ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏବେ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ହୋଇ ରହିଛି ଇଟାଲି। ଚୀନରୁ ସୃଷ୍ଟି କରୋନା ଇଟାଲିରେ ରଚୁଛି ତାଣ୍ଡବ।

ଚୀନର ଉହାନରୁ ସୃଷ୍ଟି ହୋଇଥିବା ଭାଇରସ୍‌ କରୋନାର ନଜର ଏବେ ପୂରା ବିଶ୍ୱରେ ପଡ଼ିଛି। ଏହି ଭାଇରସର ଅଧିକ ପ୍ରଭାବ ଚୀନ ଓ ଇଟାଲିରେ ଦେଖାଦେଇଛି। ଅବଶ୍ୟ ଏକଥା ସତ ଯେ, ଉହାନ ସହରରୁ ପ୍ରଥମେ ସୃଷ୍ଟି ହୋଇଥିବା ଏହି ଭାଇରସ ସମଗ୍ର ଦୁନିଆକୁ ହଲାଇ ଦେଇଛି। ଇଟାଲିର ମୃତ୍ୟୁ ସଂଖ୍ୟା ଚୀନଠାରୁ ଅଧିକ। ବର୍ତ୍ତମାନ କରୋନା କାରଣରୁ ଇଟାଲିରେ ୮ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ମନକୁ ପ୍ରଶ୍ନ ଉଠୁଛି ଯେ, ଇଟାଲିରେ ଏଭଳି ଅନିୟନ୍ତ୍ରିତ ପରିସ୍ଥିତି ଉପୁଜିଲା କିପରି? ପ୍ରାୟ ୮ ହଜାର କିଲୋମିଟର ଦୂରତାରେ ଥିବା ଇଟାଲୀ କାହିଁକି  ଚୀନ ଭାଇରସର ଶିକାର ହେଲା ଓ କିଭଳି ଏହି ଭୂତାଣୁ ସେଠାକୁ ବ୍ୟାପିଲା ?

ଇଟାଲିରେ ୮୦, ୫୮୯ କରୋନା ଆକ୍ରାନ୍ତ:

ଇଟାଲିରେ ୮୦ ହଜାରରୁ ଅଧିକ ଲୋକ କରୋନା ଭୂତାଣୁରେ ସଂକ୍ରମିତ ଅଛନ୍ତି। ଏଥିରୁ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହାସହ ୧୦ ହଜାର ଲୋକ ଏଥିରୁ ସୁସ୍ଥ ହୋଇସାରିଛନ୍ତି।

ସମଗ୍ର ବିଶ୍ୱରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇଟାଲିରେ ଅଛନ୍ତି।

କେବେ ଆସିଲା ପ୍ରଥମ ମାମଲା?

ଉହାନର ସୃଷ୍ଟି ହୋଇଥିବା କରୋନା ୨୦ ଫେବ୍ରୁଆରିରେ ଇଟାଲିରେ ପହଞ୍ଚିଥିଲା। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା ଇଟାଲିରେ ବହୁ ପୂର୍ବରୁ ପହଞ୍ଚିଥିଲା, ହେଲେ ଲକ୍ଷଣ ଜଣାପଡ଼ି ନଥିଲା। ଏହାସହ କରୋନାର ପରିଚୟ ବହୁ ବିଳମ୍ବରେ ମିଳିପାରିଥିଲା। ହେଲେ ସେତେବେଳକୁ ସବୁ ଡେରି ହୋଇଯାଇଥିଲା। ଏହାରି ଭିତରେ ଶହ ଶହ ହଜାର ହଜାର ଲୋକ ସଂକ୍ରମିତ ହୋଇସାରିଥିଲେ।

କାହିଁକି ଇଟାଲିରେ ଅଧିକ ସଂକ୍ରମିତ:

ପ୍ରତିଷ୍ଠିତ ବ୍ରାଣ୍ଡ ଯଥା ଗୁଚୀ ଓ ପ୍ରାଡାର ଜନ୍ମ ସ୍ଥାନ ହେଉଛି ଇଟାଲୀ। ଯେହେତୁ ଚୀନ ସବୁଠୁ ଶସ୍ତାରେ ମ୍ୟାନୁଫେକଚରିଙ୍ଗ ସୁବିଧା ଯୋଗାଇ ଦେଇଥାଏ, ସେଥିପାଇଁ ଇଟାଲୀର ଅଧିକାଂଶ ଫ୍ୟାସନ ବ୍ରାଣ୍ଡ ଚୀନ ସହିତ ମିଶି ଗାର୍ମେଣ୍ଟ ଉତ୍ପାଦନ କରିଥାନ୍ତି। ଇଟାଲୀର ଫ୍ୟାସନ କମ୍ପାନିମାନେ ଚୀନର ଶସ୍ତା କାରିଗରମାନଙ୍କୁ ଆଣି କାମରେ ଲଗାଇଥାନ୍ତି। ଇଟାଲୀରେ ନିୟୋଜିତ ଅଧିକାଂଶ ପୋଷାକ କାରିଗର ହେଉଛନ୍ତି ଉହାନର ନାଗରିକ।

ଅନ୍ୟ ଏକ ହିସାବ ଅନୁଯାୟୀ ଇଟାଲୀରେ ଚୀନର ପ୍ରାୟ ୩ ଲକ୍ଷ ଫ୍ୟାସନ କାରିଗର ରହିଛନ୍ତି ଯେଉଁମାନେ କି ବିଭିନ୍ନ କାରଖାନାରେ କାମ କରନ୍ତି।

ଅନ୍ୟ ଏକ କାରଣ ଇଟାଲିରେ କରୋନା ଭୂତାଣୁ ବିଷୟରେ ତଥ୍ୟ ଡେରିରେ ମିଳିଥିଲା। ଇଟାଲି ସରକାରଙ୍କ ନିଦ ଭାଙ୍ଗିବା ବେଳେକୁ ରୋଗ ସାରା ଦେଶରେ ବ୍ୟାପି ସାରିଥିଲା।

ଆଉ ଏକ କାରଣ ହେଉଛି ଇଟାଲି ନାଗରିକରେ ବହୁ ବୃଦ୍ଧ ଲୋକ ଅଛନ୍ତି। ଇଟାଲିରେ କରୋନା ଜୀବାଣୁରେ ମୃତ୍ୟୁବରଣ କରୁଥିବା ଲୋକଙ୍କର ହାରାହାରି ବୟସ ୮୧ ବର୍ଷ।

ପ୍ରାଥମିକ ଅବସ୍ଥାରେ ଏହି ଭୂତାଣୁରେ ପୀଡ଼ିତ ଲୋକଙ୍କୁ ସାଧାରଣ ଫ୍ଲୁ ଭାବି ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା। ସାଧାରଣ ନିମୋନିଆ, ଥଣ୍ଡା ଜ୍ଵର ରୋଗୀଙ୍କ ଭଳି ଏମାନଙ୍କ ଚିକିତ୍ସା କରାଯାଉଥିଲା। ପରେ ପୂରା ହସ୍ପିଟାଲ ସଂକ୍ରମିତ ହୋଇଥିଲା। ଏପରି ଭାବେ କରୋନା ପୂରା ଇଟାଲିକୁ ବ୍ୟାପିଗଲା।

ଇଟାଲି ସରକାର ଏବେ କ’ଣ କରୁଛି?

ଏହି ଭୂତାଣୁକୁ ମୂଳପୋଛ କରିବା ପାଇଁ ଇଟାଲି ସରକାର ବଡ଼ ପଦକ୍ଷେପ ନେଇଛି। ଏବେ ସମଗ୍ର ଦେଶକୁ ତାଲା ପକାଇ ଦିଆଯାଇଛି। ବିନା ଅନୁମତିରେ ଘରୁ ବାହାରିଲେ ଲୋକମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି।

ସମଗ୍ର ଇଟାଲିରେ ସ୍କୁଲ , କଲେଜ ବନ୍ଦ ରହିଛି। ସାମାଜିକ ଉତ୍ସବକୁ ବନ୍ଦ କରାଯାଇଛି। ସର୍ବସାଧାରଣ ସ୍ଥାନ, ଜିମ୍‌, ସିନେମା ସବୁ ବନ୍ଦ ରହିଛି।

କରୋନା ଭାଇରସ୍‌ର ଉତ୍ପତି ସ୍ଥଳ ଚୀନରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରିତ ଥିବାବେଳେ ଇଟାଲି ଏବେ ବି ଲଢ଼େଇ କରୁଛି।

Comment