ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡରେ ହାତଦେଇ ବସିଛନ୍ତି ୟେସ୍ ଆକାଉଣ୍ଟଧାରୀ। ସେମାନଙ୍କର କଷ୍ଟ ଅର୍ଜିତ ଧନ ତାଙ୍କୁ ମିଳିବ ନାଁ ପାଣିରେ ପଡ଼ିବ ତାକୁ ନେଇ ଏବେ ସେମାନେ ଆଶା ଆଶଙ୍କା ଭିତରେ। ରିଜର୍ଭ ବ୍ୟାଙ୍କ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏଟିଏମ୍ ଆଗରେ ମଧ୍ୟ ଲୋକମାନଙ୍କ ଲମ୍ବାଲାଇନ୍ ଦେଖିବାକୁ ମିଳିଛି।

ଅନ୍ୟପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକମାନଙ୍କୁ ବ୍ୟସ୍ତ ନହେବାକୁ ଅନୁରୋଧ କରିଛନ୍ତି। ସେମାନଙ୍କର ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ଅଛି ବୋଲି ଅର୍ଥମନ୍ତ୍ରୀ କହିଲେ ସୁଦ୍ଧା ଲୋକମାନେ ମାନିବାକୁ ନାରାଜ୍।ତେବେ ଦେଶର ଏତେ ବଡ଼ ଘରୋଇ ବ୍ୟାଙ୍କ୍ ଆଜି କାହିଁକି ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଲା? କିଭଳି ଏହି ବ୍ୟାଙ୍କର ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା ଅନେକ ଲୋକ ଜାଣିନଥିବେ।

କେମିତି ଆରମ୍ଭ ହେଲା ୟେସ୍ ବ୍ୟାଙ୍କ୍?

ରାଣା କପୁର, ଅଶୋକ କପୁର ଓ ହରକିରତ ସିଂହ ୧୯୯୯ ମସିହାରେ ଡଚ୍ ରବୋବ୍ୟାଙ୍କ୍ ନାମକ ଏକ ସଂସ୍ଥା ସହିତ ମିଶି ରବୋ ଇଣ୍ଡିଆ ଫାଇନାନ୍ସ ଆରମ୍ଭ କରିଥିଲେ। କିଛି ଦିନ ସେହିଭଳି କାମ କରିବା ପରେ  ସେମାନେ ସେହି ସଂସ୍ଥାକୁ ଏକ ବ୍ୟାଙ୍କର ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ। ହରକିରତ ସିଂହ କିନ୍ତୁ ଏହି ଯୋଜନାରୁ ଓହରିଯାଇଥିଲେ। ଶେଷରେ ୨୦୦୪ ମସିହାରେ ରାଣା କପୁର, ଅଶୋକ କପୁର ଦୁହେଁ ରବୋବ୍ୟାଙ୍କର ସହଯୋଗରେ ୟେସ୍ ବ୍ୟାଙ୍କ ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରିଥିଲେ।ମୁମ୍ବାଇରୁ ଆରମ୍ଭ ହୋଇଥିଲା ସେବା

୨୦୦୪ ମସିହାରେ ଆରମ୍ଭ ହେବା ପରେ ୟେସ୍ ବ୍ୟାଙ୍କ୍ ସେ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା। ବିଶେଷକରି ଲୋକମାନେ ଏହାର ନୂଆ ନାଁ କୁ ନେଇ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ୨୦୦୫ ମସିହାରେ ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ସେ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ଭାବେ ସମ୍ମାନିତ କରାଯାଇଥିଲା। ୨୦୦୬ ମସିହାରେ ୟେସ୍ ବ୍ୟାଙ୍କ ନିଜର ପ୍ରଥମ ଆର୍ଥିକ ବର୍ଷ ପାଳନ କରିଥିଲା। ଏହି ବର୍ଷରେ ସେ ମୋଟ୍ ୫୫.୩ କୋଟି ଟଙ୍କା ଲାଭ କରିଥିଲା।୨୦୦୯ ମସିହା ଡିସେମ୍ବର ମାସରେ ୟେସ୍ ବ୍ୟାଙ୍କ ୩୦ ହଜାର କୋଟି ଟଙ୍କାର ବାଲାନ୍ସ ସିଟ୍ ସହିତ ଦ୍ରୁତ ଅଭିବୃଦ୍ଧି ପୁରସ୍କାର ଜିତିଥିଲା। ଏପରିକି ୨୦୧୩ ମସିହାରେ ବ୍ୟାଙ୍କ୍ ସାରା ଦେଶରେ ୫ ଶହରୁ ଅଧିକ ଶାଖା ଖୋଲିଥିଲା। ଏଥିସହିତ ବ୍ୟାଙ୍କ୍ ୨୦୧୫ ମସିହାରେ ଆବୁଧାବିରେ ନିଜର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟାଳୟ ଖୋଲିଥିଲା।

ରିଜର୍ଭ ବ୍ୟାଙ୍କ ଦେଇଥିଲା ପ୍ରଥମ ଝଟକା

ୟେସ୍ ବ୍ୟାଙ୍କକୁ ପ୍ରଥମ ଝଟକା ଦେଇଥିଲା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ। ଆରବିଆଇ ଜାଣିପାରିଥିଲା ଯେ, ୟେସ୍ ବ୍ୟାଙ୍କ୍ ତା’ର କରଜ ଟଙ୍କା ଓ ବାଲାନ୍ସ ସିଟରେ ଗୋଳମାଳ କରୁଛି। ତେଣୁ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କକୁ ଏନେଇ ରିପୋର୍ଟ ଦେବାକୁ କହିଥିଲା। ୟେସ୍ ବ୍ୟାଙ୍କ୍ କିନ୍ତୁ ଏହି ରିପୋର୍ଟକୁ ଠିକ୍ ଭାବେ ଦେବାରେ ବିଫଳ ହୋଇଥିଲା। ସେହିଦିନଠାରୁ ହିଁ ୟେସ୍ ବ୍ୟାଙ୍କର ପତନର ସମୟ ଆରମ୍ଭ ହୋଇଯାଇଥିଲା।ଏଥିସହିତ ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ଚେୟାରମ୍ୟାନ୍ ରାଣା କପୁରଙ୍କୁ ତାଙ୍କ ପଦରୁ ହଟାଇଦେଇଥିଲା। ବ୍ୟାଙ୍କିଙ୍ଗ୍ ଇତିହାସରେ ଏହା ପ୍ରଥମ ଥିଲା ଯେ, ରିଜର୍ଭ ବ୍ୟାଙ୍କ କୌଣସି ଏକ ବ୍ୟାଙ୍କର ଚେୟାରମ୍ୟାନଙ୍କୁ ଜୋର ଜବରଦସ୍ତ ତାଙ୍କ ପଦରୁ ହଟାଇଥିଲା। ରାଣା କପୁର ଚେୟାରମ୍ୟାନ୍ ପଦରୁ ହଟିବା ୟେସ୍ ବ୍ୟାଙ୍କ ପାଇଁ ବଡ଼ କ୍ଷତି ଥିଲା। ୟେସ୍ ବ୍ୟାଙ୍କର ମ୍ୟାନେଜମେଣ୍ଟ ମଧ୍ୟରେ ମଧ୍ୟ ଉତ୍ତମ ତାଳମେଳର ଅଭାବ ଦେଖିବାକୁ ମିଳିଥିଲା। ଫଳରେ ଏହାର ପ୍ରଭାବ ମଧ୍ୟ ବ୍ୟାଙ୍କର ସେଆର ଉପରେ ପଡ଼ିଥିଲା।

ୟେସ୍ ବ୍ୟାଙ୍କ ଦେବାଳିଆ ହେବା ପଛର କାରଣ

ୟେସ୍ ବ୍ୟାଙ୍କ୍ ଆଜି ଦେବାଳିଆ ବୋଲି ଘୋଷିତ ହୋଇସାରିଛି। ଆଉ ୟେସ୍ ବ୍ୟାଙ୍କ ଦେବାଳିଆ ପଛର ଅସଲ କାରଣ ହେଲା ଅତ୍ୟଧିକ ପରିମାଣର ଋଣ ପ୍ରଦାନ। ୟେସ୍ ବ୍ୟାଙ୍କ୍ ଏଭଳି କିଛି ଲୋକ ଓ କମ୍ପାନିମାନଙ୍କୁ ଋଣ ଦେଇଥିଲା ଯେଉଁମାନଙ୍କୁ ଦେଶର ସମସ୍ତ ବ୍ୟାଙ୍କ ଲୋନ୍ ଦେବାକୁ ମନା କରିଦେଇଥିଲେ।

ୟେସ୍ ବ୍ୟାଙ୍କ୍ ଦିୱାନ୍ ହାଉସିଙ୍ଗ୍, ଜେଟ୍ ଏୟାରୱେଜ୍, କକ୍ସ ଆଣ୍ଡ କିଙ୍ଗ୍ସ୍, କାଫେ କଫି ଡେ’ ଭଳି କମ୍ପାନିକୁ ଋଣ ଦେଇଥିଲା। ଏହି କମ୍ପାନିମାନେ କିନ୍ତୁ ଠିକ୍ ସମୟରେ ସେମାନଙ୍କର ଋଣ ପରିଶୋଧ କରିବାକୁ ସକ୍ଷମ ହୋଇନଥିଲେ। ଯେଉଁଥି ଯୋଗୁଁ ଦେବାଳିଆ ହୋଇଯାଇଥିଲା ୟେସ୍ ବ୍ୟାଙ୍କ୍।

Comment