ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଜନସାଧାରଣଙ୍କ ପାଇଁ ନିୟମ କୋହଳ କରିଛନ୍ତି ସରକାର। ଏହାସହ ସରକାର ଦିଲ୍ଲୀରେ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ସେଥିପାଇଁ ସୋମବାର ସକାଳୁ ଦିଲ୍ଲୀରେ ମଦ ଦୋକାନ ଖୋଲାଯାଇଥିଲା। ହେଲେ ଦୋକାନ ଖୋଲିବା ମାତ୍ରେ ଏତେ ଭିଡ଼ ହୋଇଥିଲା ଯେ ପୋଲିସ ଶେଷରେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।

ସୋମବାର ଦିନ ମଦ ଦୋକାନ ଖୋଲିବା ପରେ ସକାଳ ୮ଟାରୁ ଦୋକାନ ସମ୍ମୁଖରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଲମ୍ଵା ଲାଇନ୍‌ରେ ସାମାଜିକ ଦୂରତାକୁ ଲୋକେ ପାଳନ କରିନଥିଲେ। ଅନେକ ସ୍ଥାନରେ ୨ କିଲେମିଟର ଯାଏଁ ଲମ୍ଵା ଲାଇନ୍‌ ଦେଖିବାକୁ ମିଳିଥିଲା। ପରେ ଭିଡ଼ ନିୟନ୍ତ୍ରଣ ନ ହେବାରୁ ଦିଲ୍ଲୀ ପୋଲିସ ଦୋକାନ ବନ୍ଦ କରି ଦେଇଥିଲା।

ମଦ ଦୋକାନକୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ ମଦ ଦୋକାନ ବନ୍ଦ ପାଇଁ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ରାଜସ୍ଵର ଏକ ବଡ଼ ଅଂଶ ମଦ ଦୋକାନରୁ ଆସିଥାଏ। ଏଥିପାଇଁ ମଦ ଦୋକାନ ଖୋଲିବାକୁ ପୂର୍ବରୁ ମଧ୍ୟ ବହୁଥର ଦାବି ହୋଇଛି।

ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ନିୟମ କୋହଳ କରାଯାଇଛି। ଦିଲ୍ଲୀ ରେଡ୍‌ ଜୋନରେ ଥିଲେ ମଧ୍ୟ ରାଜ୍ୟ ସରକାର ଏଠାରେ ନିୟମ କୋହଳ କରିବାକୁ ଘୋଷଣ କରିଛନ୍ତି। ଦିଲ୍ଲୀରେ ଆବଶ୍ୟକୀୟ ଦୋକାନ ମଧ୍ୟ ଖୋଲା ରହିଛି।

Comment