ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ହୁ ହୁ ହୋଇ କରୋନା ଭାଇରସ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ ଭାଇରସ ଦ୍ଵାରା ଅଧିକ ଆକ୍ରାନ୍ତ ହେଉଛନ୍ତି। ତେବେ କେତେକ ଖରାପ ଅଭ୍ୟାସ ଆମ ଶରୀର ରୋଗ ପ୍ରତିରୋଧକ ଶକ୍ତି କମାଇ ଦେଇପାରେ। ସେହି ଖରାପ ଅଭ୍ୟାସଗୁଡ଼ିକ କ’ଣ? ଆସନ୍ତୁ ଜାଣିବା।

୧. ଅଫିସରେ କାମ କରୁଥିବା ବେଳେ କିମ୍ବା ଓ୍ଵାର୍କ ଫ୍ରମ ହୋମ କରୁଥିଲେ ଅତ୍ୟଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଚାପଗ୍ରସ୍ତ ହେଲେ ଆମ ଶରୀରରୁ ଷ୍ଟେରଏଡ ହରମୋନ କ୍ଷରଣ ହୋଇଥାଏ। ଏହି ଷ୍ଟେରଏଡ ହରମୋନ ଅଧିକ କ୍ଷରଣ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ।

୨. କରୋନା ଭାଇରସ ଯୋଗୁଁ ଲକ୍‌ଡାଉନ ଘୋଷଣା ହୋଇଛି। ଏହି ସମୟରେ ଘରେ ରହି କେବଳ ଗୋଟିଏ ଯାଗାରେ ବସି ରୁହନ୍ତୁ ନାହିଁ। କିଛି ସମୟ ଅନ୍ତରାଳରେ ଘରେ କୌଣସି ଶାରିରୀକ ପରିଶ୍ରମ କରନ୍ତୁ। ଏହାଦ୍ଵାରା ଶରୀରର ଥିବା କୋଶିକାଗୁଡ଼ିକ ସକ୍ରିୟ ରହିଥାନ୍ତି। ଏହାଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିନଥାଏ।

 ୩. ଅନିଦ୍ରା ରୁହନ୍ତୁ ନାହିଁ। ଘରେ ରହିଥିବା ବେଳେ ଅଧିକା ସମୟ ଟିଭି କିମ୍ବା ମୋବାଇଲ ସହ ବିତାନ୍ତୁ ନାହିଁ। ଅନିଦ୍ରା ରହିଲେ ଶରୀରର କୋଷିକାଗୁଡ଼ିକ ସୁପ୍ତ ହୋଇଯାଆନ୍ତି। ଫଳରେ ଶରୀର କ୍ଲାନ୍ତ ଅନୁଭବ କରିଥାଏ।

୪. ଯଦି ଆପଣ କୌଣସି ମାଦକ ଦ୍ରବ୍ୟ ସେବନ କରୁଛନ୍ତି ତେବେ ଏହାକୁ ତୁରନ୍ତ ଛାଡ଼ିବାକୁ ହେବ। ମଦ, ସିଗାରେଟ ଭଳି ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନେ ଏନେଇ ସଜାଗ ହେବାକୁ ପଡ଼ିବ। ଶରୀରରେ ନିକୋଟିନ ବା ଆଲ୍‌କହଲର ମାତ୍ରା ଅଧିକ ହେଲେ ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା ଯେ ଶରୀରରେ ଆଲ୍‌କହଲର ମାତ୍ରା ଅଧିକା ହେଲେ କରୋନା ସଂକ୍ରମିତ ହେବ ନାହିଁ। ଏଭଳି ଗୁଜବଠାରୁ ଦୂରରେ ରୁହନ୍ତୁ।

୫. ନଖ କାମୁଡ଼ା ଭଳି ବଦଭ୍ୟାସ ଥିଲେ ଏହାକୁ ଛାଡ଼ନ୍ତୁ। ବାରମ୍ବାର ନଖ କାମୁଡ଼ିଲେ ନଖରେ ଥିବା ବିଭିନ୍ନ ଜୀବାଣୁ ବା ଭୂତାଣୁ ଆମ ଶରୀରରେ ପ୍ରବେଶ କରିପାରେ। ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏହାଛଡ଼ା କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ବାରମ୍ବାର ମୁହଁରେ ହାତ ମାରିବାକୁ ବାରଣ କରାଯାଉଛି। ଏହାସହ ନିୟମିତ ସମୟ ବ୍ୟବଧାନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି।

ଭାରତରେ କରୋନା ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ମୃତ୍ୟୁ ହୋଇଛି। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତା ରକ୍ଷା ପାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୪ ତାରିଖ ଯାଏଁ ସାରାଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି।

Comment