ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଏଥିରୁ ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା ମଧ୍ୟ ବାଦ୍‌ ପଡ଼ିନି। ଏପ୍ରିଲ ୧୦ ତାରିଖ ସୁଦ୍ଧା ଓଡ଼ିଶାରେ ୪୮ ଜଣ କରୋନା ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତଙ୍କୁ କେମିତି ଚିହ୍ନଟ କରାଯାଏ ଏବଂ ନମୁନା କେମିତି ପରୀକ୍ଷା କରାଯାଏ ସେ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱରର ଅଧ୍ୟକ୍ଷା ଡାକ୍ତର ସଂଘମିତ୍ରା ପତି।

ନମୁନା ପରୀକ୍ଷା ପାଇଁ ୧୦ ଘଣ୍ଟା ସମୟ ଲାଗେ

କରୋନା ଭାଇରସ୍‌ ଏକ ସାଧାରଣ ଭୂତାଣୁ ନୁହେଁ। ଅନ୍ୟ ରୋଗର ନମୁନା ଭଳି ଏହି ରୋଗର ନମୁନା ପରୀକ୍ଷା ରିପୋର୍ଟ ମିଳିବା କଷ୍ଟକର। କାରଣ ଏହି ନମୁନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥିବାରୁ ଏଥିପାଇଁ ପୂରା ସତର୍କତାର ସହ ପରୀକ୍ଷା କରିବାକୁ ପଡ଼ିଥାଏ। ନମୁନା ସଂଗ୍ରହଠାରୁ ରିପୋର୍ଟ ପ୍ରକାଶ କରିବା ପର୍ଯ୍ୟନ୍ତ ୧୦ ଘଣ୍ଟା ସମୟ ଲାଗିଥାଏ ବୋଲି ଡାକ୍ତର ପତି ସୂଚନା ଦେଇଛନ୍ତି।

coronaକେମିତି ହୁଏ କରୋନା ନମୁନା ସଂଗ୍ରହ?

କରୋନା ଭୂତାଣୁ ଭୟାନକ ହୋଇଥିବାରୁ ନମୁନା ସଂଗ୍ରହ ବେଳେ ସତର୍କତା ଅବଲମ୍ବନ କରାଯାଇଥାଏ। ରୋଗୀଙ୍କଠାରୁ ଏହି ନମୁନା ଭାଇରସ୍‌ ଟ୍ରାନ୍ସେପୋର୍ଟ ମେକାନିଜିମ୍‌ (ଭିଟିଏମ୍‌) ଜରିଆରେ ସଂଗ୍ରହ କରାଯାଏ। ପାଟି ଏବଂ ନାକରୁ ସ୍ୱାବ୍‌ ସଂଗ୍ରହ କରାଯାଏ। ଯେଉଁମାନେ ନମୁନା ସଂଗ୍ରହ କରିଥାନ୍ତି ସେମାନେ ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିଥାନ୍ତି। ନମୁନା ସଂଗ୍ରହ ହେବା ପରେ ଏହାକୁ ଟ୍ରିପଲ ଲେୟର ପ୍ୟାକେଜିଂ କରାଯାଇ ଲାବରୋଟେରୀକୁ ଅଣାଯାଇଥାଏ। ଟ୍ରିପଲ ଲେୟର ପ୍ୟାକେଜିଂ ନହେଲେ ସଂକ୍ରମଣ ହେବାର ଆଶଙ୍କା ରହିଛି।

corona test 1ଆର୍‌ଏମ୍‌ଆର୍‌ସିରେ କ’ଣ ହୁଏ?

କରୋନା ନମୁନା ଆର୍‌ଏମ୍‌ଆର୍‌ସିରେ ପହଞ୍ଚିବା ପରେ ତାକୁ ପ୍ରଥମେ ସାନିଟାଇଜ୍‌ ବାବିଶୋଧନ କରାଯାଏ। ଏହାପରେ ନମୁନାକୁ ଲାବୋରେଟୋରୀ ଭିତରକୁ ନିଆଯାଇଥାଏ।

ଲାବୋରେଟୋରୀରେ କାମ କରୁଥିବା ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ ବାୟୋସେଫ୍ଟ ଲେଭଲ ବା ବିଏସ୍‌ଏଲ୍‌-୨ ରହିଛି। ବିଏସ୍‌ଏଲ ଭିତରେ ହିଁ ନମୁନା ଖୋଲାଯାଇଥାଏ। ଆର୍‌ଏମ୍‌ଆର୍‌ସିର ଲାବୋରେଟୋରୀରେ କାମ କରୁଥିବା ସମସ୍ତ ବୈଜ୍ଞାନିକ ଏବଂ କର୍ମଚାରୀ ସୁରକ୍ଷା ପାଇଁ ପିପିଇ ପିନ୍ଧିଥାନ୍ତି।

ଲାଇସିସ୍‌ ବଫର?

ଟ୍ରିପଲ ଲେୟର ପ୍ୟାକେଜରେ ଆସିଥିବା ନମୁନାକୁ ସତର୍କତାର ସହିତ ଖୋଲାଗଲା ବେଳେ ପ୍ରଥମେ ଭାଇରସ୍‌କୁ ନିଷ୍କ୍ରିୟ କରାଯାଏ। ଏଥିପାଇଁ ଲାଇସିସ୍‌ ବଫରର ଆବଶ୍ୟକତା ଥାଏ। ଏହି ସ୍ୱତନ୍ତ୍ର କିଟ୍‌ ସହାଯ୍ୟରେ ଭାଇରସ୍‌କୁ ନିଷ୍କ୍ରିୟ କରିବାକୁ ପଡ଼ିଥାଏ।

ଦ୍ୱିତୀୟ ପର୍ଯ୍ୟାୟରେ ନମୁନା ଆରଆର୍‌ଏନ୍‌ଏ ଏକ୍ସଟ୍ରାକ୍ସାନ କରାଯାଏ। ଏଥିପାଇଁ ସ୍ୱତନ୍ତ୍ର କିଟ୍‌ ଦରକାର ପଡ଼େ। ଏହାପରେ ମେସିନରେ ନମୁନାକୁ ଲୋଡ୍‌ କରାଯାଏ। ମେସିନ୍‌ ଆମ୍ପ୍ଲିଫାଏ କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ। ଆମେ ସ୍କ୍ରିନିଂରେ ଏହାକୁ ଦେଖୁଥାଉ। ଯଦି ନମୁନା ପଜିଟିଭ୍‌ ଅଛି ବୋଲି ଜଣାପଡ଼େ ଆମେ କନଫରମଟୋରୀ ପ୍ୟାନେଲ ବସାଉ। ଏହି ପ୍ୟାନେଲ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ଲାଗିଥାଏ। ଏହାପରେ ରିପୋର୍ଟ ପ୍ରକାଶ କରାଯାଏ।

ଆର୍‌ଏମ୍‌ଆର୍‌ସିରେ କୋବାସ୍‌-୬୮୦୦ ମେସିନ୍‌

କରୋନା ପରୀକ୍ଷା ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ଅତ୍ୟାଧୁନିକ ନୂଆ ମେସିନ୍‌ ଆସିଛି। ଏହାର ନାଁ ହେଉଛି କୋବାସ୍‌-୬୮୦୦। ଏହି ମେସିନ୍‌ କେବଳ ଭାରତର ଦୁଇଟି ସ୍ଥାନରେ ଅଛି। ଗୋଟିଏ ନୋଏଡ଼ାରେ ଥିବା ବେଳେ ଆଉ ଗୋଟିଏ ଭୁବନେଶ୍ୱରକୁ ଆସିଛି। ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ଯେଉଁ ମେସିନ ଆସିଛି ତା’ଉପରେ ପୂର୍ବ ଭାରତର ରୋଗୀମାନେ ନିର୍ଭରଶୀଳ।

‘‘ଆର୍‌ଏମ୍‌ଆର୍‌ସିର ସମସ୍ତ କର୍ମଚାରୀ ୩ ସିଫ୍ଟରେ ଆସୁଛନ୍ତି। ୨ଟି ମେସିନ୍‌ ଆସିଛି। ଗୋଟିଏ ମେସିନ ୨୪ ଘଣ୍ଟା ଚାଲିପାରିବ ନାହିଁ। ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଆମେ ପ୍ରସ୍ତୁତ ଅଛୁ। ନୂଆ ମେସିନ୍‌ ସହାୟତାରେ ଆସନ୍ତା ୩ ସପ୍ତାହ ଭିତରେ ଆମେ ଅଧିକ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛୁ’’, କହିଛନ୍ତି ଡାକ୍ତର ସଂଘମିତ୍ରା ପତି।

Comment