ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଲକଡାଉନ ତାରିଖ ସରିସରି ଆସୁଛି। ଭିଟାମାଟିକୁ ଫେରିବା ପାଇଁ ରାଜ୍ୟ ବାହାରେ ଚାହିଁଛନ୍ତି ଅନେକ ଓଡ଼ିଆ। ସେମାନଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ାର ୯୪ ହଜାର ଲୋକ। ଏମାନେ ନିଜ ଘରକୁ ଫେରିବା ପାଇଁ ଲକ୍‌ଡାଉନ୍‌ ତାରିଖ ଶେଷ ହେବାକୁ ଚାହିଁ ରହିଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ସେମାନଙ୍କ ବାଟକୁ ଚାହିଁ ରହିଛନ୍ତି। ତେବେ ୯୪ ହଜାରଙ୍କ ଭିତରୁ କେତେ ଆସିବେ ଏବଂ କେତେ ଆସିବନି ତାହା ପଞ୍ଜୀକରଣ ତାରିଖ ଶେଷ ହେବା ପରେ ଜଣାପଡ଼ିବ।

ମେ ୩ ତାରିଖରେ ଶେଷ ହେବ ଲକଡାଉନ। ଏହାପରେ ଗମନା ଗମନର ରାସ୍ତା ଖୋଲିପାରେ। ରେଳ, ବିମାନ ଓ ବସ୍ ସେବା ସ୍ୱାଭାବିକ ହେବ କି ନାହିଁ ତାହାର ସ୍ପଷ୍ଟ ଚିତ୍ର ଏଯାଏଁ ଜଣାପଡିନି। ହେଲେ ଗାଁ ଛାଡି ବାହାର ରାଜ୍ୟରେ ଅଟକି ରହିଥିବା କେନ୍ଦ୍ରାପଡା ଜିଲ୍ଲାର ଲୋକମାନେ ଘରମୁହାଁ ହେଲେଣି। କରୋନା କଟକଣା ପାଇଁ ଏକ ମାସରୁ ଅଧିକ ସମୟ ହେଲା ସେମାନେ ବାହାର ରାଜ୍ୟରେ ଫସି ରହିଛନ୍ତି। ଅଧିକାଂଶ ଲୋକ ନିର୍ଯାତିତ ହେଉଥିବା ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଜଣାପଡ଼ିଛି।

ଘରବାହୁଡା ପାଇଁ ବାହାର ରାଜ୍ୟରେ ଫସିଥିବା ଲୋକମାନେ ଯେତିକି ବ୍ୟଗ୍ର ତାଠାରୁ ଅଧିକ ବ୍ୟଗ୍ର ହୋଇପଡିଛନ୍ତି ଗାଁରେ ରହିଥିବା ସେମାନଙ୍କର ଆତ୍ମୀୟ ସ୍ୱଜନ।

କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଘରକୁ ଘର ବୁଲି ସର୍ଭେ କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଜିଲ୍ଲାର ଆଳି ବ୍ଲକରେ ୬୯୮୧, ଡେରାବିଶ ବ୍ଲକରେ ୩୧୯, ଗରଦପୁର ବ୍ଲକରେ ୧୮୭୧, କେନ୍ଦ୍ରାପଡା ବ୍ଲକରେ ୬୬୬୮, ମହାକାଳପଡା ବ୍ଲକରେ ୧୩୬୪୫, ମାର୍ଶାଘାଇ ବ୍ଲକରେ ୧୯୪୮୫, ପଟ୍ଟାମୁଣ୍ଡାଇ ବ୍ଲକରେ ୨୧୭୨୪, ରାଜନଗର ବ୍ଲକରେ ୧୨୦୮୨, ରାଜକନିକା ବ୍ଲକରେ ୫୫୮୩, କେନ୍ଦ୍ରାପଡା ପୌରାଞ୍ଚଳରେ ୧୧୨ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨୭୩୧ ଜଣ ଲୋକ ବାହାର ରାଜ୍ୟରେ ଅଛନ୍ତି। ଏମାନଙ୍କର ମୋଟ୍ ସଂଖ୍ୟା ୯୪ ହଜାର ୮୦।

ଦେଶ ବାହାରେ ମଧ୍ୟ ହଜାର ହଜାର କେନ୍ଦ୍ରାପଡିଆ ରହିଛନ୍ତି। ଜିଲ୍ଲା ବାହାରେ ମଧ୍ୟ କେତେକ ରହିଛନ୍ତି। ସେମାନଙ୍କ ସଂଖ୍ୟା ମିଶିଲେ ପାଖାପାଖି ୧ ଲକ୍ଷ କେନ୍ଦ୍ରାପଡ଼ା ଲୋକ ବାହାରେ ଥିବା କୁହାଯାଉଛି। ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଯେଉଁମାନେ ଓଡ଼ିଶା ଫେରିବେ ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ ଗତ ୨୪ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏମାନଙ୍କ ମଧ୍ୟରୁ କେତେ ଲୋକ ଓଡିଶା ଫେରିବେ ତାହା ପଞ୍ଜିକରଣ ତାରିଖ ଶେଷ ହେବାପରେ ଜଣାପଡିବ।

କେନ୍ଦ୍ରାପଡା ଜିଲ୍ଲାକୁ ଯଦି ଏହି ୯୪ ହଜାର ଲୋକ ଫେରନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ୧୪ ଦିନ ପାଇଁ ସଙ୍ଗରୋଧ ଗୃହରେ ରଖିବ। ଏଣୁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପଞ୍ଚାୟତ, ପୌରାଞ୍ଚଳରେ ପ୍ରସ୍ତୁତ ହୋଇ ରହିଥିବା ସଙ୍ଗରୋଧ ଗୃହରେ ବେଡ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି କରିବା ଆବଶ୍ୟକ ରହିଛି।

ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪୯ଟି ଗ୍ରାମପଞ୍ଚାୟତରେ ୧୪ ହଜାର ୬୦୦ ସଙ୍ଗରୋଧ ଶଯ୍ୟା ପ୍ରସ୍ତୁତ ହୋଇଛି। ଏହାଛଡା ଦୁଇଟି ପୌରାଞ୍ଚଳରେ ୭୦୯ଟି ଶଯ୍ୟା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୩୦୦ ଶଯ୍ୟା, କେନ୍ଦ୍ରାପଡା ଆଦର୍ଶ ବିଦ୍ୟାଳୟରେ ୧୬୦ ଶଯ୍ୟା, ଡେରାବାଶ ପଲିଟେକନିକରେ ୧୫୦ ଶଯ୍ୟା, ପଟ୍ଟାମୁଣ୍ଡାଇ ଓବିସି ଛାତ୍ରାବାସରେ ୧୫୦ ଶଯ୍ୟା ଓ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ଟି ଶଯ୍ୟାକୁ ମିଶାଇ ଜିଲ୍ଲାରେ ୧୬ ହଜାର ୧୯୯ଟି ଆଇସୋଲେସନ ବେଡ ରହିଛି। ଏହାଛଡା ଛତା ପଲିଟେକନିକଠାରେ ୧୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ ରହିଛି। ଏଠାରେ ୧୦ଟି ଆଇସିୟୁ ବେଡ୍‌ ରହିଛି।

ଜିଲ୍ଲାରେ ଆହୁରି ଅଧିକ ସଙ୍ଗରୋଧ ଶଯ୍ୟାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଜିଲ୍ଲାରେ ଥିବା ସମସ୍ତ ସ୍କୁଲ, କଲେଜ ଗୃହ, ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳଗୁଡିକୁ ସଙ୍ଗରୋଧ ଗୃହରେ ପରିଣତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ଗୃହ ମାନଙ୍କରେ ଖଟ ଓ ବିଛଣାର ଅଭାବ ଦେଖାଯାଇଥିବାରୁ ସେହି ଗାଁରେଥିବା ସେମାନଙ୍କ ପରିବାରର ଲୋକମାନଙ୍କୁ ଖଟ ଯୋଗାଇଦେବାକୁ କୁହାଯାଇଛି। ଏହି ବ୍ୟବସ୍ଥା ପଟ୍ଟାମୁଣ୍ଡାଇ ବ୍ଲକରେ କରିବା ପାଇଁ ନିଷ୍ପତ୍ତି ହୋଇଛି।

ବିଭିନ୍ନ ଗ୍ରାମପଞ୍ଚାୟତର ଲୋକମାନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା। ୯୪ ହଜାର ଲୋକଙ୍କ ଭିତରୁ କେତେ କେନ୍ଦ୍ରାପଡ଼ାକୁ ଆସୁଛନ୍ତି ତାହା ପଞ୍ଜୀକରଣ ତାରିଖ ଶେଷ ହେବା ପରେ ଜଣାପଡ଼ିବ।

Comment