ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ରାଜ୍ୟରେ ସବୁ ସ୍କୁଲ, କଲେଜ ବନ୍ଦ ରହିଛି। ଗତ ଦୁଇ ମାସ ହେଲା ପିଲା ଘରେ ରହିଛନ୍ତି। ଜୁନ୍‌ ୧୭ ପରେ ସ୍କୁଲ, କଲେଜ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ହେଲେ ରାଜ୍ୟର ସବୁ ସ୍କୁଲ ଘର କ୍ୱାରେଣ୍ଟିନ୍‌ ସେଣ୍ଟର ପାଲଟି ଯାଇଛି। ତେବେ ଜୁନ୍‌ ୧୭ ପରେ ସ୍କୁଲ କେମିତି ଖୋଲିବ ଏବଂ ପାଠପଢ଼ା କେମିତି ଆରମ୍ଭ ହେବ ତାକୁନେଇ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି।

ରାଜ୍ୟ ସରକାର ପଞ୍ଚାୟତ ସ୍ତରରୁ କରୋନା ମୁକାବିଲା ଆରମ୍ଭ କରିଛନ୍ତି। ୬ ହଜାର ୭୯୮ ଗ୍ରାମପଞ୍ଚାୟତରେ ୧୫ ହଜାର କ୍ୱାରେଣ୍ଟିନ ସେଣ୍ଟର କରିଛନ୍ତି। ରାଜ୍ୟ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନେ ଏହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଛନ୍ତି। ଏଥିପାଇଁ ୬ ଲକ୍ଷରୁ ଅଧିକ ବେଡ୍‌ ବ୍ୟବସ୍ଥା କରାଯାଇଛି।

ସବୁ ସ୍କୁଲ ଘରେ କ୍ୱାରେଣ୍ଟିନ୍‌ ସେଣ୍ଟର ଚାଲିଛି। ଏଥିପାଇଁ ସ୍କୁଲରେ ନୂଆ ରଙ୍ଗ ଲାଗିଛି। ନୂଆ ଲାଇଟ୍‌, ଫ୍ୟାନ ବି ଲାଗିଛି। ଖାଇବା ପିଇବା ଦେଇ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଏଠାରେ ରଖାଯାଉଛି। କରୋନା ସଂକ୍ରମଣ ଯେମିତି ନବ୍ୟାପେ ସେଥିପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ।

ତେବେ ସରକାର ସ୍କୁଲ ଘରକୁ କ୍ୱାରେଣ୍ଟିନ୍‌ ସେଣ୍ଟ କରିଦେଇଥିବାରୁ ପାଠ ପଢ଼ା କେମିତି ଚାଲିବ ତାକୁନେଇ ଭାଳେଣି ପଡ଼ିଛି। ବର୍ତ୍ତମାନର ସ୍ଥିତି ଯାହା ଅଛି ଜୁନ୍‌ ୧୭ ପୂର୍ବରୁ ସ୍କୁଲ ଘର ଖାଲି ହେବାର ଦେଖାଯାଉନି। କାରଣ ପର୍ଯ୍ୟାୟକ୍ରମେ ରାଜ୍ୟ ବାହାରୁ ଲୋକମାନେ ଗାଁକୁ ଆସୁଛନ୍ତି। ସେମାନେ ଏହି ସେଣ୍ଟରରେ ରହୁଛନ୍ତି। ଏଣୁ ଜୁନ୍‌ ୧୭ ପରେ ଯେ ସ୍ଥିତି ସ୍ୱାଭାବିକ ହୋଇଯିବ ତାହା କହିବା ଠିକ୍‌ ହେବନି।

ଯଦି ଏମିତି ସ୍ଥିତି ଚାଲେ ଜୁନ୍‌ ୧୭ ପରେ ସ୍କୁଲ ଖୋଲିବା ଅସମ୍ଭବ ହୋଇଯିବ। ଏପଟେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ଡ୍ୟୁଟିରେ ସାମିଲ କରାଯାଇଛି। କ୍ୱାରେଣ୍ଟିନ ସେଣ୍ଟରରେ ଶିକ୍ଷକମାନେ ବାହାରୁ ଆସୁଥିବା ଲୋକଙ୍କୁ ତଦାରଖ କରୁଛନ୍ତି। ଏଣୁ ସେମାନେ କେମିତି ପିଲାଙ୍କୁ ପାଠପଢ଼ାଇବେ ତାହା ବି ପ୍ରଶ୍ନବାଚୀ ଘେରରେ ରହିଛି।

ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସବୁ ପିଲାଙ୍କୁ ପାସ୍‌ କରାଇ ଦେଇଛନ୍ତି। ପିଲା ବି ଖୁସି। କରୋନା ସଙ୍କଟ ଭିତରେ ୨୦୧୯-୨୦ ଶିକ୍ଷାବର୍ଷ ଶେଷ ହୋଇଯାଇଛି। ୨୦୨୦-୨୧ ଶିକ୍ଷାବର୍ଷ କେମିତି ଶେଷ ହେବ ଏବଂ କେବେଠୁ ପାଠପଢ଼ା ଆରମ୍ଭ ହେବ ସେନେଇ ସରକାର ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଦାବି ହେଉଛି।

Comment