ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

ପବନରେ ରହେ ନାହିଁ କରୋନା ଭାଇରସ। ଏନେଇ ସ୍ପଷ୍ଟୀକରଣ କଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

କରୋନାକୁ ନେଇ ଲୋକଙ୍କ ମନରେ ନାନା ପ୍ରକାର ଆଶଙ୍କା ରହିଛି। ବାହାରେ ବୁଲିଲେ କିମ୍ବା ପବନ ଦ୍ଵାରା କରୋନା ଭାଇରସ ସଂକ୍ରମଣ ହୋଇପାରେ ବୋଲି ଗୁଜବ ହେଉଥିଲା। ତେବେ ପବନରେ କରୋନା ଭାଇରସ ରହେ ନାହିଁ। ଏନେଇ ଲୋକଙ୍କ ଭ୍ରମ ଦୂର କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଟୁଇଟ କରି ସ୍ପଷ୍ଟୀକରଣ କରିଛି।

“କରୋନା ଭାଇରସ ଜଣେ ସଂକ୍ରମତି ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ପବନରେ ଏହି ଭାଇରସ ରହି ନଥାଏ। କରୋନା ସଂକ୍ରମିତ ବ୍ୟକ୍ତି କାଶିବା ବା ଛିଙ୍କିବା ଦ୍ଵାରା ତା ମୁହଁରୁ ବାହାରୁଥିବା ଡ୍ରପଲେଟ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ପଡ଼ିଲେ କରୋନା ସଂକ୍ରମଣର ଆଶଙ୍କା ରହିଛି”। ଟୁଇଟ କରି ଏହି ସ୍ପଷ୍ଟୀକରଣ ଦେଇଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ।

କରୋନା ସଂକ୍ରମଣଠାରୁ ବଞ୍ଚିବା ପାଇଁ ପରସ୍ପର ମଧ୍ୟର ୧ମିଟର ଦୂରତା ରକ୍ଷା କରିବା ଆବଶ୍ୟକ। ନିୟମିତ ସମୟ ଅନ୍ତରାଳରେ ହାତ ଧୋଇବା ଆବଶ୍ୟକ। ଏହାସହ ବାରମ୍ବାର ମୁହଁକୁ ଛୁଇଁବା ବନ୍ଦ କରିବାକୁ ହେବ। ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସୂଚନା ଦେଇଛି।

କରୋନାକୁ ନେଇ ସୋସିଆଲ ମିଡିଆରେ ନାନା ଗୁଜବ ହେଉଛି। ଏହି ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି। କରୋନା ଭାଇରସକୁ ରୋକିବାର ଏକ ମାତ୍ର ଉପାୟ ହେଉଛି ସାମାଜିକ ଦୂରତା ରକ୍ଷା କରିବା।

ସାରାବିଶ୍ଵରେ କରୋନା ମହାମାରୀର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୬ଲକ୍ଷ ୩୮ହଜାର ୧୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୩୦ହଜାର ୧୦୫ଜଣଙ୍କ ମୃତ୍ୟୁ ହୋଇଛି।

ଭାରତରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଏପ୍ରିଲ ୧୪ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment