ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର, ଭଦ୍ରକ ପରେ ଯାଜପୁରରେ ସର୍ବାଧିକ କରୋନା ଆକ୍ରାନ୍ତ।

ଓଡ଼ିଶାରେ ବଢ଼ିଲା କରୋନା ଭୟ। ଆଜି ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଭୟ ବଢ଼ିଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅନ୍ୟ ଜିଲ୍ଲା ପାଇଁ ସତର୍କଘଣ୍ଟି ବାଜିଛି।

ଭୁବନେଶ୍ୱର ବାହାରେ ସର୍ବାଧିକ ଆକ୍ରାନ୍ତ

ଆଜି ଗୋଟିଏ ଦିନରେ ୪ ଜିଲ୍ଲାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଦ୍ରକରୁ ୫, ବାଲେଶ୍ୱରରୁ ୨, ଯାଜପୁରରୁ ୫ ଏବଂ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତା ବଢ଼ାଇଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାହାରେ ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି।

କେବଳ ଭୁବନେଶ୍ୱରରେ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ପ୍ରଥମ ସପ୍ତାହରେ ଭୁବନେଶ୍ୱରରୁ ଗୋଟିଏ ଦିନରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଭୁବନେଶ୍ୱର ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରରୁ କାହିଁକି ଏତେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାକୁ ନେଇ କାରଣ ଖୋଜା ଚାଲିଥିବା ବେଳେ ଭୁବନେଶ୍ୱର ବାହାରେ ଅଧିକ ଆକ୍ରାନ୍ତ ବାହାରିବା ଆହୁରି ଚିନ୍ତାଜନକ ବିଷୟ ପାଲଟିଛି।

ଯାଜପୁର ତୃତୀୟ ହଟ୍‌ସ୍ପଟ୍‌

ଖୋର୍ଦ୍ଧ ଏବଂ ଭଦ୍ରକରୁ ଅଧିକ ଆକ୍ରାନ୍ତ ବାହାରିଥିବାରୁ ଏହି ଦୁଇ ଜିଲ୍ଲା ହଟସ୍ପଟ ଜୋନ୍‌ରେ ରହିଥିଲା। ଖୋର୍ଦ୍ଧାରୁ ୪୬ ଏବଂ ଭଦ୍ରକରୁ ୩ ଆକ୍ରାନ୍ତ ବାହାରିଥିଲେ। ଏବେ ଭଦ୍ରକରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଲା ହଟସ୍ପଟ ଜୋନ୍‌ରୁ ବାହାରିବାର ପ୍ରଶ୍ନ ଉଠୁନି।

ପୂର୍ବରୁ ଯାଜପୁର ବ୍ରହ୍ମବରଦା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଆକ୍ରାନ୍ତଙ୍କ ସହ ନିଜାମୁଦ୍ଦିନ ଲିଙ୍କ୍‌ ଥିବା କୁହାଯାଉଥିଲା। ଫଳରେ ଅଧିକ ସଂକ୍ରମଣ ନବ୍ୟାପିବା ପାଇଁ ଜିଲ୍ଲା ପ୍ରଶାସନ ବ୍ରହ୍ମରଦା ଅଞ୍ଚଳକୁ ସିଲ୍‌ କରିଥିଲା। ଏହାସହ ଜିଲ୍ଲାର କିଛି ପ୍ରମୁଖ ସ୍ଥାନକୁ ମଧ୍ୟ ସିଲ୍‌ କରିଥିଲା।

coronaହେଲେ ଆକ୍ରାନ୍ତ ସୁସ୍ଥ ହେବା ପରେ ସିଲ୍‌ ହଟାଇଥିଲା ପ୍ରଶାସନ। ଯାଜପୁର ଟାଉନରେ ବି ଲକ୍‌ଡାଉନ୍‌ କଟକଣା କିଛିମାତ୍ରାରେ କୋହଳ କରାଯାଇଥିଲା। ବହି ଓ ଗ୍ୟାରେଜ ଦୋକାନ ଖୋଲା ରହିବ ବୋଲି ପ୍ରଶାସନ ଘୋଷଣା କରିଥିଲା। ହେଲେ ଏବେ ଯାଜପୁର ଜିଲ୍ଲାରେ ଆଉ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ସର୍ବାଧିକ ଆକ୍ରାନ୍ତ ତାଲିକାରେ ଭୁବନେଶ୍ୱର, ଭଦ୍ରକ ପଛକୁ ଯାଜପୁର ଜିଲ୍ଲା ଯୋଡ଼ି ହୋଇଛି। ଆଜି ଯାଜପୁରର କୋରେଇ, ଦଶରଥପୁର ସମେତ ଯାଜପୁର ବ୍ଲକରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି। ଯାହା କଟକଣା କୋହଳ କରାଯାଇଥିଲା ପୁଣିଥରେ କଡ଼ାକଡ଼ି ହେବ ବୋଲି ସମ୍ଭାବନା ରହିଛି।

ନିଜାମୁଦ୍ଦିନ୍‌ ପରେ କୋଲକାତା ଚିନ୍ତା

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ଧର୍ମସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୯ ହଜାର ପ୍ରତିନିଧି ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଶେଷ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ି ଚାଲିଲା।

ବିଭିନ୍ନ ରାଜ୍ୟରେ ଆକ୍ରାନ୍ତ ବଢ଼ିବାରୁ ଏହାର କାରଣ ନିଜାମୁଦ୍ଦିନ ଲିଙ୍କ୍‌ ବୋଲି ଜଣାପଡ଼ିଲା। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଏନେଇ ତନାଘନା କଲେ। ନିଜାମୁଦ୍ଦିନରୁ ଯେଉଁମାନେ ଫେରିଛନ୍ତି ସେମାନେ ତୁରନ୍ତ ସରକାରଙ୍କ ପାଖରେ ପଞ୍ଜୀକରଣ କରନ୍ତୁ ବୋଲି ନିର୍ଦ୍ଦେଶନାମ ଦିଆଯାଇଥିଲା।

୭୦ରୁ ଅଧିକ ନିଜାମୁଦ୍ଦିନ ଫେରନ୍ତା ଓଡ଼ିଶାରୁ ବାହାରିଥିଲେ। ସେମାନଙ୍କର ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲ୍ଲାରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନଙ୍କ ସହ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା।

ନିଜାମୁଦ୍ଦିନ ଲିଙ୍କ୍‌ ଖୋଳତାଡ଼ ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଥିଲା। ଗତ ୧୬ ତାରିଖ ପରଠୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନଥିଲା। ଜଣକ ପରେ ଜଣେ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କ ତ୍ୟାଗ, ସହଯୋଗକୁ ପ୍ରଶଂସା କରିଥିଲେ। ଆଜି କେନ୍ଦ୍ର ସରକାର ମଧ୍ୟ ଓଡ଼ିଶା ଓ କେରଳକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଏହି ପ୍ରଶଂସା ଭିତରେ ଆଜି ଓଡ଼ିଶାରେ ପୁଣି କରୋନା ଆକ୍ରାନ୍ତଙ୍କ ସଂକ୍ୟା ବଢ଼ିଛି। ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଛି। ଆହୁହି ବଡ଼ କଥା ହେଲା ୧୦ ଜଣ କେବଳ ପଶ୍ଚିମବଙ୍ଗରୁ ଆସିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ୧୦ ଜଣଙ୍କ ନମୁନା ପଜିଟିଭ୍‌ ବାହାରିଥିବାରୁ ଏବେ ପଶ୍ଚିମବଙ୍ଗରୁ କେଉଁମାନେ ଆସିଛନ୍ତି ତାକୁ ନେଇ ତନାଘନା ଚାଲିଛି। ପ୍ରତି ପଞ୍ଚାୟତର ସରପଞ୍ଚମାନଙ୍କୁ ଏନେଇ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହାସହ ପଶ୍ଚିମବଙ୍ଗରୁ କେଉଁମାନେ ସେମାନେ ନିଜଆଡୁ ନାମ ପଞ୍ଜୀକରଣ କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି।

ଗୋଟିଏ ଦିନରେ ୧୩

ସୋମବାର ସକାଳେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍‌ କରିଥିଲା। ଏହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଅପରାହ୍‌ଣରେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଲା। ଆଉ ୬ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଫଳରେ ଗୋଟିଏ ଦିନରେ ଓଡ଼ିଶାରୁ ୧୩ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଲକ୍‌ଡାଉନ୍‌ ବଢ଼ିବ!

ଏପ୍ରିଲ ୧୪ ତାରିଖ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ରାଜ୍ୟ ସରକାର ଏହାର ଅବଧିକୁ ,ପ୍ରିଲ ୩୦ ଯାଏଁ ବଢ଼ାଇ ଦେଇଥିଲେ। ହେଲେ କେନ୍ଦ୍ର ସରକାର ପରେ ସାରା ଦେଶରେ ମେ’ ୩ ଯାଏଁ ଲକ୍‌ଡାଉନ୍‌ ଅବଧି ବଢ଼ାଇଥିଲେ। ଏପ୍ରିଲ ୧୪ ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ଜଣକ ପରେ ଜଣେ ରୋଗୀ ସୁସ୍ଥ ହୋଇଥିଲେ। ଏହି ଆଶ୍ୱସ୍ତିକର ଖବର ଶୁଣିବା ପରେ ଲକ୍‌ଡାଉନ୍‌ ମେ’ ୩ରେ ଶେଷ ହୋଇଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏବଂ ରାଜ୍ୟରେ ୭୪ ଛୁଇଁଥିବାରୁ ଲକ୍‌ଡାଉନ୍‌ ଅବଧି ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସବୁଠି ହେବ କି ରାପିଡ୍‌ ଟେଷ୍ଟ?

ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ଥିବାରୁ ରାଜ୍ୟ ସରକାର ରାଜଧାନୀକୁ ୩ଟି ଜୋନରେ ବିଭକ୍ତ କରି ରାପିଡ୍ ଟେଷ୍ଟ କରୁଛନ୍ତି। ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ଏହି ପରୀକ୍ଷା ଚାଲିଛି। ଏହି ଟେଷ୍ଟିଂ ଭିତରେ ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଶେଷକରି କୋଲକାତାରେ ଯେଉଁମାନେ ରହିଥିଲେ ସେମାନେ ଓଡ଼ିଶାକୁ ଫେରିଥିବାରୁ ଏବେ ସେମାନଙ୍କ ଚିନ୍ତା ସରକାରଙ୍କୁ ଘାରିଛି। ଏଣୁ ଭୁବନେଶ୍ୱର ଭଳି ଅନ୍ୟ ଜିଲ୍ଲାରେ ରାପିଡ୍‌ ଟେଷ୍ଟିଂ କରିବାକୁ ଦାବି ହେଉଛି।

Comment