ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତକୁ ଟି -୨୦ ବିଶ୍ୱକପ ଜିତାଇଥିବା ଯୋଗୀନ୍ଦିର ଶର୍ମା ବର୍ତ୍ତମାନ ଲୋକଙ୍କୁ କରୋନାଠାରୁ ରକ୍ଷା କରୁଛନ୍ତି।

ଭାରତରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ କରାଇବା ପାଇଁ ନିଜର କର୍ତ୍ତବ୍ୟ ପଥକୁ ଓହ୍ଲାଇଛନ୍ତି ଭାରତର ପୂର୍ବତନ ଦ୍ରୁତ ବୋଲର ଯୋଗୀନ୍ଦିର ଶର୍ମା। ବର୍ତ୍ତମାନ ସେ ହରିୟାଣା ପୋଲିସରେ ଡିଏସପି ଦାୟିତ୍ଵରେ ରହିଛନ୍ତି। ଏଥିପାଇଁ ମୁହଁରେ ମାସ୍କ ଲଗାଇ ଲକ୍‌ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି ଯୋଗୀନ୍ଦିର ଶର୍ମା।

କରୋନା ଭାଇରସ ଯୋଗୁଁ ସାରା ଦେଶକୁ ଏପ୍ରିଲ ୧୪ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ଯୋଗୀନ୍ଦିର ଲୋକମାନଙ୍କୁ ଲକଡାଉନ୍ ନିମୟ ଅନୁସରଣ କରିବା ସହ କରୋନା ଭାଇରସଠାରୁ ପାଇବା ପାଇଁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି। ଏନେଇ ଯୋଗୀନ୍ଦିରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଗୀନ୍ଦିରଙ୍କ କାମକୁ ଦେଖି ଆସିସି ମଧ୍ୟ ତାଙ୍କ ପ୍ରଶଂସା କରିଛି।

“୨୦୦୭ ମସିହା ଟି-୨୦ର ହିରୋ ୨୦୨୦ ମସିହାରେ ବିଶ୍ଵ ସ୍ଵାସ୍ଥ୍ୟ ସଙ୍କଟରେ ପ୍ରକୃତ ହିରୋ ପାଲଟିଛି। ଭାରତର ପୂର୍ବତନ ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା କ୍ରିକେଟ୍ କ୍ୟାରିୟର ପରେ ଏଭଳି ସଙ୍କଟ ସମୟରେ ପୋଲିସ୍ ଭାବରେ ନିଜର କର୍ତ୍ତବ୍ୟ କରୁଛନ୍ତି”, ଟୁଇଟ କରି ଏହା କହିଛି ଆଇସିସି।

ଏହାପୂର୍ବରୁ ଯୋଗୀନ୍ଦିର ଶର୍ମା ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲୋକଙ୍କୁ ଲକ୍‌ଡାଉନ ନିୟମ ମାନିବାକୁ ନିବେଦନ କରିଥିଲେ। ଏହାସହ ଏହି ସମୟରେ ଲୋକଙ୍କୁ ଘରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ।

ଯୋଗୀନ୍ଦିର ଶର୍ମା ଭାରତର ପାଇଁ ୪ଟି ଦିନିକିଆ ମ୍ୟାଚ୍ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତେବେ ୨୦୦୭ ମସିହା ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚରେ ସେ ଶେଷ ଓଭର ବୋଲିଂ କରିଥିଲେ। ଶେଷ ଓଭରରେ ସେ ମସ୍‌ବା-ଉଲ-ହକଙ୍କ ଓ୍ଵିକେଟ ନେଇ ଭାରତକୁ ବିଜୟୀ କରାଇଥିଲେ।

ଭାରତରେ କରୋନା ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୯୭୯ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ଜଣ ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

Comment