ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ


‘‘ଜଣେ ମହିଳାଙ୍କ ପାଇଁ ମୁହଁ ଖୋଲିବା ସେତେବେଳେ ସମ୍ଭବ, ଯେତେବେଳେ ସେ ଜାଣିବେ ଯେ ତାଙ୍କୁ କେହି ଶୁଣୁଛନ୍ତି’’, ଏହି ବାର୍ତ୍ତା ନେଇ ରିଲିଜ ହେଲା ନନ୍ଦିତା ଦାସ ସର୍ଟ ଫିଲ୍ମ ‘ଲିସିନ୍‌ ଟୁ ହର’।

କିଛି ବଲିଉଡ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ କରିବା ସହିତ ସମାଜକୁ କିଛି ସନ୍ଦେଶ ଦେଇଥାନ୍ତି। ଏହି ତାଲିକାରେ ସର୍ବପ୍ରଥମେ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନାଁ ଆସେ।

ଜଣେ ଲେଖିକା, ନିର୍ଦ୍ଦେଶିକା ଏବଂ ଅଭିନେତ୍ରୀ ଭାବେ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଲକଡାଉନ ଭିତରେ ନନ୍ଦିତା ଦାସ ଏକ ସର୍ଟ ଫିଲ୍ମ ‘ଲିସିନ୍‌ ଟୁ ହର୍‌’ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ଯୁଗ ଯେତେ ପରିବର୍ତ୍ତନ ହେଲେ ବି ଲକଡାଉନ ଭିତରେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସାକୁ ଏହି ଫିଲ୍ମରେ ଦେଖାଯାଇଛି।

ଏଥିରେ ନନ୍ଦିତା ନିଜେ ଅଭିନୟ କରିବା ସହିତ ତାଙ୍କ ପୁଅଙ୍କୁ ବି ଦେଖିବାକୁ ମିଳିଛି। ଏହି ସର୍ଟ ଫିଲ୍ମରେ ମୁଖ୍ୟ ଚରିତ୍ର ରହିଛି ଜଣେ ମହିଳାଙ୍କର ସ୍ୱର। ଯିଏ ପ୍ରତିଦିନ ଘରୋଇ ହିଂସାର ଶିକାର ହେଉଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ ପ୍ରତିଦିନ ମାରପିଟ୍‌ କରୁଛନ୍ତି। ମହିଳା ଜଣକ ନନ୍ଦିତାଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିଛନ୍ତି।

ଫିଲ୍ମରେ ଦେଖାଯାଇଛି ଯେ ନନ୍ଦିତା ଓ୍ୱାର୍କ ଫ୍ରମ୍‌ ହୋମ କରୁଛନ୍ତି।  ଘରର କାମ, ପୁଅର ଦାୟିତ୍ୱ ଭିତରେ ସେ ପୂରା ଫସି ରହିଛନ୍ତି। ସେହି ସମୟରେ ଜଣେ ଅଜଣା ମହିଳାଙ୍କର ଫୋନ ତାଙ୍କ ନିକଟକୁ ଆସୁଛି। ପ୍ରଥମେ ନନ୍ଦିତା ଫୋନ କାଟି ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେ ଫୋନ୍‌ ରିସିଭ କରୁଛନ୍ତି। ତା’ ପରେ ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ସ୍ୱର ଶୁଣନ୍ତି। ମହିଳାଙ୍କ ସାହାଯ୍ୟ କରିବାକୁ ସେ ପୋଲିସକୁ ଫୋନ କରୁଥିବା ଫିଲ୍ମରେ ଦେଖାଯାଇଛି। ଏହା ସହିତ ନନ୍ଦିତା ଲକଡାଉନ ସମୟରେ ମହିଳାଙ୍କ ପାଇଁ ଦିଆଯାଇଥିବା ହେଲ୍ପଲାଇନ ନମ୍ବର ୧୮୧ ଓ (ହ୍ୱାଟସଆପ୍‌ ଆଲର୍ଟ, ୭୨୧୭୭୩୫୩୭୨)କୁ ଫିଲ୍ମରେ ଦର୍ଶାଇଛନ୍ତି।

‘‘ଧୀର ସ୍ୱରରେ… କୁହ…. ଚିତ୍କାର କର – ଆପଣଙ୍କ ସ୍ୱର କେହି ତ ଶୁଣିବ। କାରଣ ଯେତେବେଳେ ଲାଗିବ କେହି ଶୁଣୁଛି ସେବେ ଯାଇ ଜଣେ ମହିଳା ତା ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇପାରିବ’’ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରି କହିଛନ୍ତି ନନ୍ଦିତା।

ନନ୍ଦିତା ଏହି ସର୍ଟ ଫିଲ୍ମର ସୁଟିଂ ତାଙ୍କ ଘରେ ଥାଇ କରିଛନ୍ତି। ଏହାକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଦେଖିଛନ୍ତି। ଲକଡାଉନ୍ ମଧ୍ୟରେ ଘରୋଇ ହିଂସା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଅତୀତରେ ବଲିଉଡର ଅନେକ ସେଲିବ୍ରିଟି ଏହାକୁ ବିରୋଧ କରି ସଚେତନତା ବାର୍ତ୍ତା ଦେଇଥିଲେ।

Comment