ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ରେ କେମିତି ରକ୍ଷା କରାଯିବ ସାମାଜିକ ଦୂରତା?

(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଓଡ଼ିଶାରେ କୋହଳ ହେଉଛି ଲକ୍‌ଡାଉନ୍‌ କଟକଣା। ଦୋକାନ ବଜାର ଓ ବିଭିନ୍ନ ଅଫିସ୍‌ ଖୋଲବା ପରେ ବସ୍‌, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବସ୍‌ରେ ଯେତିକି ସିଟ୍‌ ସେତିକି ଯାତ୍ରୀ, ଅଟୋ ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ମିଶାଇ ଦୁଇ ଜଣ ଯାତ୍ରୀ ଯାଇପାରିବେ ବୋଲି ସରକାର କହିଛନ୍ତି।

ଲୋକଙ୍କ ଯାତାୟତକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ କରୋନା ସଂକ୍ରଣ ବଢୁଥିବା ବେଳେ ସରକାର କାହିଁକି ଲକ୍‌ଡାଉନ୍‌ କଟକଣା କୋହଳ କରୁଛନ୍ତି ତାକୁନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠୁଛି।

ଯେତେବେଳେ ଓଡ଼ିଶାରେ କରୋନା ସଂକ୍ରମଣ କମ୍‌ ଥିଲା ସେତେବେଳେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ନିୟମ ଜାରି କରି ଜନଜୀବନକୁ ପ୍ରଭାବିତ କରିଥିଲେ ସରକାର। ଘରେ ରହିବାକୁ ଅପିଲ କରିଥିଲେ। ଏପରିକି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାଇକ ନେଇ ଯାଇପାରିବେନି ବୋଲି ସରକାର କହିଥିଲେ। ଯିଏ ନିୟମ ଭାଙ୍ଗୁଥିଲା ସେ ପୋଲିସ ପାହାର ଖାଉଥିଲା। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ୧୦୦ ଲେଖାଏଁ ଆକ୍ରାନ୍ତ ବିଭିନ୍ନ ଜିଲ୍ଲାରୁ ବାହାରୁଛନ୍ତି। ଆକ୍ରାନ୍ତ ସଂଖ୍ୟା ଏବେ ୧୨୦୦ ଟପିଥିବା ବେଳେ କରୋନା ଭାଇରସ୍‌ ୨୬ଟି ଜିଲ୍ଲାକୁ ଛୁଇଁଲାଣି। ଭାରତରେ ଜୁନ୍‌ ଓ ଜୁଲାଇ ମାସରେ ଅଧିକ ଆକ୍ରାନ୍ତ ବାହାରିବେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରିଥିଲେ। ଏଭଳି ସଙ୍କଟ ବେଳେ ସରକାର ଲକ୍‌ଡାଉନ୍‌ ନିୟମ କୋହଳ କରିବା କେତେଦୂର ଠିକ୍‌ ତାହା ହିଁ ଚର୍ଚ୍ଚାର ବିଷୟ ପାଲଟିଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ପ୍ରଥମେ ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍‌ଡାଉନ୍‌ କରିବା ପରେ ଏହାପରେ ଅନ୍ୟ ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଥିଲା। ଲକ୍‌ଡାଉନ୍‌ ଘୋଷଣା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ବୋଲି ଦାବି ହୋଇଥିଲା। ଏହାପରେ କେନ୍ଦ୍ର ସରକାର ପୂରା ଭାରତକୁ ମାର୍ଚ୍ଚ ୨୪ରୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।

ସେତେବେଳେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଏକମାତ୍ର ମାଧ୍ୟମ ବୋଲି ସରକାର କହିଥିଲେ। ସେତେବେଳେ କେବଳ କିଛି ହାତଗଣତି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ପ୍ରତିଦିନ ନୂଆ ନୂଆ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟ ବାହାରୁ ମଧ୍ୟ ଶ୍ରମିକମାନେ ଓଡ଼ିଶାକୁ ଫେରୁଛନ୍ତି। ବିଭିନ୍ନ ପଞ୍ଚାୟତରୁ ଆକ୍ରାନ୍ତ ବାହାରୁ ଥିବାରୁ ପଞ୍ଚାୟତ ସଟ୍‌ଡାଉନ୍‌ ଘୋଷଣା କରାଯାଉଛି। ହେଲେ ସରକାର ଏତିକି ବେଳେ ଲକ୍‌ଡାଉନ୍‌ କଟକଣା କୋହଳ କରି ବସ୍‌, ଅଟୋ, ଟ୍ୟାକ୍ସି ଚଲାଇବାକୁ କାହିଁକି ଅନୁମତି ଦେଉଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

ଏପଟେ ବସ୍‌ରେ କେମିତି ସାମାଜିକ ଦୂରତା ରକ୍ଷା କରାଯିବ ସେନେଇ ମଧ୍ୟ ସରକାର କୌଣସି ଗାଇଡ୍‌ଲାଇନ୍‌ ଜାରି କରି ନାହାନ୍ତି। ପୂର୍ବରୁ ସରକାର କହିଥିଲେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ କରିବ। ହେଲେ ଏଥିରେ ବସ୍‌ ମାଲିକ ସଂଘ ରାଜି ହୋଇ ନଥିଲା। ଏବେ ନୂଆ ନିୟମରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯାଇପାରିବେ ବୋଲି ସରକାର ନିୟମ କରିଛନ୍ତି। ବସ୍‌ରେ ଦୁଇଟି ଧାଡ଼ିରେ ତିନି ଜଣିଆ ଏବଂ ଦୁଇ ଜଣିଆ ବସି ପାରିବା ଭଳି ସିଟ୍‌ ରହିଛି। ଯଦି ସବୁ ସିଟ୍‌ରେ ଯାତ୍ରୀ ବସିବେ ତାହାଲେ ସାମାଜିକ ସୂରତା କେମିତି ରକ୍ଷା କରାଯିବ ତାହା ଏବେ ପ୍ରଶ୍ନବାଚୀଘେରରେ ରହିଛି।

ଟ୍ରେନ୍‌ ଏବଂ ବିମାନ ଯାତ୍ରୀଙ୍କ ପାଇଁ ସରକାର ଏସ୍‌ଓପି ଜାରି କରିଛନ୍ତି। ଟ୍ରେନ ଓ ବିମାନରେ ଯେଉଁ ଯାତ୍ରୀମାନେ ଯିବେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ସାନିଟାଇଜର ବ୍ୟବସ୍ଥା ମଧ୍ୟ ଟ୍ରେନ୍‌ ଓ ବିମାନରେ ରହିବ।

ତେବେ ବସ୍‌ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ କି ନାହିଁ ସେନେଇ ସରକାର କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। କେବଳ ଯାତ୍ରୀମାନେ ମାସ୍କ ପିନ୍ଧିବା ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଯଦିବା ବସ୍‌ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରିବା ପାଇଁ ଅନୁମତି ଦିଅନ୍ତି ତାହା ରାଜ୍ୟର ବିଭିନ୍ନ ବସ୍‌ ଷ୍ଟାଣ୍ଡରେ ସମ୍ଭବ ନୁହେଁ ବୋଲି କୁହାଯାଉଛି। ବିମାନ ଓ ଟ୍ରେନ୍‌ ଯାତ୍ରୀମାନେ ବାହାର ରାଜ୍ୟରୁ ଆସୁଥିବାରୁ ଏବଂ ଯାଉଥିବାରୁ ସେମାନଙ୍କର ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଉଛି। ହେଲେ ଏବେ ଗାଁ ଗହଳିରେ ଯେମିତି ବାହାର ରାଜ୍ୟରୁ ଆସିଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି ବସ୍‌ ଯାତ୍ରା ବି ସୁରକ୍ଷିତ ନୁହେଁ ବୋଲି ଅନେକେ ମତ ଦେଉଛନ୍ତି।

ଏପଟେ ବସ୍‌ ମାଲିକ ସଂଘ ମଧ୍ୟ ସରକାରଙ୍କ ନିୟମକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ। ସଂଘ ସହିତ ସରକାର କୌଣସି ଆଲୋଚନା କରି ନଥିବାରୁ ଏବଂ ଡ୍ରାଇଭର, ହେଲପର ନଥିବାରୁ ବସ୍‌ ଆସନ୍ତାକାଲିଠୁ ଚାଲିବ ନାହିଁ ବୋଲି ମାଲିକ ସଂଘ ରୋକ୍‌ଠୋକ୍‌ କହିଛି।

ସାଧାରଣ ଲୋକମାନେ ସହର ଭିତରେ ଯିବା ଆସିବା କରିବା ପାଇଁ ଅଟୋ ଉପରେ ନିର୍ଭର କରିଥାନ୍ତି। ଏବେ ଅଟୋରେ କେବଳ ଦୁଇ ଜଣ ଯାତ୍ରୀ ଯାଇପାରିବେ ବୋଲି ସରକାର କହିଛନ୍ତି। ଏଣୁ ଅଟୋ ଯାତ୍ରୀଙ୍କୁ ଅଧିକ ଭଡ଼ା ଦେବାକୁ ପଡ଼ିପାରେ। ଯଦି ଗ୍ରାହକ ଏଥିରେ ରାଜି ନହୁଅନ୍ତି ତାହାଲେ ଅଟୋ ଚାଳକ ମଧ୍ୟ ଯାତ୍ରୀମାନଙ୍କୁ ଜୁଲୁମ୍‌ କରିପାରନ୍ତି। ଏହାପରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର କ’ଣ ବ୍ୟବସ୍ଥା କରିବେ ତାହା ମଧ୍ୟ ସ୍ପଷ୍ଟ କରିବା ଦରକାର।

ସେହିପରି ଅଟୋରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ। କାରଣ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସରକାର କହୁଛନ୍ତି ଅତି କମ୍‌ରେ ୨ ମିଟର ଦୂରତା ରକ୍ଷା କରିବା କଥା। ହେଲେ ୩ ଚକିଆ ଅଟୋର ଦୂରତା ମାତ୍ର ୨ ମିଟର ଭିତରେ ସୀମିତ। ଏଣୁ ସାମାଜିକ ଦୂରତା କେମିତି ରକ୍ଷା କରାଯିବ ସେନେଇ ମଧ୍ୟ ପ୍ରଶ୍ନବାଚୀ ଉଠିଛି।

କରୋନା ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ ବୋଲି ସରକାର କହିଥିଲେ। ହେଲେ ସାମାଜିକ ଦୂରତା କେତେ ପାଳନ ହେଉଛି ତାହା ସାବିତ୍ରୀ ବ୍ରତ ପୂର୍ବ ଦିନ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗାଁ ମାନରେ ତ ଆଦୌ ସାମାଜିକ ଦୂରତା ନିୟମ ପାଳନ ହେଉନାହିଁ। ସେଠି ବି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ପର୍ଯ୍ୟାକ୍ତ ସରକାରୀ ଅଧିକାରୀ ନାହାନ୍ତି କି ପୋଲିସ କର୍ମଚାରୀ ବି ନାହାନ୍ତି। ଲୋକେ ବି ଏହି ୨ ମାସ ଭିତରେ କିଛି ଶିଖିଥିବା ଭଳି ମନେହଉନି। ଏସବୁ ଭିତରେ କରୋନାକୁ କେମିତି ମୁକାବିଲା କରାଯିବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନାକୁ ନେଇ ଯେମିତି କଟକଣା କଡ଼ାକଡ଼ି ପାଳନ କରାଯାଉଥିଲା ତାହା ଏବେ ଦେଖିବାକୁ ମିଳୁନି। କରୋନା ସଙ୍କଟ ଭିତରେ ଅର୍ଥନୀତିକୁ ଦେଖିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ। ଯଦି ଅଧିକ ଦିନ ନିୟମ କଡ଼ାକଡ଼ି ପାଳନ କରାଯିବ ତାହାଲେ ସାଧାରଣ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ଭିତରେ ବି କରୋନା ସଙ୍କଟ ଯେମିତି ନବଢ଼େ ସେଥିପ୍ରତି ମଧ୍ୟ ସରକାର ସଚେତନ ହେବା ଜରୁରୀ।

Comment