ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସଠାରୁ ରକ୍ଷା ପାଇବା ବିଭିନ୍ନ ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତୁ ଜାଣିବା, କେଉଁ ଦେଶରେ କଣ ଲକ୍‌ଡାଉନ ନିୟମ ରହିଛି?

ସାରା ବିଶ୍ଵରେ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସାମାଜିତ ଦୂରତା ରକ୍ଷା କରିବା। ଏହାକୁ ଦୃଷ୍ଟିରେ ରଖି ବିଶ୍ଵର ପ୍ରାୟ ସମସ୍ତ କରୋନା ସଂକ୍ରମିତ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ତେବେ ଲକ୍‌ଡାଉନକୁ ନେଇ ବିଭିନ୍ନ ଦେଶରେ ଅଜବ ଗଜବ ନିୟମ ରହିଛି। ଆସନ୍ତୁ ଜାଣିବା, ସେ ନିୟମଗୁଡ଼ିକ କ’ଣ?

ପାନାମା

ମଧ୍ୟ ଆମେରିକାରେ ଥିବା ଏହି ଦେଶ ମଧ୍ୟ କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହିଁ। ଏଥିପାଇଁ ସାରାଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଅନ୍ୟ ଦେଶ ଭଳି ଏଠାରେ ମଧ୍ୟ କେବଳ ଜରୁରୀ ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିଛି। ତେବେ ପାନାମାରେ ଲକ୍‌ଡାଉନ ନିୟମ ଟିକେ ଭିନ୍ନ ରହିଛି।

ଲକ୍‌ଡାଉନରେ ସପ୍ତାହରେ ୩ଦିନ ମହିଳାଙ୍କୁ ଘରୁ ୨ଘଣ୍ଟା ପାଇଁ ବାହାରି ଜିନିଷ କିଣିବାକୁ ଅନୁମତି ଦିଆଯାଇଛି। ସେହିଭଳି ପୁରୁଷମାନଙ୍କୁ ମଧ୍ୟ ସପ୍ତାହର ୩ଦିନ ୨ଘଣ୍ଟା ପାଇଁ ବାହାରି ଜିନିଷ କିଣିବାକୁ ଅନୁମତି ମିଳିଛି। ମହିଳାମାନେ ସୋମବାର, ବୁଧବାର ଓ ଶୁକ୍ରବାର ବାହାରକୁ ଯାଇ ଜରୁରୀ ଜିନିଷ କିଣି ପାରିବେ। ସେପଟେ ପୁରୁଷମାନେ ମଙ୍ଗଳବାର, ଗୁରୁବାର ଓ ଶନିବାର ବାହାରକୁ ଯାଇପାରିବେ। ରବିବାର କେହି ଘରୁ ବାହାରକୁ ଯାଇପାରିବେ ନାହିଁ। ଏହି ଆଇନ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଠାକାର ସରକାର।

କୋଲମ୍ବିଆ

କୋଲମ୍ବିଆରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ହୋଇଛି। ଏଥିପାଇଁ ଏହି ଦେଶରେ ମଧ୍ୟ ଲକ୍‌ଡାଉନ ଘୋଷଣା ହୋଇଛି। ଏହି ଦେଶରେ ଲୋକଙ୍କ ନାସନାଲ ଆଇଡିରେ ଥିବା ଅନ୍ତିମ ନମ୍ବରକୁ ନେଇ ସେମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉଛି। ଉଦାହରଣ ସ୍ଵରୁପ ଯେଉଁମାନଙ୍କ ନାସ୍‌ନାଲ ଆଇଡିର ଶେଷ ନମ୍ବର ୦, ୪, ୭ ରହିଛି ସେମାନଙ୍କୁ କେବଳ ସୋମବାର ଦିନ ଘରୁ ବାହାରିବାକୁ ଦିଆଯାଉଛି। ସେହିଭଳି ଯେଉମାନଙ୍କ ଶେଷ ଅଙ୍କ ୧, ୫, ୮ ରହିଛି ସେମାନଙ୍କୁ ମଙ୍ଗଳବାର ଦିନ ଘରୁ ବାହାରିବାକୁ ଅନୁମତି ଦିଆଯାଇଛି।

ସର୍ବିଆ

କରୋନା ଯୋଗୁଁ ସର୍ବିଆରେ ମଧ୍ୟ ଲକ୍‌ଡାଉନ ଘୋଷଣା ହୋଇଛି। ତେବେ ଲକ୍‌ଡାଉନକୁ ନେଇ ଏଠାରେ ଏକ ଅଜବ ନିୟମ ରହିଛି। ଲକ୍‌ଡାଉନ ବେଳେ ରାତିରୁ ୮ଟାରୁ ରାତି ୯ଟା ଯାଏଁ ଗୃହ ପାଳିତ ପଶୁଙ୍କୁ ଘର ବାହାରକୁ ବୁଲାଇ ନେବାକୁ ଅନୁମତି ଦିଆଯାଇଛି। ଏହି ନିୟମକୁ କେତେକ ଲୋକେ ବିରୋଧ ମଧ୍ୟ କରିଛନ୍ତି।

ବେଲାରୁଷ

ବେଲାରୁଷରେ କେବଳ ନାମମାତ୍ରକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଯାହାକୁ ନେଇ ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜେଣ୍ଡର ଲୁକାଶେନ୍‌କୋଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଲକ୍‌ଡାଉନ ଘୋଷଣା ହୋଇଥିଲେ ସୁଦ୍ଧା ଏହି ଦେଶରେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ନିକଟରେ ଏଠାରେ ଜାତୀୟ ଆଇସ୍ ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଗଣମାଧ୍ୟମ ଯେତେବେଳେ ତାଙ୍କୁ ପ୍ରଶ୍ନ କଲେ ସେ କହିଥିଲେ ଯେ, ବେଲାରୁଷରେ କରୋନା ଭାଇରସ ନାହିଁ। ଏଠି ଖାଲି ବରଫ ରହିଛି। ବରଫ ଯୋଗୁଁ ଭାଇରସ ବେଲାରୁଷ ଆସି ପାରିବ ନାହିଁ।

ସ୍ଵିଡେନ୍

ସ୍ଵିଡେନରେ ଏପର୍ଯ୍ୟନ ୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ତେବେ ଏଠାରେ ଲକ୍‌ଡାଉନ ନିୟମ କୋହଳ ଥିବା ଜଣା ପଡ଼ିଛି। ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିଲେ ସୁଦ୍ଧା ଏଠାରେ ସ୍କୁଲ ରେସ୍ତୋରାଁ ଓ ପବ୍‌ ଆଦି ଚାଲୁ ରହିଛି। କୌଣସି ସ୍ଥାନରେ ୫୦ଜଣରୁ ଅଧିକ ଲୋକ ଏକାଠି ହେବା ଉପର କଟକଣା ଜାରି କରାଯାଇଛି। ତେବେ ଲୋକେ ଏହାକୁ ମାନୁନଥିବା ନଜରକୁ ଆସିଛି। କରୋନାକୁ ନେଇ ଦେଶରେ ଲୋକେ ବିଶେଷ ଚିନ୍ତିତ ଥିବା ଜଣା ପଡ଼ୁନାହିଁ।

ମାଲେସିଆ

ମାଲେସିଆରେ ଆଂଶିକ ଲକ୍‌ଡାଉନ ଘୋଷଣା ହୋଇଛି। ତେବେ ଏହି ସମୟରେ ଦେଶର ମହିଳାମାନଙ୍କୁ ନେଇ ଏକ ଅଜବ ଘୋଷଣା ହୋଇଥିଲା। ଲକ୍‌ଡାଉନ ସମୟରେ ଦେଶର ମହିଳାମାନଙ୍କୁ ଘରେ ଝଗଡ଼ା ନକରିବାକୁ କୁହାଯାଇଥିଲା। ଯାହାକୁ ନେଇ ନାନା ବିବାଦ ଦେଖା ଦେଇଥିଲା। ଏନେଇ ମାଲେସିଆ ସରକାରଙ୍କ ପକ୍ଷରୁ ଏକ କାର୍ଟୁନ ମଧ୍ୟ ଜାରି କରାଯାଇଥିଲା। ସୋସିଆଲ ମିଡିଆରେ ଏହାର ବିରୋଧ ହେବା ପରେ ଏହି ଭିଡିଓକୁ ଡିଲିଟ୍ କରାଯାଇଥିଲା।

ତୁର୍କମେନୀସ୍ତାନ

ତୁର୍କମେନୀସ୍ତାନରେ ଲକ୍‌ଡାଉନ ଘୋଷଣା ହୋଇନାହିଁ। ତେବେ ଏଠାରେ କରୋନା ଭାଇରସ ଶବ୍ଦ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏହି ଦେଶରେ କୌଣସି ବ୍ୟକ୍ତି ମାସ୍କ ପିନ୍ଧିଲେ ବା କରୋନା ଭାଇରସକୁ ନେଇ ଚର୍ଚ୍ଚା କଲେ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାକାର ଗଣମାଧ୍ୟମ ଉପରେ ମଧ୍ୟ କରୋନା ଭାଇରସ କିମ୍ବା ଲକ୍‌ଡାଉନ ଭଳି ଶବ୍ଦ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ତୁର୍କମେନୀସ୍ତାନର ପଡ଼ୋଶୀ ଦେଶ ଇରାନରେ କରୋନା ଭାଇରସରେ ସଂକ୍ରମିତ ହୋଇ ଏକ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ତେବେ ତୁର୍କମେନୀସ୍ତାନରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

ଅଷ୍ଟ୍ରିଆ

ଅଷ୍ଟ୍ରିଆରେ କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ବିଶେଷ କରି ସାର୍ବଜନିକ ସ୍ଥାନ ଓ ମଲ ଭିତରକୁ ପଶିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ଯେଉଁମାନେ ସୁସ୍ଥ ଅଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କିନ୍ତୁ ଯେଉଁମାନେ କରୋନା ଆକ୍ରାନ୍ତଙ୍କ ଯତ୍ନ ନେଉଥାନ୍ତି ସେମାନଙ୍କୁ ମାସ୍କ ପିନ୍ଧିବାକୁ ହେବ। ପୂର୍ବରୁ ସ୍ଲୋଭାକିଆ ଏବଂ ହେର୍ଜେଗୋଭିନା ଭଳି ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା।

କରୋନାକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୪୨ହଜାର ୨ଜଣ ଆକ୍ରାନ୍ତ ମୃତ୍ୟୁ ହୋଇଛି। ଏହା ମହାମାରୀଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନମୂଳକ ପଦକ୍ଷେପ ନିଆଯାଉଛି। ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

Comment