ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା କରୁଛି ଓଡ଼ିଶା। ସହରାଞ୍ଚଳରୁ ପଞ୍ଚାୟତ ଯାଏଁ ବ୍ୟାପକ ବ୍ୟବସ୍ଥା। ସ୍ଵତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ଉପରେ ଫୋକସ୍‌।

  • ସହରରୁ ପଞ୍ଚାୟତ ସବୁଠି ବ୍ୟାପକ ବ୍ୟବସ୍ଥା
  • କାର୍ଯ୍ୟକ୍ଷମ ହେଲା ୬୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ
  • ଭୁବନେଶ୍ୱର କିମ୍‌ସରେ ୫୦୦, କଟକ ଅଶ୍ୱିନୀ ହସ୍ପିଟାଲରେ ୧୦ ଶଯ୍ୟା
  • ସମ୍‌ରେ ୫୦୦ ଶଯ୍ୟା ହସ୍ପିଟାଲ ପାଇଁ ଜୋରଦାର ପ୍ରସ୍ତୁତି
  • ରାଉରକେଲାରେ ହାଇଟେକ୍‌ ମେଡିକାଲ ସହ ୨୦୦ ବେଡ୍‌ ପାଇଁ ଚୁକ୍ତି
  • ସ୍ୱତନ୍ତ୍ର ହସ୍ପିଟାଲରେ ରୋଗୀଙ୍କୁ ରହିବା ଖାଇବା ମାଗଣା
  • କଟକ ଏସ୍‌ସିବି, ଭୁବନେଶ୍ୱର ଏମ୍‌ସରେ ସ୍ୱତନ୍ତ୍ର ପ୍ରସ୍ତୁତି
  • ପ୍ରତି ପଞ୍ଚାୟତରେ ଆଇସୋଲେସନ ବ୍ୟବସ୍ଥା

କୋଭିଡ୍‌-୧୯ ବା କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। କରୋନାଠାରୁ ଦୂରେଇ ରହିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନେଇଥିବା ବେଳେ ସ୍ୱତନ୍ତ୍ର ହସ୍ପିଟାଲ କାର୍ଯ୍ୟକ୍ଷମ ଉପରେ ମଧ୍ୟ ନଜର ରଖିଛନ୍ତି। ଏହି ସ୍ୱତନ୍ତ୍ର ହସ୍ପିଟାଲରେ ରୋଗୀଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରାଯିବ।

କରୋନା ରୋଗୀଙ୍କ ପାଇଁ ଆଜି ଓଡ଼ିଶାରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱର କିମ୍‌ସରେ ୫୦୦ ବେଡ୍‌ ଏବଂ କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏହାସହ କରୋନା ଲଢ଼େଇରେ ସାମିଲ ହୋଇଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି।

ଏହି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲରେ ରୋଗୀଙ୍କ ରହିବା ଓ ଖାଇବା ମାଗଣାରେ ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ଏପଟେ ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ମଧ୍ୟ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲରେ ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ଦୁଇ ଦିନ ଭିତରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କିମ୍‌ସ ଏବଂ ସମ୍‌ ହସ୍ପିଟାଲ ସହ ଚୁକ୍ତି କରିଥିଲେ। ଏହି ଦୁଇଟି ହସ୍ପିଟାଲରେ ୧୦୦ ବେଡ୍‌ର ବ୍ୟବସ୍ଥା ପାଇଁ ଚୁକ୍ତି ହୋଇଥିଲା।

ଏପଟେ ସୁନ୍ଦରଗଡ଼ରେ ମଧ୍ୟ କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ସ୍ୱତନ୍ତ୍ର ହସ୍ପିଟାଲ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ରାଉରକେଲା ହାଇଟେକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ଏହି ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ହସ୍ପିଟାଲରେ ଆଇସୋଲେସନ ୱାର୍ଡ ସହିତ ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା ରହିବ। ଏପଟେ ବିଭିନ୍ନ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇସୋଲେସନ ବ୍ୟବସ୍ଥା କରିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି।

କଟକର ଏସ୍‌ସିବି ମେଡିକାଲ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ସମେତ ପ୍ରମୁଖ ସରକାରୀ ମେଡିକାଲ କେଲଜ ଆଣ୍ଡ ହସ୍ପିଟାଲରେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

କଟକ ଏସ୍‌ସିବରେ ଆଇସୋଲେସନ ବେଡ୍‌ ୩୪୦ଟି ଥିବା ବେଳେ କ୍ୱାରେଣ୍ଟାଇନ୍‌ ବେଡ୍‌ ୧୭୬, ୧୨ ଆଇସିୟୁ ପ୍ରସ୍ତୁତ ହୋଇ ରହିଛି।

ପ୍ରତି ପଞ୍ଚାୟତରେ ମଧ୍ୟ କରୋନା ମୁକାବିଲା ପାଇଁ ସରକାର ଫୋକସ୍‌ କରିଛନ୍ତି। ମାର୍ଚ୍ଚ ୨୦ରେ ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରେ ୭ ହଜାର ୧୭୬ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ବ୍ୟବସ୍ଥା କରାଯାଇଛି। ଏହିସବୁ କ୍ୟାମ୍ପରେ ୫୦ରୁ ୧୦୦ ଶଯ୍ୟା ରହିବ। ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବେ ବୋଲି ସୂଚନା ଦେଇଥିଲେ। ସେହିପରି ସହରାଞ୍ଚଳରେ ଥିବା କିଛି କୋଠାରେ ଆଇସୋଲେସନ ସେଣ୍ଟର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୪୫୦ କୋଠା ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Comment