ଓଡ଼ିଶାଲାଇଭ ବ୍ୟୁରୋ

‘‘ବୁଡ଼ିବ ନାହିଁ ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା। କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହିତ ସମ୍ପର୍କରେ ଅଛନ୍ତି। ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିଛି’’, ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ୟେସ୍‌ ବ୍ୟାଙ୍କ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ିବା ପରେ ଗ୍ରାହକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ଏପରିକି ସେମାନଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ଆଶଙ୍କା ବଢ଼ିଥିଲା। ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

‘‘ୟେସ୍‌ ବ୍ୟାଙ୍କ ପରିଚାଳନାରେ ଅନେକ ତ୍ରୁଟି ରହିଥିଲା। ୨୦୧୭ରୁ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ନଜର ରଖିଥିଲେ। ୟେସ୍‌ ବ୍ୟାଙ୍କ ନିୟମ ଖିଲାପ କରୁଥିବାରୁ ୨୦୧୯ରେ ବ୍ୟାଙ୍କକୁ ୧ କୋଟି ଟଙ୍କାର ଜରିମାନା କରାଯାଇଥିଲା। ହେଲେ ବ୍ୟାଙ୍କ ସ୍ଥିତିରେ ସୁଧାର ଆସିଲାନି। ଫଳରେ ଏବେ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣରେ କଟକଣା ଜାରି କରିଛି ଆର୍‌ବିଆଇ’’, କହିଛନ୍ତି ନିର୍ମଳା ସୀତାରମଣ।

ନିର୍ମଳା ଆହୁରି କହିଛନ୍ତି, ‘‘ମୁଁ ଆର୍‌ବିଆଇ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛି। ସେଣ୍ଟ୍ରାଲ ବ୍ୟାଙ୍କ ଏହି ମାମଲାକୁ ଗୁରୁତର ଭାବେ ଗ୍ରହଣ କରିଛି। ଖୁବ୍‌ଶୀଘ୍ର ସମସ୍ୟା ସମଧାନ ହୋଇଯିବ। ଆର୍‌ବିଆଇ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି ଯେ, କୌଣସି ଗ୍ରାହକ କ୍ଷତି ସହିବେନି।’’

ୟେସ୍‌ ବ୍ୟାଙ୍କ ୨୦୧୭ରୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲା। ଏହା ଉପରେ ଆର୍‌ବିଆଇ କଡ଼ା ନଜର ରଖିଥିଲା। ୨୦୧୮ରେ ପରିଚାଳନା ବୋର୍ଡ ବଦଳାଇବା ପାଇଁ କୁହାଯାଇଥିଲା। ପରେ ୟେସ୍‌ ବ୍ୟାଙ୍କ ନୂଆ ସିଇଓଙ୍କୁ ନିଯୁକ୍ତ କରିଥିଲେ।ମାର୍ଚ୍ଚ ୨୦୧୯ରୁ ନୂଆ ସିଇଓ ଆର୍‌ବିଆଇ ସହିତ କାମ କରୁଥିଲେ। ଋଣ ଦେବା ପ୍ରକ୍ରିୟାରେ ୟେସ୍‌ ବ୍ୟାଙ୍କର ବ୍ୟାପକ କ୍ଷତି ଘଟିଛି।

Comment