ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭାରତ ସମେତ ସମଗ୍ର ବିଶ୍ୱରେ ତାଣ୍ଡବ ଚଳାଇଥିବା କରୋନା ମହାମାରୀରେ  ମଣିଷ ସମାଜ ଆଜି ତ୍ରସ୍ତ ହୋଇପଡ଼ିଛି। ବିଶ୍ୱରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୯୦ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ୧୭୦ ଲୋକଙ୍କ ଜୀବନ ଯାଇଛି। ଅବଶ୍ୟ ଏଥିରୁ ଲୋକେ ଭଲ ହୋଇ ଘରକୁ ବି ଫେରୁଛନ୍ତି।

କରୋନା ଭୂତାଣୁ କି ଧନୀ କି ଗରୀବ ସମସ୍ତଙ୍କୁ କବଳିତ କରୁଛି। ସବୁଠାରୁ ଶକ୍ତିଶାଳୀ ଦେଶରେ କରୋନା ଏବେ ହାହାକାର ସ୍ଥିତି ସୃଷ୍ଟି କରିଛି। କରୋନାରୁ ବଞ୍ଚିବାକୁ ହେଲେ ସବୁଠାରୁ ବଡ଼ ହତିଆର ହେଉଛି ଘରେ ରହିବା। ଭାଇରସ ଯଦି ବି ଆପଣଙ୍କୁ ସଂକ୍ରମିତ କରିଛି ସକାରାତ୍ମକ ଚିନ୍ତା ଓ ସମୟପଯୋଗୀ ଚିକିତ୍ସା ଦ୍ୱାରା କରୋନାକୁ ହରାଇ ହେବ।

ତେବେ କରୋନା ଭାଇରସ ଥରେ ଶରୀରରେ ପ୍ରବେଶ କରିବା ପରେ କ’ଣ ସବୁ ହୁଏ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

corona test 2ସଂକ୍ରମଣ କେମିତି ବ୍ୟାପେ

କରୋନା ଭାଇରସ ଅର୍ଥାତ SARS Cov 2 ନିଶ୍ୱାସ ପ୍ରଶ୍ୱାସ ଦ୍ୱାରା ଦେହ  ଭିତରକୁ ଯାଇଥାଏ। ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଛିଙ୍କନ୍ତି ତାଙ୍କଠାରୁ ଏହି ଭୂତାଣୁ ସୁସ୍ଥ ଲୋକଙ୍କ ଦେହରେ ପ୍ରବେଶ କରେ। କରୋନା ଭାଇରସ ଥିବା ଜିନିଷପତ୍ର ଦ୍ୱାରା ମଧ୍ୟ ସଂକ୍ରମଣ ବ୍ୟାପିଥାଏ। ଯଦି ଆପଣ ସେହି ଭୂତାଣୁ ଜମିଥିବା ଜିନିଷକୁ ଛୁଅଁନ୍ତି ଭାଇରସ ଆପଣଙ୍କୁ ତା’ କବଳକୁ ନେଇଯାଏ। ଏଇଥିପାଇଁ ହ୍ୟାଣ୍ଡ ସାନିଟାଇଜର ବା ସାବୁନ ଦ୍ୱାରା ବାରମ୍ବାର ହାତ ଧୋଇବା ପାଇଁ କୁହାଯାଏ।

coronaପ୍ରଥମ ପର୍ଯ୍ୟାୟ

କରୋନା ଭାଇରସର ପ୍ରଥମ ଟାର୍ଗେଟ ହେଉଛି ଆପଣଙ୍କ ଗଳାର କୋଶିକା ଓ ଫୁସଫୁସ। ସଂକ୍ରମଣ ପରେ ଏହି ସ୍ଥାନଗୁଡ଼ିକ ଏକରକମ  କରୋନାର  କାରଖାନାରେ ପରିଣତ ହୋଇିଯାଇଥାଏ। ଏହି ସଂକ୍ରମିତ କୋଶିକା ଦ୍ୱାରା ଅଧିକ ଭାଇରସ ସୃଷ୍ଟି ହୋଇଥାନ୍ତି। ଯେତେ ଅଧିକ ଭାଇରସ ଶରୀର ଭିତରେ ସୃଷ୍ଟି ହୁଅନ୍ତି ସେଗୁଡ଼ିକ ସେତେ ଅଧିକ କୋଶିକାକୁ ସଂକ୍ରମିତ କରିଥାନ୍ତି। ଇନକ୍ୟୁବେସନ ସମୟ ଏଠାରୁ ହିଁ ଆରମ୍ଭ ହୁଏ। ଏହି ସମୟରେ ଆପଣ ଜାଣି ବି ପାରିବେ ନାହିଁ ଯେ ଆପଣ ରୋଗାକ୍ରାନ୍ତ ହୋଇ ସାରିଛନ୍ତି। କିଛି ଲୋକଙ୍କ ଭିତରେ ତ କେବେ ବି ଲକ୍ଷଣ ପ୍ରକାଶ ପାଇନଥାଏ। ଏମାନଙ୍କୁ କୁହାଯାଏ ଏସିମ୍ପଟୋମେଟିକ କ୍ୟାରିୟର ବା ଲକ୍ଷଣବିହୀନ ବାହକ। ବିଭିନ୍ନ ଲୋକଙ୍କ ଭିତରେ ଇନକ୍ୟୁବେସନ ସମୟ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ତେବେ ହାରାହାରି ୫ ଦିନ ହେଉଛି ଗଜା ଧରିବା ସମୟ।

corona virusଶାନ୍ତ ସମୟ

କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଭିତରୁ ୮୦ ପ୍ରତିଶତ ରୋଗୀଙ୍କ ପାଖରେ ଏହି ବେମାରୀ ଜ୍ୱର ଓ କାଶ ଆକାରରେ ହାଲକା ସଂକ୍ରମଣ ଦ୍ୱାରା ପ୍ରକଟିତ ହୋଇଥାଏ। ଏଥି ସହିତ ଆଉ କିଛି ଲକ୍ଷଣ ବି ଦେଖାଯାଏ ଯେମିତିକି ଦେହରେ ଦରଜ, ଗଳା କାଟିବା ଓ ମୁଣ୍ଡବ୍ୟଥା ଆଦି। ଏହି ସବୁ ଲକ୍ଷଣ ପ୍ରକାଶ ନପାଇପାରେ ମଧ୍ୟ। ଜଣେ ବ୍ୟକ୍ତି ରୋଗର ଶିକାର ହୋଇଛନ୍ତି ବୋଲି ସେତେବେଳେ ଜଣାପଡ଼େ ଯେତେବେଳେ ତାଙ୍କ ଇମ୍ମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ଶରୀର ଭିତରେ ଭାଇରସ ସହିତ ଲଢ଼ୁଥିବା ଦେଖାଯାଏ। ଭାଇରଲ ଇନଫେକ୍ସନ ସହିତ ଲଢ଼ିବା ପାଇଁ ଶରୀରରେ ସାଇଟୋକାଇନ୍ସ ନାମକ ଏକ କେମିକାଲ  ନିର୍ଗତ ହୁଏ।

ହସ୍ପିଟାଲ ନଯାଇ ଭଲ ହେଇ ପାରିବେ

କରୋନା ସଂକ୍ରମଣ ହେତୁ ପ୍ରଥମେ ଯେଉଁ କାଶ ହୁଏ ତାହା ଶୁଖିଲା କାଶ। ଏହାର କାରଣ ସଂକ୍ରମିତ କୋଶିକାଗୁଡିକ ଗଳାରେ ଜ୍ୱଳନ, ଦରଜ ବା ଅସହଜତା ସୃଷ୍ଟି କରିଥାନ୍ତି। କିଛି ଲୋକଙ୍କ ଭିତରେ ଶୁଖିଲା କାଶ ଅଳ୍ପ ଦିନ ମଧ୍ୟରେ ଏଭଳି ହୋଇଯାଏ ଯେ ତା ସହିତ କଫ ବାହାରି ଆସେ। ଏହି କଫ ସାଧାରଣ କଫ ନୁହେଁ ବରଂ ଏଥିରେ ଭାଇରସ ଦ୍ୱାରା ମରିଯାଇଥବା କୋଶିକା ଥାଏ। ଏ ସବୁ ପ୍ରାୟ ୭ ଦିନ ଭିତରେ ହୋଇଥାଏ ଏବଂ ସାଧାରଣ ଘରୋଇ ଉପଚାର ଦ୍ୱାରା ଅର୍ଥାତ ଭାଇରସ ମାରିବା ପାଇଁ ଯଦି କିଛି ସତର୍କତା ଅବଲମ୍ବନ କରାଯାଏ ରୋଗକୁ ହରା ଯାଇପାରେ। ଏହି ପର୍ଯ୍ୟାୟରେ ହସ୍ପିଟାଲ ଯିବା ଦରକାର ହୁଏନାହିଁ। ଆରାମ କରିବା, ବହୁଳ ମାତ୍ରାରେ ତରଳ ପଦାର୍ଥ ପିଇବା ଓ ପାରାସିଟାମଲ ବଟିକା ଖାଇବା ଦ୍ୱାରା ରୋଗୀ ସୁସ୍ଥ ହୋଇ ଯାଇପାରନ୍ତି। ଯେହେତୁ ଏହି ସମୟରେ ଆମ ଶରୀରର ଇମ୍ମ୍ୟୁନ ସିଷ୍ଟମ ସଂକ୍ରମଣ ସହ ଲଢେ଼ଇ କରୁଥାଏ ଏଣୁ ସାଧାରଣ ଉପଚାର ଜରୁରୀ ହୋଇଥାଏ।

ବିପଦ ଘଣ୍ଟି

ଯଦି କରୋନା ସଂକ୍ରମଣ ଜନିତ ବେମାରୀଟି ଗମ୍ଭୀର ହୋଇଯାଏ ତେବେ ଏହା ଫୁସଫୁସକୁ ପ୍ରଚୁର କ୍ଷତି ପହଞ୍ଚାଇଥାଏ। ଏହି ସମୟରେ କରୋନା ଭାଇରସ ସହିତ ଲଢ଼ିବା ପାଇଁ ଆମର ଇମ୍ମ୍ୟୁନ ସିଷ୍ଟମ ତାର ସମସ୍ତ ଶକ୍ତି ପ୍ରୟୋଗ କରିଥାଏ। ଏହା ପରେ ବି ଯଦି ଭାଇରସର ପଲ୍ଲା ଭାରି ରହେ ଶରୀରର ତାପମାତ୍ରା ବଢିଯାଏ। ଅର୍ଥାତ ରୋଗ ବିଗିଡିବା ଅବସ୍ଥାକୁ  ଆସିଯାଏ। ଯଦି ଫୁସଫୁସରେ ଜ୍ୱଳନ ଆରମ୍ଭ ହୁଏ ତାହା ନିମୋନିଆର ରୂପ ନେଇଥାଏ। ଏହି ସ୍ଥିତିରେ ଫୁସଫୁସର ଏୟାର ସାକ୍ ବା ପବନ ଥଳିରେ ପାଣି ଜମିବା  ଆରମ୍ଭ ହୋଇଯାଏ। ଏହି କାରଣରୁ ରୋଗୀକୁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ହୁଏ। ଅଧିକ କଷ୍ଟ ଅନୁଭବ କଲେ ରୋଗୀଙ୍କୁ ଭେଣ୍ଟିଲେଟରରେ  ରଖାଯାଏ। କରୋନା ଭାଇରସର ପ୍ରାୟ ୧୪ ପ୍ରତିଶତ ରୋଗୀ ବର୍ତ୍ତମାନ ଏହି ଷ୍ଟେଜକୁ ଆସୁଥିବା ଦେଖା ଯାଉଛି।

ଗମ୍ଭୀର ସ୍ଥିତି

କରୋନା ଭାଇରସ ଆକ୍ରାନ୍ତ ପ୍ରାୟ ୬ ପ୍ରତିଶତ ରୋଗୀ ଗମ୍ଭୀର ପର୍ଯ୍ୟାୟରେ ପହଞ୍ଚିଥାନ୍ତି। ଏହି ପର୍ଯ୍ୟାୟରେ ଶରୀରର ଇମ୍ମ୍ୟୁନ ସିଷ୍ଟମ ଆଉ କାମ କରେନାହିଁ ଓ ଭାଇରସ ଯୋଗୁଁ ଶରୀରରେ କ୍ଷତି ସାଧନ ଆରମ୍ଭ ହୁଏ। ଏହି ସମୟରେ ରକ୍ତଚାପ ତଳକୁ ଖସି ଆସେ ଓ ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଅନ୍ତି ଯାହା ଫଳରେ କି ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ। ଏହି ଷ୍ଟେଜରେ ରୋଗୀ ଆକ୍ୟୁଟ ରେସ୍ପିରେଟରି ଡିଷ୍ଟ୍ରେସ ସିଣ୍ଡ୍ରୋମରେ ପୀଡିତ ହୋଇପଡେ ଓ ଫୁସଫୁସ ପ୍ରଦାହ ଜୋର ଧରେ। ଏହା ଫଳରେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳେ ନାହିଁ। ଏହି ବିପଦଜନକ ସ୍ଥିତିରେ ଶେଷ ଉଦ୍ୟମ ସ୍ୱରୂପ କୃତ୍ରିମ ଫୁସଫୁସ ବ୍ୟବହାର କରାଯାଏ। ତେବେ ଏହି ସମୟ ବେଳକୁ ଶରୀରର ଅନ୍ୟ ସବୁ ଅଙ୍ଗ ପ୍ରତ୍ୟଙ୍ଗ ନଷ୍ଟ ହୋଇ ସାରିଥାଏ ଓ ରୋଗୀର ଜୀବନ ବଞ୍ଚାଇବା ଆଉ ସମ୍ଭବ ହୁଏ ନାହିଁ।

Comment