ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନେକ ଲୋକଙ୍କ ଧାରଣା ଥାଏ ଯେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ। ତେବେ ଏହା କ‘ଣ ସତ?

ଡାଏଟିଂ କରିବା କଥା ଆସିଲେ ପ୍ରଥମେ ଭାତକୁ ଖାଦ୍ୟ ତାଲିକାରୁ ବାଦ୍ ଦେବା କଥା ଉଠିଥାଏ। କାରଣ ଏଥିରେ କ୍ୟାଲୋରୀ ଓ ଷ୍ଟାର୍ଚ ବା ମଣ୍ଡର ପରିମାଣ ଖୁବ୍ ଅଧିକ ଥାଏ। ତେବେ ଭାତ ବିଷୟରେ ଖୁବ୍ କମ୍ ଲୋକ ଏକଥା ଜାଣନ୍ତି ଯେ ଏଥିରେ ଚର୍ବିର ପରିମାଣ କମ୍ ଥାଏ। ଏହା ସହଜରେ ହଜମ ହୁଏ। ତା’ସାଙ୍ଗକୁ ଭିଟାମିନ୍‌ର ମାତ୍ରା ବି ଅଧିକ ଥାଏ।

ଏଭଳି ସ୍ଥିତିରେ ଯଦି ଆପଣ ଡାଏଟିଂ କରୁଛନ୍ତି ତା’ ହେଲେ ଭାତକୁ ଖାଦ୍ୟ ତାଲିକାରୁ ବିଲକୁଲ ନ ହଟାଇ ବି ଓଜନ କମାଇ ପାରିବେ। ତେବେ ତାକୁ କିଭଳି ଭାବେ ଖାଇବେ ତାହା  ଜାଣନ୍ତୁ।

  • ସବୁବେଳେ ଥାଳିରେ ଗୋଟିଏ ଚାମଚ ଭାତ ନିଅନ୍ତୁ। ତା’ସହିତ ରୁଟି ମିଶାଇ ଖାଇପାରିବେ। ଏହାଦ୍ୱାରା କ୍ୟାଲୋରୀର ପରିମାଣ ବେଶି ହେବନାହିଁ। ଏହା ସହିତ କମ୍ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ୟ ଖାଆନ୍ତୁ।

  • କେବଳ ଭାତ ଖାଇଲେ ତାହା ଶୀଘ୍ର ହଜମ ହେଉଥିବାରୁ ଆପଣଙ୍କୁ ଜଲଦି ଭୋକ ଲାଗିବାର ଆଶଙ୍କା ଥାଏ। ଏହା ସହିତ କାର୍ବୋହାଇଡ୍ରେଟର ମାତ୍ରା ବି ଅଧିକ ହୋଇଯାଏ। ତେଣୁ ଭାତ ସହିତ ମନପସନ୍ଦର ଡାଲି ପ୍ରସ୍ତୁତ କରନ୍ତୁ। ଏହା ସହ ବିଭିନ୍ନ ପ୍ରକାର ପରିବା ତରକାରୀ ଖାଇଲେ ଉପଯୁକ୍ତ ପରିମାଣର ପ୍ରୋଟିନ୍ ଏବଂ ଫାଇବର ମିଳିଥାଏ। ଯାହାଦ୍ୱାରାକି ଦୀର୍ଘ ସମୟ ଧରି ପେଟ ପୂରି ରହିବାର ଅନୁଭବ ରହିଥାଏ। ଇଚ୍ଛା ହେଲେ ଭାତରେ ସିମଲା ଲଙ୍କା, ବ୍ରୋକୋଲି, ପନିର, ଚିକେନ୍ ଆଦିକୁ ମିଶାଇ ପାରିବେ। ଏହାଦ୍ୱାରା ଭାତର ସ୍ୱାଦ ବଢ଼ିବା ସହିତ ପନିପରିବାରୁ ଆପଣ ପ୍ରୋଟିନ ପାଇପାରିବେ।
  • ତେବେ ଭାତ ରାନ୍ଧିବା ସମୟରେ କେବେହେଲେ ତାକୁ ଭାଜନ୍ତୁ ନାହିଁ କିମ୍ବା ସେଥିରେ କ୍ରିମ ମିଶାନ୍ତୁ ନାହିଁ। ସବୁବେଳେ ପାଣି ଗରମ କରି ହିଁ ଭାତକୁ ପ୍ରସ୍ତୁତ କରନ୍ତୁ। ନିହାତି ଆବଶ୍ୟକ ନଥିଲେ ପ୍ରେସର କୁକରରେ ଭାତ ରାନ୍ଧନ୍ତୁ ନାହିଁ। କାରଣ ସେଥିରୁ ପେଜ ବାହାରି ପାରେନାର୍ହି। ସେହି ପେଜ ହିଁ ଓଜନ ବଢ଼ାଇଥାଏ।
  • ରାତିରେ ଖାଦ୍ୟ ଖାଇବା ପରେ କ୍ୟାଲୋରୀ ବିଲକୁଲ ଖର୍ଚ୍ଚ ହେଉନଥିବାରୁ ଏହି ସମୟରେ ଭାତ ଖାଇବାକୁ ଏଡ଼ାଇ ଯାଆନ୍ତୁ। ଯଦି ବି ଖାଇବେ ତା’ ପୂର୍ବରୁ ଗୋଟିଏ ପ୍ଳେଟ ସାଲାଡ୍ ଖାଇସାରି ଭାତ ଖାଇବା ଆବଶ୍ୟକ। ସାଲାଡ୍ ଆପଣଙ୍କ ପେଟକୁ ପୂରା ହେବାପରି ଅନୁଭବ ଦେବ। ତେଣୁ ଆପଣ  ଅଧିକ ଖାଇପାରିବେ ନାହିଁ। ଅନ୍ୟପଟେ ରାତିରେ ଭାତ ଖାଉଥିଲେ ଶୋଇବାକୁ ଯିବାର ୨ ଘଣ୍ଟା ପୂର୍ବରୁ ଖାଆନ୍ତୁ। ଏହାଦ୍ୱାରା ଓଜନ ବଢ଼ିବ ନାହିଁ।

Comment