି ଏକ ଭଲ ରାସ୍ତା ବି ନାହିଁ। ଯେଉଁ ମାଟି ରାସ୍ତା ରହିଛି ତା’ର ଅବସ୍ଥା ବେହାଲ୍। ସେହିପରି ତାଙ୍କ ନାମରେ ରତନପୁରର ଏକ ମାର୍ଗ ନାମିତ କରିବାକୁ ଯୋଜନା ହୋଇଥିଲା। ସେ ଦିଗରେ ବି କୌଣସି ପଦକ୍ଷେପ ନେଇପାରିନାହିଁ ଜିଲ୍ଲା ପ୍ରଶାସନ। ଏଭଳି ଘଟଣା ସୂଚାଉଛି, ସହିଦ ମନୋଜଙ୍କ ପ୍ରତି ପ୍ରଶାସନର କେତେ ସହାନୁଭୂତି ରହିଛି।

ମନୋଜ ଛୋଟବେଳୁ ବନ୍ଧୁ ପ୍ରେମୀ ଥିଲେ। ସାଙ୍ଗସାଥିରେ ସମୟ ବିତାଇବା ତାଙ୍କୁ ବହୁତ ପସନ୍ଦ ଥିଲା। ଏମିତିକି ଯେତେବେଳେ ଛୁଟିରେ ଗାଁକୁ ଆସୁଥିଲେ ସେତେବେଳେ ସେ ଅଧିକ ସମୟ ସାଙ୍ଗମାନଙ୍କ ଗହଣରେ ବିତାଉଥିଲେ। ଆଜି ବି ସେହି ସ୍ମୃତି ଜୀବନ୍ତ ହୋଇ ରହିଛି। ନିଜ ସହିଦ ବନ୍ଧୁଙ୍କୁ ଚିରସ୍ମରଣୀୟ କରି ରଖିବାକୁ ସାଙ୍ଗମାନେ କରିଥିବା ଉଦ୍ୟମ ବେଶ୍ ପ୍ରଶଂସନୀୟ ହୋଇଛି। ପ୍ରଶାସନକୁ ଅପେକ୍ଷା ନକରି ମନୋଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ସାଙ୍ଗମାନେ। ମନୋଜ ପଢୁଥିବା ଉଚ୍ଚ ବିଦ୍ୟାଳୟ ଅମରେଶ୍ୱର ସ୍କୁଲରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୧୪ତାରିଖରେ ଏହାର ଉଦଘାଟନ କରାଯିବ ବୋଲି ଜଣାପଡିଛି।

ମନୋଜଙ୍କୁ ଝୁରୁଛନ୍ତି ବାପା, ମା’

ମନୋଜ ସହିଦ ହୋଇଯିବା ପରେ ତାଙ୍କ ପରିବାରକୁ କଳା ବାଦଲ ଘୋଟି ଆସିଥିଲା। ପାରିବାରିକ ବିଶୃଙ୍ଖଳା ଯୋଗୁଁ ବୋହୂ, ନାତୁଣୀ ଘର ଛାଡ଼ିବା ପରେ ଏକୁଟିଆ ହୋଇଯାଇଛନ୍ତି ବୃଦ୍ଧ ବାପା, ମା’। ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନାହିଁ।

ମନୋଜଙ୍କ ମୃତ୍ୟୁ ପରେ ମିଳିଥିବା ଟଙ୍କାକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ ବାପା, ମା’ ସେଥିରେ ବଞ୍ଚିତ ରହିଛନ୍ତି। ପରିଣତ ବୟସରେ କିଛି କାମ କରି ଘର ଚଳାଇବା ମନୋଜଙ୍କ ବାପା ଜଟାଧାରୀ ବେହେରାଙ୍କ ପାଇଁ ଅସମ୍ଭବ ପାଲଟିଛି। ତେଣୁ ଯାହା ଯେମିତି କରି ଦୁଇ ମୁଠା ଦାନା ଖାଇ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତ୍ତି।

ପ୍ରେରଣାଦାୟୀ ମନୁ ଭାଇ

ମନୋଜ ଯେବେବି ଚାକିରିରୁ ଛୁଟିରେ ଗାଁକୁ ଆସୁଥିଲେ, ସାଙ୍ଗସାଥୀ ମେଳରେ ଅଧିକ ସମୟ କଟୁଥିଲେ। କଲେଜ ପଢୁଥିବା ଛାତ୍ର ତଥା ଜୁନିୟରମାନଙ୍କୁ ସେ ସର୍ବଦା ଫିଟ୍ ରହିବା ପାଇଁ ପରାମର୍ଶ ଦେଉଥିଲେ। ଏମିତିକି ସକାଳେ ସଞ୍ଜରେ ପିଲାମାନଙ୍କୁ ସାଙ୍ଗରେ ନେଇ ଦୌଡ଼କୁଦ କରାଉଥିଲେ। ସେନାରେ ଚାକିରି କରିବା ପାଇଁ ସେ ସବୁବେଳେ ଅନ୍ୟମାନଙ୍କୁ ଉତ୍ସାହିତ କରୁଥିଲେ। ମନୋଜଙ୍କର ସେହି ପ୍ରେରଣାଦାୟୀ କଥାକୁ ଆଜି ସମସ୍ତେ ମନେପକାଇ ଲୁହ ଗଡ଼ାଉଛନ୍ତି।

Comment