ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତର ସାମାଜିକ ଚଳଣିକୁ ବିଗାଡ଼ି ଦେଇଛି କରୋନା ଭାଇରସ୍‌। କରୋନା ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ସାମାଜିକ ଦୂରତା ରକ୍ଷା କରିବା ପାଇଁ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଫଳରେ ଦେଶରେ ପ୍ରଥମ ଥର ପାଇଁ ଟ୍ରେନ୍‌, ବସ୍‌ ଚଳାଚଳ ଠପ୍‌ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ହୋଇଛି। ଏହାସହ ସରକାରୀ ସ୍ତରରେ କିଛି ଅଫିସ୍‌ ଏବଂ ଘରୋଇ କମ୍ପାନି ୱାର୍କ ଫ୍ରମ ହୋମ୍‌ ଆରମ୍ଭ କରିଛନ୍ତି। ଏସବୁ ଭାରତ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ଚୀନର ଉହାନ୍‌ ସହରରୁ ଆସିଥିବା କରୋନା ଭାଇରସ୍‌ ଇୟୁରୋପ ଏବଂ ଆମେରିକାରେ ତାଣ୍ଡବ ରଚିଛି। ହଜାର ହଜାର ଲୋକଙ୍କ ପ୍ରାଣନେବା ପରେ ଏହି ମହାମାରୀ ଏବେ ଭାରତରେ ପ୍ରବେଶ କରିଛି। ବର୍ତ୍ତମାନସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ ଟପିଛି।

ଟ୍ରେନ୍‌ ବାତିଲ

କରୋନାକୁ ରୋକିବା ପାଇଁ ପଦକ୍ଷେପ ସ୍ୱରୂପ କମ୍ୟୁନିକେସନ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ରବିବାର ସାରା ଦେଶରେ ‘ଜନତା କର୍ଫ୍ୟୁ’ ପାଳନ ହୋଇଥିବା ବେଳେ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତକୁ ଯିବା ଆସିବା କରିବାର ବଡ଼ ମାଧ୍ୟମ ଥିଲା ଟ୍ରେନ୍‌। ହେଲେ କରୋନା ପାଇଁ ରେଳ ମନ୍ତ୍ରାଳୟ ମାର୍ଚ୍ଚ ୨୯ ଯାଏଁ ସବୁ ଟ୍ରେନ୍‌ ବାତିଲ କରିଛନ୍ତି। ଲୋକ ଏକାଠି ନହେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଅନ୍ତର୍ଜାତୀୟ ବିମାନସେବା ବନ୍ଦ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନସେବା ବନ୍ଦ ରଖିଛନ୍ତି ଭାରତ ସରକାର। ଭାରତରୁ କୌଣସି ଦେଶକୁ ବିମାନ ଯାଇ ପାରିବ ନାହିଁ କି ଅନ୍ୟ ଦେଶରୁ ଆସି ପାରିବ ନାହିଁ। ଏହି କଟକଣା ପ୍ରଥମେ କରୋନା ସଂକ୍ରମିତ ଦେଶକୁ ଲାଗୁ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦେଶ ପାଇଁ ଏହି କଟକଣା ଜାରି କରାଯାଇଥିଲା। ଏପଟେ ବିଦେଶରୁ ଆସୁଥିବା ଲୋକଙ୍କ ଭିସା ମଧ୍ୟ ବାତିଲ କରାଯାଇଛି।

ଲକ୍‌ଡାଉନ୍‌

ଜନତା କର୍ଫ୍ୟୁ ପରେ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଓଡ଼ିଶାରେ ୫ ଜିଲ୍ଲା ଏବଂ ୮ ସହର ଲକ୍‌ଡାଉନ୍‌ ରହିଥିବା ବେଳେ ୱାର୍କ ଫ୍ରମ ହୋମ୍‌ କିଛି କମ୍ପାନି ଆରମ୍ଭ କରିଛନ୍ତି। ଏପଟେ ରାଜସ୍ଥାନ ଏବଂ ପଞ୍ଜାବକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ମହାରାଷ୍ଟ୍ରର ୩ଟି ସହର ସମେତ ଦିଲ୍ଲୀ ବି ଲକ୍‌ଡାଉନ୍‌ ରହିଛି।

Comment