ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଙ୍କଟ ବେଳେ ଜନ୍ମହେଲା ଝିଅ। ନାଁ ରହିଲା କରୋନା।

କରୋନା ସଙ୍କଟ ବେଳେ ପଶ୍ଚିମବଙ୍ଗର ଏକ ଅସ୍ଥାୟୀ କ୍ୟାମ୍ପରେ ଗୋଟିଏ ଶ୍ରମିକ ପରିବାରକୁ ହସଖୁସି ଫେରି ଆସିଛି। ରୋଜଗାର ହରାଇ ଏହି ଶ୍ରମିକ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଆଜି ତାଙ୍କ ଘରେ ଝିଅଟିଏ ଜନ୍ମ ହୋଇଛି। କରୋନା ସଙ୍କଟ ବେଳେ ଝିଅ ଜନ୍ମ ହୋଇଥିବାରୁ ତାର ନାଁ ମଧ୍ୟ ‘କରୋନା’ ରଖାଯାଇଛି।

ପଶ୍ଚିମବଙ୍ଗ ଆସନସୋଲ ସହରସ୍ଥିତ ଘାଘର ବୃଢ଼ୀ ମନ୍ଦିର ଅଞ୍ଚଳରୁ ଏହି ଖବର ଆସିଛି। ଏହି ଅଞ୍ଚଳରେ ଧର୍ମ ଚକ୍ର ସେବା ସମିତି ପକ୍ଷରୁ ଥିବା ଲଜ୍‌ ଶ୍ରମିକମାନଙ୍କ ପାଇଁ ଖୋଲାଯାଇଛି। ଯେଉଁ ଶ୍ରମିକମାନେ ରୋଜଗାର ହରାଇଛନ୍ତି ସେମାନେ ଏଠାରେ ରହୁଛନ୍ତି। ସୁଯୋଗ ମିଳିଲେ ନିଜ ରାଜ୍ୟକୁ ଫେରୁଛନ୍ତି।

ଝାଡ଼ଖଣ୍ଡର ମଙ୍ଗଳ ଟୁଡୁ ନାମକ ଜଣେ ବ୍ୟକ୍ତି କରୋନା ସଂକ୍ରମଣ ପୂର୍ବରୁ ପଶ୍ଚିମବଙ୍ଗ ଆସିଥିଲେ। ପରିବାରକୁ ନେଇ ସେ ବର୍ଦ୍ଧୱାନ ଅଞ୍ଚଳରେ ରହୁଥିଲେ। ଦିନ ମଜୁରିଆ ଭାବେ କାମ କରି ସେ ପରିବାର ଚଳାଉଥିଲେ। ହେଲେ ଲକ୍‌ଡାଉନ୍‌ ତାଙ୍କ ରୋଜଗାର ଛଡ଼ାଇନେଲା। ଶେଷରେ ସେ ପୁଣି ତାଙ୍କ ପରିବାରକୁ ଧରି ନିଜ ଘର ଝାଡ଼ଖଣ୍ଡ ଅଞ୍ଚଳକୁ ଯିବାକୁ ବାହାରିଥିଲେ। ବଦ୍ଧୱାନରୁ ୧୦୦ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ମଙ୍ଗଳ ଟୁଡୁ ଏବଂ ତାଙ୍କ ପରିବାର ଆସନସୋଲ ସହରରେ ପହଞ୍ଚିଥିଲେ। ମଙ୍ଗଳଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ।

ଆସନସୋଲ ଅଞ୍ଚଳରେ ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଇଁ ଖୋଲା ଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ସେ ରହିଥିଲେ। ହେଲେ ଏହି କ୍ୟାମ୍ପରେ ମଙ୍ଗଳ ଟୁଡୁଙ୍କ ସ୍ତ୍ରୀ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଶିଶୁକନ୍ୟାର ନାଁ ‘କରୋନା’ ରଖାଯାଇଛି।

Comment