ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଜନିତ ଲକଡାଉନ ଯୋଗୁଁ ଭାରତରେ ଲୋକେ ଅଧିକ ବଞ୍ଚୁଛନ୍ତି? ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କୋଭିଡ -୧୯ ପାଇଁ ଅବଶ୍ୟ ପ୍ରତିଦିନ ବହୁ ଲୋକ ପ୍ରାଣ ହରାଉଛନ୍ତି। ଏହି ସଂଖ୍ୟା ଏବେ ପାଖାପାଖି ହଜାରେ ହେଲାଣି କିନ୍ତୁ ଅନ୍ୟ ପ୍ରାକୃତିକ କାରଣରୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଢ଼େର ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ବିଭିନ୍ନ କାରଣ ପାଇଁ କମ ମରିଛନ୍ତି ବୋଲି ଏକ ରିପୋର୍ଟ କହୁଛି।

ବିଭିନ୍ନ ହସ୍ପିଟାଲ, ଶ୍ମଶାନ ଓ ସ୍ୱର୍ଗଦ୍ୱାରରୁ ମିଳିଥିବା ତଥ୍ୟକୁ ଏକତ୍ରିତ କରି ରଏଟର ସଂବାଦ ସରବରାହ ସଂସ୍ଥା ଏହି ନିଷ୍କର୍ଷରେ ପହଞ୍ଚିଛି ଯେ କରୋନା ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ଲୋକଙ୍କର ପ୍ରାଣ ଯାଉନାହିଁ। ମାର୍ଚ୍ଚ ୨୫ରେ ଲକଡାଉନ ଘୋଷଣା ହେବା ପରେ ପ୍ରାକୃତିକ ମୃତ୍ୟୁ ସଂଖ୍ୟା ଢ଼େର ପରିମାଣରେ ହ୍ରାସ ପାଇଥିବା କଥା ଏହି ରିପୋର୍ଟରୁ ଜଣାପଡିଛି

ମୁମ୍ବାଇ,ଅହମଦାବାଦରେ ମୃତ୍ୟୁ ସଂଖ୍ୟା ୬୭ ପ୍ରତିଶତ କମିଥିବା ବେଳେ କେରଳର ହସ୍ପିଟାଲ ଗୁଡିକରେ ହୃଦଘାତ ମୃତ୍ୟୁ ୩୫% କମିଛି। ଭାରତରେ ସାଧାରଣତଃ ରାସ୍ତା ଓ ଟ୍ରେନ ଦୁର୍ଘଟଣାରେ ପ୍ରତିଦିନ ସର୍ବାଧିକ ଲୋକ ଜୀବନ ହରାଇଥାନ୍ତି। ବସ୍ତୁତଃ,ରାସ୍ତା ଦୁର୍ଘଟଣା ମୃତ୍ୟୁ କ୍ଷେତ୍ରରେ ବିଶ୍ୱରେ ଭାରତ ଟପରେ ରହିଛି। ଲକଡାଉନ ଯୋଗୁଁ ଯେହେତୁ ଗାଡି ମୋଟର ଚଳାଚଳ ବନ୍ଦ ରହିଛି ସେହି କାରଣରୁ ରାସ୍ତା ଦୁର୍ଘଟଣା ମୃତ୍ୟୁ ଆଦୌ ନାହିଁ କହିଲେ ଚଳେ।

ଉତ୍ତର ପ୍ରଦେଶରେ ଗଙ୍ଗା ନଦୀ,କୋଲକାତା କାଳୀ ଘାଟ ଓ ପୁରୀ ସ୍ୱର୍ଗଦ୍ୱାର ତଥା  ଅନ୍ୟ ମଶାଣି ଏବଂ ଅନ୍ତ୍ୟେଷ୍ଟି କାମରେ ନିୟୋଜିତ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଶବ ଦାହ ସଂଖ୍ୟା  ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି। କମ ମୃତ୍ୟୁ ସଂଖ୍ୟାର ଅନ୍ୟ କିଛି କାରଣ ବି ଥାଇପାରେ।


ପ୍ରଥମ,ଲକଡାଉନ ଯୋଗୁଁ ଲୋକେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି ଓ ଗୁରୁତର ଅବସ୍ଥା ନଆସିବା ପର୍ଯ୍ୟନ୍ତ ହସ୍ପିଟାଲ ଯାଉନାହାନ୍ତି। ତାଛଡ଼ା ମୃତ୍ୟୁ ହୋଇଥିଲେ ମଧ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କ ଭିତରେ ଶେଷ କର୍ମ ସାରିବାକୁ ପଡ଼ୁଥିବାରୁ ଅନେକେ ମୃତ୍ୟୁ ଖବର ସମ୍ପୃକ୍ତ ମୁନିସିପାଲିଟିକୁ ଜଣାଉନାହାନ୍ତି।ଆହୁରି ମଧ୍ୟ ଲକଡାଉନ ପରେ ବଡ଼ବଡ଼ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ଭିତରକୁ ଆସିଥିବାରୁ ଲୋକଙ୍କର ଆୟୁଷ ବଢ଼ିବାରେ ଲାଗିଛି।

Comment