ଓଡ଼ିଶାଲାଇଭ୍ ବ୍ୟୁରୋ

ପଢ଼ନ୍ତୁ ଆମେରିକାର ସିଲିକନ୍‌ ଭ୍ୟାଲି ଅଞ୍ଚଳରେ ଦୀର୍ଘଦିନରୁ ରହୁଥିବା ନିଦା ଓଡ଼ିଆପ୍ରାଣ ତଥା ବର୍ତ୍ତମାନ ‘ଦ ଓଡ଼ିଶା ସୋସାଇଟି ଅଫ୍‌ ଦ ଆମେରିକାସ୍‌’ର ପ୍ରେସିଡେଣ୍ଟ୍‌ ଥିବା କୁକୁ ଦାସଙ୍କ ଲକ୍‌ଡାଉନ୍‌ ଡାଏରି।

 ଲକ୍‌ଡାଉନ ସମୟରେ କେମିତି କଟୁଛି ଆପଣଙ୍କ ନିତିଦିନିଆ ରୁଟିନ୍‌?

ସତରେ ଏଇଟି ଗୋଟିଏ ଆଶ୍ଚର୍ଯ୍ୟର ଘଡ଼ି। ଆମ ଜୀବଦଶାରେ ଏମିତିକା ଏକ ସମୟ ଆସିବ କିଏ କ’ଣ କେବେ ଭାବିଥିଲା? ପ୍ରକୃତି ଏବଂ ମଣିଷ ଭିତରେ ଏ ଯେଉଁ ଭୟଙ୍କର ସଂଘର୍ଷ ଚାଲିଛି ସେତେବେଳେ ଭଗବାନଙ୍କ ପାଖରେ ଆତ୍ମସମର୍ପଣ କରିବା ହିଁ ବୁଦ୍ଧିମାନର କାର୍ଯ୍ୟ ବୋଲି ଭାବୁଛି।

ପ୍ରଥମେ ପ୍ରଥମେ ତ ଟିକେ ଅଡୁଆ ଲାଗିଲା। କିନ୍ତୁ ଏବେ ଗୋଟେ ଦୈନଦିନର ରୁଟିନ ହେଇଗଲାଣି। ସକାଳ ଛଅଟାରେ ଉଠୁଛି। ସକାଳର ଗହଳ ଚହଳ ପୂର୍ବରୁ ଯେଉଁ ନୀରବତା, ମତେ ସେଇଟା ସବୁବେଳେ ବହୁତ ଭଲ ଲାଗେ। ଗୋଟେ ଗ୍ଲାସ ପାଣି ପିଇ ବସିଯାଏ ଇମେଲ ଚେକ କରି। କିଛି ଦରକାରୀ ପ୍ରଶ୍ନ ଥିଲେ, ତା’ର ଉତ୍ତର ଲେଖେ ଓ ମୋର ଦିନ ପରିଚର୍ଯ୍ୟା ଉପରେ ଆଖି ବୁଲେଇ ନିଏ। ନଚେତ ବହିଟିଏ ଧରି ବସିଯାଏ ପଢ଼ିବା ପାଇଁ ।

ତାପରେ ନିତ୍ୟକର୍ମ ସାରି ଯାଏ ପୂଜା କରିବାପାଇଁ। ଜାଣି ଜାଣି ଘଣ୍ଟି ଟିକେ ଜୋରରେ ବଜାଏ। ସେଥିରେ ଘରେ ଅନ୍ୟମାନେ ଯେମିତି ଉଠିବେ। କିନ୍ତୁ ସେଇଟା ବି ବେଳେ ବେଳେ କାମ ଦିଏନି। ତା’ପରେ ଅନଲାଇନ କ୍ଲାସରେ କ’ଣ ପଢ଼ାଇବି ସେସବୁକୁ ସଜାଡ଼ି ରଖିଦିଏ l

ଘରେ ସମସ୍ତେ ନିଜ ଇଛାରେ ଜଳଖିଆ ଖାଇବା ଅଭ୍ୟାସ  ହେଲାଣି। ତେଣୁ ସେଥିରେ ଆଉ ସମୟ ସାରିବାର ନାହିଁ। ସିଧା ଯାଏ ମାଧ୍ୟାହ୍ନ ଭୋଜନ ତିଆରି ପାଇଁ l ବାରଟାରୁ ଗୋଟେ ଯାଏଁ କ୍ଲାସ ଅଛି। ତା’ପରେ ସମସ୍ତେ ମିଶି ଲଞ୍ଚ ଖାଉ।

ଘରେ ସମସ୍ତେ ଏକାଠି ବସି ଖାଇବାର ଗୋଟେ ମଜା ଅଲଗା l ପିଲାମାନେ ବଡ଼ ହେଲେଣି। କିନ୍ତୁ ଏବେବି ଭାବନ୍ତି ତାଙ୍କ ମାମା ହେଉଚି ଗୋଟେ ସୁପର ସେଫ। ତା ଭଳିଆ ଆଉ କେହି ରାନ୍ଧି ପାରିବେନି। ମୁଁ ବି ସେ ମାୟାରେ ପଡ଼ି ଯେଉଁଗୁଡିକୁ ସମୟ ଅଭାବରୁ ବହୁଦିନ ହେଲାଣି ରାନ୍ଧି ପାରିନଥିଲି, ଏବେ ପ୍ରତିଦିନ ଭଳିକି ଭଳି ଭଲ ଭଲ ଜିନିଷ କରିବାରେ ଲାଗି ପଡିଚି।

ତା’ପରେ ଆଉ ଦୁଇ ଘଂଟାର ଅନଲାଇନ କ୍ଲାସ। ଚା, କଫିର ଅଭ୍ୟାସ ନାହିଁ, ତେଣୁ ଶୀତୁଆ ଅପରାହ୍ନରେ ଗୋଟେ କପ ଗରମ ଚକୋଲେଟ-କ୍ଷୀର ପିଇବାର ଅଭ୍ୟାସ ହେଲାଣି। ପରେ ପୁଣି ପରକୁ ପର ମିଟିଙ୍ଗ ସବୁ ରହୁଛି। ସନ୍ଧ୍ୟାବେଳ ସମ୍ବାଦ ଦେଖିବା ସଙ୍ଗେ ସଙ୍ଗେ ଚାଲେ ରାତ୍ରିଭୋଜନର ପ୍ରସ୍ତୁତି। ଖାଇ ପିଇ ସାରି ବସିଯାଏ ମୋର ବହି ପଢ଼ାରେ। ଦିନ ଯାକ ସମାନ୍ତରରେ ଚାଲିଥାଏ ଇମେଲ, ହ୍ଵାଟ୍ସଆପ ଆଉ ଫେସବୁକ ଚେକ। ନଅଟା ବେଳୁ ଶୋଇ ଯିବା ଲୋକ, ଏବେ ମୁଁ ଶୋଉ ଶୋଉ ରାତି ସାଢେ ଏଗାର।

ସକାଳୁ ଉଠି ତିନି ମାଇଲ ଚାଲିବା ମୋର ବହୁତ ଦିନର  ଅଭ୍ୟାସ। କିନ୍ତୁ ଏବେ ବାହାରକୁ ନଯାଇ ସକାଳେ ଘରେ ଯୋଗ ଏବଂ ପ୍ରାଣାୟାମ କରୁଛି।

ଏଇ ସମୟରେ ଆପଣ କ’ଣ କରୁଛନ୍ତି ଯାହା ବର୍ଷ ବର୍ଷ ଧରି କରିପାରୁ ନଥିଲେ?

ମୁଁ ସବୁବେଳେ ବିଶ୍ୱାସ ରଖେ – ‘ଏ ମନ ଭାବିଥାଇ ଯାହା , କାଳ ପ୍ରାପତ ହୁଏ ତାହା’।

ଗତ ଦୁଇ ଦଶନ୍ଧି ଧରି ଆମେରିକା ମାଟିରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କିଛି ନା  କିଛି କାମ କରିବାକୁ ଚେଷ୍ଟା କରିଛି। ସମୁଦ୍ରକୁ ଶଙ୍ଖେ ସତ, କିନ୍ତୁ ସେଥିରୁ ମିଳିଛି ଆତ୍ମସନ୍ତୁଷ୍ଟି । ‘ଚାଲ ଆମେ ଓଡ଼ିଆ ପଢ଼ିବା’ କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ପିଲାମାନଙ୍କୁ ଓଡ଼ିଆ ପଢ଼େଇଛି।

କାଲିଫୋର୍ଣ୍ଣିଆରେ ମୁଁ ରହୁଥିବାରୁ ସେଇଠି ହିଁ ପ୍ରୟାସ ସୀମିତ ଥିଲା। କୋଭିଡ-୧୯ ଭୟରେ ମାର୍ଚ୍ଚ ମାସରୁ ସ୍କୁଲ କଲେଜ ସବୁ ବନ୍ଦ ହେଇଗଲା। ପିଲାମାନେ ଘରେ ରହି ନିଜେ ଅସ୍ତବ୍ୟସ୍ତ ହେଲେ, ବାପା ମାଙ୍କୁ ବି ବ୍ୟସ୍ତ କଲେ। ସେତିକି ବେଳେ ଗୋଟେ କିଛି ଉପଯୋଗୀ କାମ ପିଲାମାନଙ୍କ ପାଇଁ କରିବାକୁ ମନସ୍ଥ କଲି। ସେଥିରେ ବାପାମାଙ୍କୁ ବି କିଛି ନହଲେ ଗୋଟିଏ ଘଣ୍ଟାର ସାହାଯ୍ୟ ମିଳିଯିବ। ସେଥିପାଇଁ ଖୋଲିଲି ଏକ ଅନଲାଇନ ଓଡ଼ିଆ ପଢ଼ାଇବାର ସୁବିଧା। ଦେଖୁ ଦେଖୁ ଆମେରିକାର ବିଭିନ୍ନ ରାଜ୍ୟ ତଥା କାନାଡ଼ାରୁ ଯୋଗ ହେଲେ ପଚାଶ ପାଖାପାଖି ପିଲା। ତା’ ସାଙ୍ଗରେ ଲଣ୍ଡନ ଏବଂ ଭାରତରୁ ମଧ୍ୟ। ସୋମବାରରୁ ଶୁକ୍ରବାର ଯାଏଁ ପ୍ରତ୍ୟେକ ଦିନ ଗୋଟିଏ ଘଣ୍ଟାର ପାଠପଢ଼ା ହେଉଛି। ସେମାନଙ୍କ ଉତ୍ସାହ ଦେଖିଲେ ମନ କୁଣ୍ଢେ ମୋଟ ହେଇଯାଉଛି।

ସକାଳୁ ସକାଳୁ ପହଂଚି ଯାଉଛି ହ୍ଵାଟ୍ସଆପ ମାଧ୍ୟମରେ ହୋମୱର୍କ। ବିଶ୍ୱାସ ହେଉନି ଏତେ ଦିନର ସ୍ଵପ୍ନ ଏମିତି ସାକାର ହେବ ବୋଲି l

ଲକ୍‌ଡାଉନ ଭିତରେ କିଛି ସ୍ପେଶାଲ୍‌ ପ୍ରୋଜେକ୍ଟ ଚାଲିଛି କି? ଆମକୁ ଟିକିଏ ସୂଚନା ଦିଅନ୍ତୁ ନା!

ଆମେରିକାରେ ଥୁବା ଓଡିଶା ସମାଜର ପଚାଶତମ ଇତିହାସରେ ପ୍ରଥମ ଥର ପାଇଁ ପାଳନ କରାଯାଇଛି ଜାତୀୟସ୍ତରରେ ଓଡ଼ିଶା ଦିବସ l ଅନଲାଇନ ମିଟିଙ୍ଗ ମାଧ୍ୟମରେ ଅପ୍ରେଲ ଏକ ତାରିଖରେ ଯୋଡ଼ି  ହେଇଥିଲେ ସତୁରିରୁ ଅଧିକ ଓଡ଼ିଆ ଭାଇଭଉଣୀ। କବିତା, ଗପ ଓ  ଗୀତ ଭିତରେ କଟିଯାଇଥିଲା ପାଖାପାଖି ତିନି ଘଣ୍ଟା। କର୍ମଭୂମିରେ ଥାଇ ଜନ୍ମଭୂମିର ସ୍ମୃତିଚାରଣ କରିଥିଲେ ସମସ୍ତେ। ସେ ଅଭିଜ୍ଞତା ଥିଲା ଅନନ୍ୟ।

ଅନଲାଇନ ଓଡ଼ିଆ ପଢ଼ା ସହିତ,  ଭାଗବତ ଟୁଙ୍ଗିର ବ୍ୟବସ୍ଥା ଆରମ୍ଭ କରିଛୁ l

OSA Health & Wellness group ଦାୟିତ୍ୱରେ ଥିବା ଡାକ୍ତରମାନେ ବରାବର ସଂଯୋଗ ରଖିଛନ୍ତି ସଂଗଠନର ସଭ୍ୟମାନଙ୍କ ସହିତ କରୋନାର ଏ ଭୟାବହ ସମୟ ଭିତରେ l

ଓଡିଶାରୁ ଆସି ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀ ତଥା ଏଠାରେ ଥିବା ଓଡ଼ିଆ ପରିବାରର ଜରୁରୀକାଳୀନ କିଛି ଆବଶ୍ୟକତା ଆସିଲେ, ସାହାଯ୍ୟ କରିବା ପାଇଁ, ଓସା ତରଫରୁ କିଛି ଅର୍ଥ ବ୍ୟବସ୍ଥା କରିବା ଲାଗି ଆଲୋଚନା ଆରମ୍ଭ ହୋଇଛି।

ତା’ ଛଡା ବ୍ୟକ୍ତିଗତ ସ୍ତରରେ ବହି କିଣିବା ଓ ପଢ଼ିବା ମୋର ଗୋଟେ ବଡ଼ ସଉକ। କିନ୍ତୁ ସବୁଆଡ଼େ ମୁଣ୍ଡ ପସେଇ ବ୍ୟସ୍ତ ରୁହେ, ବେଳ ହୁଏନି। ବହୁତ ଭଲ ଭଲ ବହି ଆଲମାରୀରେ ରହିଯାଇ ଥିଲା, ଏବେ ବାହାରକୁ ବାହାରିଲେଣି। ପଗଡ଼ି ପୁରୁଷ ପଢ଼ା ଚାଲିଛି। ଆଗକୁ ମହାମୋହ, The New Earth ଇତ୍ୟାଦି ବହିସବୁ ଧାଡ଼ି ବାନ୍ଧି ରହିଲେଣି।

ଲକ୍‌ଡାଉନ୍‌ ଆପଣଙ୍କୁ ଜୀବନର କିଛି ବଡ଼ ଶିକ୍ଷା ଦେଇଛି କି?

ଚାଣକ୍ୟ ନୀତି କହିଛି: ଧର୍ମ ଅର୍ଥ  କାମ ମୋକ୍ଷ ଚାରି ପୁରୁଷାର୍ଥ/ କୌଣସି ଏକ ନଥିଲେ ନରଜନ୍ମ ବ୍ୟର୍ଥ।

ଆଜିର ଏ ସଂସାରରେ ମୁଁ, ମତେ, ମୋର ପଛରେ ଘାରି ହେଇ ସମସ୍ତେ ମାନବିକତାକୁ ଭୁଲି ଯାଉଛନ୍ତି। ପ୍ରକୃତି କିନ୍ତୁ ବାରମ୍ବାର ବିଭିନ୍ନ ଉଦାହରଣ ଦ୍ୱାରା ମଣିଷକୁ ଚେତେଇ ଦେଉଛି – ସମୟ ଆସିଲେ, ଧନୀ  ଗରିବ, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଅହଂ, ପରଶ୍ରୀକାତରତା  ଛାଡ଼ି ସମାଜର ମଙ୍ଗଳ ପାଇଁ ମନ ଦିଅ। ମୁଁ, ମତେ ଛାଡ଼ି ଆମେ, ଆମର ସମୟ ଆସିଗଲା।

ଓଡ଼ିଶାଲାଇଭ୍‌ର ପାଠକ/ଦର୍ଶକମାନଙ୍କ ପାଇଁ ଏଇ ସମୟରେ କ’ଣ ବାର୍ତ୍ତା ଦେବେ?

ବାର୍ତ୍ତା ଦେବାର ତ କ୍ଷମତା ନାହିଁ, ମୋର ଭାଇ ଭଉଣୀଙ୍କୁ ଅନୁରୋଧ କରିବି ନିଶ୍ଚୟ। ସରକାରଙ୍କ ପ୍ରଦତ୍ତ ସମସ୍ତ ନିୟମକୁ ପାଳନ କରନ୍ତୁ। ବ୍ୟକ୍ତିଗତ ସଂଯମ ରଖନ୍ତୁ। ନିଜେ ବଞ୍ଚନ୍ତୁ, ଅନ୍ୟକୁ ବଞ୍ଚି ରହିବାରେ  ସାହାଯ୍ୟ କରନ୍ତୁ।

(ପ୍ରସ୍ତୁତି: ନୀଳାମ୍ବର ରଥ)

1 COMMENT

  1. ବହୁତ ସୁନ୍ଦର ଆଉ ସରଳ ଭାବେ ଲେଖାଟି ମନକୁ ଛୁଇଁଛି. ଆପଣ ଅନ୍ୟ କେତେ ଲୋକଙ୍କୁ ପଚାରି East coast , Central ଜାଗାରେ କଣ ଚାଲିଛି ଜାଣି ପାରିବେ. ଆମେରିକା ବଡ ଜାଗା . ଆପଣନ୍କ ପାଠକ, ପାଠିକା ମାନଙ୍କୁ ବିଭିନ୍ନ ଜାଗର ଅନୁଭୂତି ଜାଣିବାକୁ ମିଳିବ.
    ଚନ୍ଦ୍ରା ମିଶ୍ର
    Northwales, Pa

Comment